Explore

Search

August 18, 2026 9:43 pm

ଜଳସେଚନ କ୍ଷେତ୍ରରେ ନୂଆ ପଦକ୍ଷେପ : ସ୍ମାର୍ଟ ଜଳସେଚନ ମଡେଲ ମୁଁହା ଓଡିଶା

ଭୁବନେଶ୍ବର : ଜଳସେଚନ କ୍ଷେତ୍ରରେ ନୂଆ ପଦକ୍ଷେପ ଦିଗରେ ଆଗକୁ ବଢୁଛି ଓଡ଼ିଶା । ଜଳବାୟୁ ପରିବର୍ତ୍ତନ, ବର୍ଷାର ଅନିୟମିତତା ଓ ବଢୁଥିବା ଜଳ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜଳ ପରିଚାଳନାକୁ ଅଧିକ ବୈଜ୍ଞାନିକ, ଡିଜିଟାଲ ଓ ଚାଷୀକେନ୍ଦ୍ରିକ କରିବା ଉପରେ ଜୋର ଦିଆଯାଉଛି ।
ଏହି ଉଦ୍ଦେଶ୍ୟରେ ଜଳ ସମ୍ପଦ ବିଭାଗ ପକ୍ଷରୁ ‘ସ୍ମାର୍ଟ ଜଳସେଚନ ଓ ଚାହିଦା ଭିତ୍ତିକ ଜଳ ପରିଚାଳନା, ପ୍ରଯୁକ୍ତି, ନବସୃଜନ ଓ ବ୍ୟାପକ ପ୍ରୟୋଗର ପଥ’ ଶୀର୍ଷକ ଏକଦିନିଆ କର୍ମଶାଳା ଆୟୋଜିତ ହୋଇଥିଲା ।

ଭୁବନେଶ୍ବରସ୍ଥିତ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ସୋମବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭବିଷ୍ୟତର ଜଳସେଚନ ବ୍ୟବସ୍ଥାକୁ ନେଇ ବିଶେଷଜ୍ଞମାନେ ବିଭିନ୍ନ ଦିଗ ଉପରେ ମତ ରଖିଥିଲେ ।

କର୍ମଶାଳାରେ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମାଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀ ଯୋଗ ଦେଇଥିଲେ । ଏଥିସହ ଜାଇକା, ନିପ୍ପନ କୋଏଇ, କୃଷି ଓ ଉଦ୍ୟାନ କୃଷି ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ICAR-IIWM, OUAT ଏବଂ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ପ୍ରତିନିଧିମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ ।
ଜଳସେଚନ ବ୍ୟବସ୍ଥାରେ ଡାଟା ଓ ଆଧୁନିକ ପ୍ରଯୁକ୍ତିର ବ୍ୟବହାର ଉପରେ କର୍ମଶାଳାରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ରିଅଲ୍-ଟାଇମ୍ ତଥ୍ୟ, ଡିଜିଟାଲ ପ୍ଲାଟଫର୍ମ ଏବଂ ଆଧୁନିକ ମନିଟରିଂ ବ୍ୟବସ୍ଥା ଜରିଆରେ ଜଳର ଉପଲବ୍ଧତା ଓ ଆବଶ୍ୟକତାକୁ ଆକଳନ କରି ନିଷ୍ପତ୍ତି ନେବା ଉପରେ ଆଲୋଚନା ହୋଇଥିଲା ।
ଫସଲର ପ୍ରକାର, ମାଟିର ଆବଶ୍ୟକତା ଓ ପାଣିପାଗ ସୂଚନାକୁ ଆଧାର କରି ଜଳସେଚନର ସମୟ ଓ ପରିମାଣ ନିର୍ଦ୍ଧାରଣ କଲେ ଜଳ ଅପଚୟ ହ୍ରାସ ପାଇବା ସହ ଚାଷର ଉତ୍ପାଦକତା ବଢିପାରିବ ବୋଲି ମତ ପ୍ରକାଶ ପାଇଥିଲା ।
କର୍ମଶାଳାରେ ଅନ୍ୟ ରାଜ୍ୟର ଅଭିଜ୍ଞତାକୁ ଓଡ଼ିଶାରେ ଉପଯୋଗ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା । ହିମାଚଳ ପ୍ରଦେଶର ଫସଲ ବିବିଧୀକରଣ, ଝାଡ଼ଖଣ୍ଡର ବୁନ୍ଦା ଜଳସେଚନ ଓ ବିବିଧ ଚାଷ ପଦ୍ଧତି ଏବଂ ରାଜସ୍ଥାନର ଜଳକ୍ଷେତ୍ର ଆଧାରିତ ଜୀବିକା ମଡେଲକୁ ଓଡ଼ିଶାର ପରିସ୍ଥିତି ସହ ଖାପ ଖୁଆଇବା ଉପରେ ବିଶେଷଜ୍ଞମାନେ ମତ ରଖିଥିଲେ ।
ଓଡ଼ିଶାରେ ଚାଲିଥିବା ବିଭିନ୍ନ ଜଳସେଚନ ଓ ଜଳ ସଂରକ୍ଷଣ ପଦକ୍ଷେପ ମଧ୍ୟ ଆଲୋଚନାର ଅଂଶ ଥିଲା । ଆନ୍ତର୍ଜାତିକସ୍ତରରେ ଜଳ ପରିଚାଳନାର ଅଭିଜ୍ଞତା ମଧ୍ୟ ଏହି କର୍ମଶାଳାରେ ସ୍ଥାନ ପାଇଥିଲା। ଜାପାନ, ଇଣ୍ଡୋନେସିଆ ଓ ଟୋକିଓରେ ଜଳ ସମ୍ପଦ ନିରୀକ୍ଷଣ, ବନ୍ୟା ନିୟନ୍ତ୍ରଣ, ଡିଜିଟାଲ ତଥ୍ୟ ଏବଂ ରିଅଲ୍-ଟାଇମ୍ ମନିଟରିଂର ବ୍ୟବହାର ସମ୍ପର୍କରେ ଆଲୋଚନା ହୋଇଥିଲା । ବନ୍ୟା ପରିଚାଳନା ଓ ଜଳସେଚନକୁ ପୃଥକ ଭାବେ ନଦେଖି ସମନ୍ୱିତ ଜଳ ପରିଚାଳନା ବ୍ୟବସ୍ଥା ବିକଶିତ କରିବା ଆବଶ୍ୟକତା ଉପରେ ମଧ୍ୟ ଜୋର ଦିଆଯାଇଥିଲା ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score