ଭୁବନେଶ୍ୱର : ରାଜ୍ୟରେ ଏବେ ଗରମ ଓ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଥିବା ବେଳେ ଆସନ୍ତା କିଛି ଦିନ ପାଇଁ ପାଣିପାଗରେ ବଡ଼ ପରିବର୍ତ୍ତନର ସଙ୍କେତ ମିଳିଛି। ଗୋଟେ ପଟେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା, ବିଜୁଳି ଓ ଝଡ଼ ପବନର ସମ୍ଭାବନା ଥିବା ବେଳେ ଅନ୍ୟପଟେ ରଜ ପୂର୍ବରୁ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବେଶ କରିବା ନେଇ ଆଶା ବଢ଼ିଛି।
ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ଝଟକା ପବନ ବହିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ତିନି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
ପାଣିପାଗ ବିଭାଗ ସୂଚନା ଦେଇଛି ଯେ, ଆସନ୍ତା ୬ ଜୁନ ପର୍ଯ୍ୟନ୍ତ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ବିଶେଷ କରି ୫ ଓ ୬ ଜୁନରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା, ବିଜୁଳି ଓ ଝଡ଼ ପବନ ନେଇ ଚେତାବନୀ ଜାରି ହୋଇଛି।
ତେବେ ବର୍ଷାର ସମ୍ଭାବନା ଥିଲେ ମଧ୍ୟ ଗରମରୁ ତୁରନ୍ତ ଆଶ୍ୱସ୍ତି ମିଳିବ ନାହିଁ। ଆଗାମୀ ଚାରି ଦିନ ମଧ୍ୟରେ ରାଜ୍ୟର ସର୍ବାଧିକ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଆକଳନ କରାଯାଇଛି। ଏହାଫଳରେ ଦିନବେଳା ଗରମ ଓ ଆର୍ଦ୍ରତା ଜନିତ ଅସ୍ୱସ୍ଥତା ଜାରି ରହିବ।
ଏହି ସମୟରେ ମୌସୁମୀର ଗତିବିଧି ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି ଯେ, ୪ ଜୁନ ସୁଦ୍ଧା ମୌସୁମୀ କେରଳ ଉପକୂଳ ଛୁଇଁପାରେ। କେରଳ ଓ ତାମିଲନାଡୁର କିଛି ଅଞ୍ଚଳରେ ମୌସୁମୀର ଅଗ୍ରଗତି ପାଇଁ ପରିସ୍ଥିତି ଅନୁକୂଳ ରହିଛି।
ତେବେ ୭ରୁ ୧୦ ଜୁନ ମଧ୍ୟରେ ମୌସୁମୀ ପଶ୍ଚିମ ଭାରତର କିଛି ଅଂଶକୁ ଅଗ୍ରସର ହେବ ଏବଂ ଆରବ ସାଗର ଓ ବଙ୍ଗୋପସାଗର ଶାଖା ଅନୁକୂଳ ରହିଲେ ୧୩ରୁ ୧୬ ଜୁନ ମଧ୍ୟରେ ଓଡ଼ିଶାରେ ମୌସୁମୀ ପ୍ରବେଶ କରିପାରେ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
