Explore

Search

May 21, 2026 5:09 am

ଗଞ୍ଜାମକୁ ସ୍ୱଚ୍ଛ କରିବାକୁ ଜିଲ୍ଲାପାଳଙ୍କ ନୂଆ ପଦକ୍ଷେପ, ଆରମ୍ଭ ହେଲା ‘ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ ଅଭିଯାନ

ଗଞ୍ଜାମ : ‘ମୁଁ ଶପଥ ନେଉଛି… ସ୍ୱଚ୍ଛତା ପ୍ରତି ସଦା ସଚେତନ ରହିବି… ପ୍ରତ୍ୟେକ ମଙ୍ଗଳବାର ଦୁଇ ଘଣ୍ଟା ଶ୍ରମଦାନ କରିବି… ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବି…।’ ଏହା କେବଳ ଏକ ବାର୍ତ୍ତା ନୁହେଁ, ବରଂ ସମଗ୍ର ଗଞ୍ଜାମକୁ ସ୍ୱଚ୍ଛ ଓ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନର ଏକ ନୂତନ ପ୍ରୟାସ । ଆଜିଠାରୁ ଜିଲ୍ଲାରେ ଆରମ୍ଭ ହୋଇଛି ‘ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ ଅଭିଯାନ । ଏହି ଅଭିଯାନରେ ସ୍ୱୟଂ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନ ରଙ୍ଗେଇଲୁଣ୍ଡା ବ୍ଲକର ଭାବିନିପୁର ପଞ୍ଚାୟତରେ ଯୋଗଦେଇ ଗଳିକନ୍ଦି ସଫା କରିଥିଲେ । ଏଥିସହ ଗାଁକୁ ସ୍ୱଚ୍ଛ ରଖିବା ପାଇଁ ସମସ୍ତଙ୍କୁ ଶପଥ ପାଠ କରାଯାଇଥିଲା ।

ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶନାରେ ଆରମ୍ଭ ହୋଇଥିବା ଏହି ଅଭିନବ କାର୍ଯ୍ୟକ୍ରମ ଅନୁସାରେ ପ୍ରତ୍ୟେକ ମଙ୍ଗଳବାର ଜିଲ୍ଲାର ୨୨ଟି ବ୍ଲକର ୫୦୩ଟି ପଞ୍ଚାୟତରେ ସଫେଇ ଅଭିଯାନ ଚାଲିବ । ଗ୍ରାମବାସୀମାନେ ସପ୍ତାହରେ କିଛି ସମୟ ନିଜ ଗାଁ ପାଇଁ ଦେବା ସହ ପ୍ଲାଷ୍ଟିକ ବ୍ୟବହାର କମାଇ ସ୍ୱଚ୍ଛ ପରିବେଶ ଗଢ଼ିବାର ସଂକଳ୍ପ ନେବେ ।

ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ‘ଶୂନ୍ୟ ପ୍ଲାଷ୍ଟିକ ଦୃଶ୍ୟମାନତା’ । ଅର୍ଥାତ ଗାଁ ଓ ସହରର ରାସ୍ତାଘାଟ, ନାଳ ଓ ସାର୍ବଜନୀନ ସ୍ଥାନରେ ପ୍ଲାଷ୍ଟିକ ଆବର୍ଜନା ଦେଖିବାକୁ ନମିଳୁ । ଏହା ସହିତ ସ୍ୱଚ୍ଛତା ପ୍ରତି ଜନସାଧାରଣଙ୍କ ମନରେ ସଚେତନତା ସୃଷ୍ଟି କରିବା ଓ ଗ୍ରାମାଞ୍ଚଳରେ ସ୍ୱଚ୍ଛ ପରିବେଶ ଗଢ଼ି ତୋଳିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛନ୍ତି ।

ଏହି ସ୍ୱଚ୍ଛତା ଅଭିଯାନରେ ସ୍ଥାନୀୟ ଲୋକ, ଯୁବବର୍ଗ, ଛାତ୍ରଛାତ୍ରୀ, ଜନପ୍ରତିନିଧି ଓ ବିଭିନ୍ନ ସମାଜସେବୀ ସଂଗଠନ ସାମିଲ ହୋଇଥିଲେ । ଭାବିନିପୁର ପଞ୍ଚାୟତ ବିଦ୍ୟାଳୟରେ ଆୟୋଜିତ ଶପଥପାଠ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ରେଜିଷ୍ଟ୍ରାର ଡଃ ଶ୍ୱେତ କୁମାର ଦାଶ, ରଙ୍ଗେଇଲୁଣ୍ଡା ବ୍ଲକ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟ ଓ ସରପଞ୍ଚ ରଞ୍ଜିତ କୁମାର ସାହୁ ଉପସ୍ଥିତ ରହି ସ୍ୱଚ୍ଛତା ପାଇଁ ଶପଥ ନେଇଥିଲେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score