Explore

Search

March 12, 2026 12:43 am

ଗଞ୍ଜାମରେ ହେବ ଡିଫେନ୍ସ ଡ୍ରୋନ ଫ୍ୟାକ୍ଟ୍ରି

ବ୍ରହ୍ମପୁର : ଗଞ୍ଜାମରେ ଡ୍ରୋନ ଉତ୍ପାଦନ କେନ୍ଦ୍ର ସ୍ଥାପନ ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ପ୍ରତିରକ୍ଷା ଉପକରଣ ନିର୍ମାତା ସଂସ୍ଥା ‘ଆଇଜି ଡିଫେନ୍ସ’କୁ ୩୦ ଏକର ଜମି ଆବଣ୍ଟନ କରାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟର ଶିଳ୍ପ ଓ ପ୍ରତିରକ୍ଷା ଖାତାରେ ନୂଆ ଦିଗ ଖୋଲିବ ବୋଲି ଆଶା କରାଯାଉଛି ।

କମ୍ପାନୀର ଉପାଧ୍ୟକ୍ଷ ମେଜର ଜେନେରାଲ ରମେଶ ଚନ୍ଦ୍ର ପାଢ଼ୀ ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆସନ୍ତା ଦୁଇ ବର୍ଷ ମଧ୍ୟରେ କାରଖାନାର ନିର୍ମାଣ କାମ ସମାପ୍ତ ହେବ। ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟରେ ଏଠାରେ ଏକ ଆଧୁନିକ ମଲ୍ଟି -ଡ୍ରୋନ ଉତ୍ପାଦନ କେନ୍ଦ୍ର ସ୍ଥାପିତ ହେବ।

ଏହି କେନ୍ଦ୍ରରେ ଉଚ୍ଚସ୍ତରର ସୁବିଧା ସହ ଚାଳକବିହୀନ ଡ୍ରୋନ ଓ ଅନ୍ୟାନ୍ୟ ପ୍ରତିରକ୍ଷା ସାମଗ୍ରୀ ତିଆରି କରାଯିବ । ବିଶେଷ କରି ଯୁଦ୍ଧ ପରିସ୍ଥିତି ପାଇଁ ଆବଶ୍ୟକ ଉଚ୍ଚ କ୍ଷମତା ସମ୍ପନ୍ନ ଟାକ୍ଟିକାଲ ଡ୍ରୋନ ଏଠାରେ ଉତ୍ପାଦନ ହେବ ବୋଲି କମ୍ପାନି ପକ୍ଷରୁ ସୂଚନା ମିଳିଛି ।

ଏହି ପ୍ରକଳ୍ପ ରୂପାୟଣ ହେଲେ ଗଞ୍ଜାମ ଜିଲ୍ଲାରେ ନୂତନ ନିଯୁକ୍ତି ସୃଷ୍ଟି ସହିତ ଶିଳ୍ପ ଉନ୍ନତିକୁ ବୃଦ୍ଧି ମିଳିବ ବୋଲି ସମ୍ବନ୍ଧିତ ଆଶା ବ୍ୟକ୍ତ କରାଯାଇଛି ।

୨୦୧୮ ମସିହାରେ ସ୍ଥାପିତ ଆଇଜି ଡିଫେନ୍ସ ଏବେ ଦେଶର ପ୍ରତିରକ୍ଷା ଖାତାରେ ଏକ ଉଲ୍ଲେଖନୀୟ ନାମ ହୋଇଉଠିଛି । କମ୍ପାନୀର ପ୍ରଧାନ ଉତ୍ପାଦନ କେନ୍ଦ୍ର ଉତ୍ତର ପ୍ରଦେଶର ନୋଏଡାରେ ଅବସ୍ଥିତ ଅଛି। ଗତବର୍ଷ ଭାରତୀୟ ସେନାଙ୍କ ‘ଅପରେସନ ସିନ୍ଦୂର’ ପାଇଁ ସଂସ୍ଥା ପକ୍ଷରୁ କାମିକାଜେ ଓ ଏଫପିଭି (FPV) ଭଳି ଦୁଇ ପ୍ରକାରର ଆଧୁନିକ ଡ୍ରୋନ୍ ଯୋଗାଣ କରାଯାଇଥିଲା।

କମ୍ପାନୀ ତିଆରି କରିଥିବା ଡ୍ରୋନ ଓ କାଉଣ୍ଟର-ଡ୍ରୋନ ପ୍ରଣାଳୀ ବିଭିନ୍ନ ପରୀକ୍ଷାରେ ସଫଳ ସାବିତ ହୋଇଛି । ଏହାର କିଛି ପେଟେଣ୍ଟପ୍ରାପ୍ତ ଡ୍ରୋନ ପ୍ରଯୁକ୍ତିକୁ ଭାରତୀୟ ସେନା ଓ ନୌସେନାରେ ସମ୍ମିଳିତ କରାଯାଇଛି, ଯାହା କମ୍ପାନୀର ପ୍ରଯୁକ୍ତିଗତ କ୍ଷମତାକୁ ପ୍ରମାଣ କରୁଛି ।

ସମ୍ପ୍ରତି ଆଇଜି ଡିଫେନ୍ସକୁ ବିଭିନ୍ନ ସୁରକ୍ଷା ବାହିନୀ ପକ୍ଷରୁ ୫ ହଜାରରୁ ଅଧିକ ଏଫପିଭି କାମିକାଜେ ଷ୍ଟ୍ରାଇକର ଡ୍ରୋନ ଯୋଗାଇବା ପାଇଁ ବଡ଼ ଅର୍ଡର ମିଳିଥିବା ସୂଚନା ମିଳିଛି । କମ୍ପାନୀ ପକ୍ଷରୁ ରାଜ୍ୟ ସରକାରଙ୍କୁ ମୋଟ ୧୦୦ ଏକର ଜମି ଆବଣ୍ଟନ ପାଇଁ ଅନୁରୋଧ କରାଯାଇଥିଲା ।

ପ୍ରଥମ ପର୍ଯ୍ୟାୟରେ ୩୦ ଏକର ଜମି ଦେବାକୁ ଅନୁମୋଦନ ମିଳିଛି । କମ୍ପାନୀର ଉପାଧ୍ୟକ୍ଷ ମେଜର ଜେନେରାଲ ରମେଶ ଚନ୍ଦ୍ର ପାଢ଼ୀଙ୍କ କହିବା ଅନୁସାରେ, ୨୦୨୬-୨୭ ଆର୍ଥିକ ବର୍ଷରେ କମ୍ପାନୀର ବରାଦ ପରିମାଣ ୫୦୦ କୋଟି ଟଙ୍କା ପହଞ୍ଚିବାର ସମ୍ଭାବନା ରହିଛି । ପରବର୍ତ୍ତୀ ବର୍ଷରେ ଏହା ୨୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

ଏହା ରୂପାୟଣ ହେଲେ କମ୍ପାନୀ ସହ ରାଜ୍ୟର ଶିଳ୍ପ ଉନ୍ନତି ଓ ରୋଜଗାର ସୃଷ୍ଟିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡ଼ିବ ବୋଲି ମନ୍ତବ୍ୟ କରାଯାଉଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score