Explore

Search

May 13, 2026 1:14 am

ଗୁଗୁଲରେ ଆସିଲା ନୂଆ ନିୟମ : ଇଣ୍ଟରନେଟ୍ ଦୁନିଆରେ ଆସୁଛି QR କୋଡ୍ ଯୁଗ

ନୂଆଦିଲ୍ଲୀ : ଇଣ୍ଟରନେଟ୍ ଖୋଲିବା ସହ “ମୁଁ ରୋବୋଟ୍ ନୁହେଁ” ବୋଲି ପ୍ରମାଣ ଦେବାର ଯନ୍ତ୍ରଣା ଏବେ ଶେଷ ହୋଇପାରେ । ଟ୍ରାଫିକ୍ ଲାଇଟ୍ ଚିହ୍ନଟ କରିବା, ଫଟୋ ବାଛିବା କିମ୍ବା ଅକ୍ଷର ଟାଇପ୍ କରିବା ପରି Captcha ପ୍ରକ୍ରିୟାକୁ ବଦଳାଇବା ପାଇଁ ଗୁଗଲ୍ ଏକ ନୂଆ ବ୍ୟବସ୍ଥା ଉପରେ କାମ କରୁଛି ।

ସୂଚନା ଅନୁସାରେ, ଗୁଗଲ୍ ବର୍ତ୍ତମାନ QR କୋଡ ଆଧାରିତ ହ୍ୟୁମାନ ଭେରିଫିକେସନ ସିଷ୍ଟମର ପରୀକ୍ଷା କରୁଛି । ଏହି ବ୍ୟବସ୍ଥାରେ ବ୍ୟବହାରକାରୀଙ୍କୁ ୱେବସାଇଟରେ ଦେଖାଯାଇଥିବା QR କୋଡକୁ ନିଜ ସ୍ମାର୍ଟଫୋନରେ ସ୍କାନ କରିବାକୁ ପଡ଼ିବ । ସ୍କାନ୍ ସଫଳ ହେବା ପରେ ମାତ୍ର ୱେବସାଇଟ୍ ଖୋଲିବ ଓ ବ୍ୟବହାରକାରୀ ମଣିଷ ନା ବଟ୍ ତାହା ସିଷ୍ଟମ ଚିହ୍ନଟ କରିପାରିବ ।

ବର୍ତ୍ତମାନ AI ଓ ଅଟୋମେଟେଡ୍ ବଟସ ଅଧିକ ସ୍ମାର୍ଟ ହୋଇଯାଇଥିବାରୁ ପୁରୁଣା Captcha ବ୍ୟବସ୍ଥା ଅନେକ ସମୟରେ ଦୁର୍ବଳ ପଡ଼ୁଛି । ଏହାକୁ ଦୃଷ୍ଟିରେ ରଖି ଗୁଗଲ୍ ଏହି ନୂଆ ପ୍ରଣାଳୀକୁ ଆଣିବା ପାଇଁ ପଦକ୍ଷେପ ନେଉଛି । କମ୍ପାନୀର ଲକ୍ଷ୍ୟ ହେଉଛି ପ୍ରକୃତ ବ୍ୟବହାରକାରୀ ଓ ନକଲି ବଟ୍‌ସକୁ ସହଜରେ ଚିହ୍ନଟ କରିବା ।

ଆଜିର ସମୟରେ ଅନେକ ୱେବସାଇଟ୍‌ରେ Captcha ଦେଖାଯାଏ । କେବେ ଟ୍ରାଫିକ୍ ଲାଇଟ୍ ବାଛିବାକୁ ପଡ଼େ, ତ କେବେ ଫଟୋ ଚିହ୍ନିବାକୁ ହୁଏ । କିନ୍ତୁ ନୂଆ QR କୋଡ୍ ବ୍ୟବସ୍ଥାରେ ମାତ୍ର ଗୋଟିଏ ସ୍କାନ୍‌ରେ ସମସ୍ତ ପ୍ରକ୍ରିୟା ସମ୍ପନ୍ନ ହୋଇଯିବ । ଏହାଦ୍ୱାରା ସମୟ ମଧ୍ୟ ବଞ୍ଚିବ ଓ ସୁରକ୍ଷା ବଢ଼ିବ ବୋଲି କୁହାଯାଉଛି ।

ଏହି ପ୍ରଣାଳୀ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି । ଗୁଗଲ୍ ପକ୍ଷରୁ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନଥିଲେ ମଧ୍ୟ ଆଗାମୀ ଦିନରେ କିଛି ୱେବସାଇଟ୍‌ରେ ପରୀକ୍ଷା ଆରମ୍ଭ ହୋଇପାରେ । ଯଦି ଏହି ପଦକ୍ଷେପ ସଫଳ ହୁଏ, ତେବେ ଆସନ୍ତା କିଛି ବର୍ଷରେ ଇଣ୍ଟରନେଟ ବ୍ୟବହାରର ଧାରା ପୂରାପୂରି ବଦଳିଯିବ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score