Explore

Search

February 9, 2026 11:54 pm

କପଡାଗୁନ୍ଦା ସାଲ ଦେବ ଡଙ୍ଗରିଆ କନ୍ଧଙ୍କୁ ନୂଆ ପରିଚୟ : ସ୍ୱାବଲମ୍ବୀ ହେବେ ମହିଳା

ରାୟଗଡା : ରାୟଗଡା ଜିଲ୍ଲାରେ ବସବାସ କରୁଥିବା ବିରଳ ଜନଜାତି ଡଙ୍ଗରିଆ କନ୍ଧଙ୍କ ପରିଚୟକୁ ଅଲଗାରେ ଉଲ୍ଲେଖ କରିବାର ଆବଶ୍ୟକତା ନାହିଁ। ସେମାନଙ୍କ ଆସ୍ଥା ଓ ଜୀବନଶୈଳୀ ସହ ଗଭୀର ଭାବେ ଜଡିତ ନିୟମଗିରି ପାହାଡ ଅନ୍ତର୍ଜାତୀୟ ସ୍ତରରେ ପୂର୍ବରୁ ଏକ ସ୍ବତନ୍ତ୍ର ପରିଚୟ ଗଢ଼ି ନେଇଛି ।

ତଥାପି, ଏହି ପରିଚୟକୁ ଆହୁରି ସୁଦୃଢ଼ କରିବା ସହିତ ସେମାନଙ୍କ ପାରମ୍ପରିକ କଳା, ସଂସ୍କୃତି ଓ ଜୀବିକାକୁ ବ୍ୟବସାୟିକ ଭାବେ ଆଗେଇ ନେବା ପାଇଁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଣ୍ଟା ଭିଡ଼ିଛି । ଏହାରି ମାଧ୍ୟମରେ ଡଙ୍ଗରିଆ କନ୍ଧଙ୍କ ପାରମ୍ପରିକ ହସ୍ତଶିଳ୍ପକୁ ଜାତୀୟ ଓ ଅନ୍ତର୍ଜାତୀୟ ବଜାର ସହ ଯୋଡ଼ିବାର ପ୍ରୟାସ କରାଯାଉଛି ।

ଏହି କ୍ରମରେ ଡଙ୍ଗରିଆ କନ୍ଧଙ୍କ ସାଲ କପଡାଗୁନ୍ଦାକୁ ବୁଣିବା କାର୍ଯ୍ୟରେ ସ୍ଥାନୀୟ ଡଙ୍ଗରିଆ କନ୍ଧ ମହିଳାମାନଙ୍କୁ ପ୍ରୋତ୍ସାହନ ଦିଆଯିଆବ । ଯେଉଁଥିରେ ସେମାନେ ଆର୍ଥିକ ଭାବେ ସୁଦୃଢ଼ ହେବେ ବୋଲି ଏଭଳି ଏକ ଉଦ୍ଦେଶ୍ୟରେ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ଡଙ୍ଗରିଆ କନ୍ଧଙ୍କ ପାରମ୍ପରିକ କପଡାଗୁନ୍ଦାର ସ୍ବତନ୍ତ୍ର ଡିଜାଇନକୁ ଆଧାର କରି ବିଭିନ୍ନ ପ୍ରକାର ହସ୍ତଶିଳ୍ପ ସାମଗ୍ରୀ ନିର୍ମାଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଯାହାର କାର୍ଯ୍ୟାନ୍ବୟନ ଆରମ୍ଭ ହୋଇଛି । ଏହା ମାଧ୍ୟମରେ ଡଙ୍ଗରିଆ ମହିଳାମାନଙ୍କ ଆୟ ବୃଦ୍ଧି ସହିତ ସ୍ୱାବଳମ୍ବନର ପଥ ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଛି ।

ପୂର୍ବରୁ ତିନି ମାସର କଠିନ ପରିଶ୍ରମରେ ଗୋଟିଏ ସାଲ ପ୍ରସ୍ତୁତ ହେଉଥିବା ସତ୍ତ୍ୱେ ପାରିଶ୍ରମିକ ବାବଦରେ ଡଙ୍ଗରିଆ କନ୍ଧ ମହିଳାମାନଙ୍କ ଦେଉଥିବା ସମୟ ଓ ଶ୍ରମର ଯଥୋଚିତ ମୂଲ୍ୟ ମିଳୁନଥିଲା। ଏହାର ଫଳରେ ସେମାନେ ଡିଜାଇନିଂ ଓ ନୂତନ ରୂପାୟଣ ପାଇଁ ଅଧିକ ସମୟ ଦେବାରେ ଆଗ୍ରହ ଦେଖାଉନଥିଲେ।

ତେବେ ବର୍ତ୍ତମାନ ଡଙ୍ଗରିଆ ମହିଳାମାନଙ୍କୁ ଆତ୍ମନିର୍ଭର ଓ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଏକାଧିକ ପଦକ୍ଷେପ ଗ୍ରହଣ କରାଯାଇ ଏହାର ପ୍ରୟାସ ଆରମ୍ଭ ହୋଇଛି । ଏମାନଙ୍କର ହଳଦିଆ ସୂତାରେ ନିର୍ମିତ କପଡାଗୁନ୍ଦା ସାଲକୁ ଡଙ୍ଗରିଆ କନ୍ଧମାନେ ଶାନ୍ତି ଓ ମୈତ୍ରୀର ପ୍ରତୀକ ଭାବେ ଦେଖନ୍ତି । ସେହିପରି ସବୁଜ ରଙ୍ଗକୁ ଜୈବ ବିବିଧତା, ଓ ମାଟିଆ ରଙ୍ଗକୁ ଧରଣୀପେନୁ ଓ ଇଷ୍ଟଦେବୀଙ୍କ ପବିତ୍ର ପ୍ରତୀକ ଭାବେ ଗ୍ରହଣ କରାଯାଏ । ଏହି ପାରମ୍ପରିକ ସାଲ ସମୟକ୍ରମେ ଏବେ ସରକାରୀ ଓ ବେସରକାରୀ ଦୁହେଁ ପ୍ରକାର କାର୍ଯ୍ୟକ୍ରମରେ ଏକ ବିଶେଷ ଆକର୍ଷଣର କେନ୍ଦ୍ର ହୋଇଉଠିଛି।

ଏପରିକି ନିକଟରେ ସିଙ୍ଗାପୁରର ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସମୟରେ ସମସ୍ତ ଅତିଥିମାନଙ୍କୁ କପଡାଗୁନ୍ଦାର ପାରମ୍ପରିକ ଡିଜାଇନ ବ୍ୟବହୃତ ବ୍ୟାଗ ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା । ଯାହା ଏହି ହସ୍ତଶିଳ୍ପର ଲୋକପ୍ରିୟତାକୁ ଆହୁରି ବଢ଼ାଇଛି ।

ଏବେ କପଡାଗୁନ୍ଦା ସାଲ ବୁଣିବାକୁ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାରୁ ସୂତା ଓ କପଡ଼ା ସଂଗ୍ରହ କରି ଡଙ୍ଗରିଆ କନ୍ଧମାନଙ୍କୁ ପ୍ରଦାନ କରୁଛି। ଏହାସହ କୋରାପୁଟ ଜିଲ୍ଲାରୁ ଉଚ୍ଚ ଗୁଣମାନର କପଡ଼ା ଆଣି ଶୀଘ୍ର ଡଙ୍ଗରିଆ ମହିଳାମାନଙ୍କୁ ଯୋଗାଇବା ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଛି ବୋଲି ଜଣାପଡ଼ିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score