Explore

Search

May 24, 2026 4:04 am

ଗରମରେ ସିଜୁଛି ଭୁବନେଶ୍ୱର-ଗଞ୍ଜାମ : ଅଘୋଷିତ ବିଜୁଳି କାଟ୍ ବଢ଼ାଉଛି ଯନ୍ତ୍ରଣା

ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଅଘୋଷିତ ବିଦ୍ୟୁତ୍ କାଟ୍ ସାଧାରଣ ଲୋକଙ୍କ ଦୁର୍ଦ୍ଦଶାକୁ ଆହୁରି ବଢ଼ାଇ ଦେଇଛି । ତାତିରେ ଅସ୍ତବ୍ୟସ୍ତ ଲୋକେ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି । ବଲାଙ୍ଗିରରୁ ଭୁବନେଶ୍ୱର, କଟକରୁ ଗଞ୍ଜାମ ପ୍ରାୟ ସବୁଠି ସମାନ ଚିତ୍ର ଦେଖିବାକୁ ମିଳିଛି । କେଉଁଠି ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ୍ ହେଉଛି, ତ କେଉଁଠି ଅଧିକ ଲୋଡ୍ ଯୋଗୁଁ ଟ୍ରାନ୍ସଫର୍ମର ପୋଡ଼ି ଯାଉଛି ।

ଏହି ପରିସ୍ଥିତିକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ବିଦ୍ୟୁତ୍ ସମସ୍ୟାକୁ ନେଇ ଖୋଦ ଉପମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ପିକ୍ ଆୱାରରେ ଅଧିକ ଓଭରଲୋଡିଂ ଯୋଗୁଁ ପାୱାର କଟ୍ ଓ ଟ୍ରାନ୍ସଫର୍ମର ଫେଲ୍ୟୁର ହେଉଥିବା ସେ କହିଛନ୍ତି । ତେବେ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ୟାର ସମାଧାନ ପାଇଁ କାମ ଚାଲିଥିବାର ଆଶ୍ୱାସନା ଦିଆଯାଇଛି ।

ବଲାଙ୍ଗିର ସହରରେ ଗତ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଅଘୋଷିତ ବିଦ୍ୟୁତ୍ ବିଭ୍ରାଟକୁ ନେଇ ଲୋକଙ୍କ ଧୈର୍ଯ୍ୟ ଭାଙ୍ଗିପଡ଼ିଥିଲା । ଗୁରୁବାର ରାତିରେ ଶତାଧିକ ମହିଳା ଓ ପୁରୁଷ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିଲେ । ଲଳିତ ନଗର, ରାଜୀବ ନଗର ଓ ପେଲେଲାଇନ ଅଞ୍ଚଳର ବାସିନ୍ଦାମାନେ ବିଦ୍ୟୁତ୍ ଅଫିସ୍ ଘେରାଉ କରି ତୀବ୍ର ନାରାବାଜି କରିଥିଲେ ।

ଏହାସହ ବଲାଙ୍ଗିର ଆଦର୍ଶପଡ଼ା ଶୀତଳଭଣ୍ଡାର ନିକଟରେ ଗତ ରାତିରେ ଏକ ଟ୍ରାନ୍ସଫର୍ମରରେ ଅଗ୍ନିକାଣ୍ଡ ଘଟିଥିଲା । ଘଟଣାରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିବା ବେଳେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲା । କାଳବୈଶାଖୀ ପରେ ବିଭିନ୍ନ ସ୍ଥାନରେ ମରାମତି କାମ ଚାଲିଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା ବୋଲି ବଲାଙ୍ଗିର ବିଦ୍ୟୁତ୍ ବିଭାଗର ନିର୍ବାହୀ ଯନ୍ତ୍ରୀ କହିଛନ୍ତି ।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପରିସ୍ଥିତି ଚିନ୍ତାଜନକ ରହିଛି । ସତ୍ୟ ବିହାର ଅଞ୍ଚଳରେ ଅଧିକ ଲୋଡ୍ ସହିନପାରି ଏକ ଟ୍ରାନ୍ସଫର୍ମର ବ୍ଲାଷ୍ଟ ହୋଇ ପ୍ରାୟ ଘଣ୍ଟାଏ ଧରି ଜଳିଥିଲା । ଏଥିପାଇଁ ୫ରୁ ୬ ଘଣ୍ଟା ଧରି ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଥିବା ବେଳେ ଟୋଲ୍ ଫ୍ରି ନମ୍ବର କାମ କରୁନଥିବା ଅଭିଯୋଗ ମଧ୍ୟ ହୋଇଛି ।

ସେହିପରି କଟକ ସଦର ଫୁଲନଖରା ବିଦ୍ୟୁତ୍ ସେକ୍ସନରେ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବା ପରେ ଅଧିକାରୀମାନେ ଘଟଣାସ୍ଥଳକୁ ନଆସିବାରୁ ଲୋକେ ବିଦ୍ୟୁତ୍ ଅଫିସ୍‌ରେ ତାଲା ପକାଇ ଧାରଣା ଦେଇଥିଲେ ।

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଆଡାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଦ୍ୟୁତ୍ ନଥିବାରୁ ଅନ୍ଧାର ଭିତରେ ଚିକିତ୍ସା ସେବା ଚାଲୁଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି ।

ରାଜ୍ୟରେ ଘନଘନ ବିଦ୍ୟୁତ୍ ବିଭ୍ରାଟ ଓ ପ୍ରଚଣ୍ଡ ଗରମ ସାଧାରଣ ଜୀବନକୁ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ କରିଛି । ସରକାର ଓ ପ୍ରଶାସନ ପକ୍ଷରୁ ସମାଧାନର ଆଶ୍ୱାସନା ମିଳୁଥିଲେ ମଧ୍ୟ, କେବେ ସ୍ଥିତି ସ୍ୱାଭାବିକ ହେବ ସେଥିପାଇଁ ଲୋକେ ଅପେକ୍ଷାରେ ରହିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score