ଭୁବନେଶ୍ବର : ଓଡ଼ିଆ ସିନେମା ‘ବୋଉ ବୁଟୁ ଭୂତ’ ଜାତୀୟ ସ୍ତରରେ ବଡ଼ ସଫଳତା ହାସଲ କରିଛି । ମୁମ୍ବାଇରେ ହୋଇଥିବା ପ୍ରସିଦ୍ଧ INCA ଆୱାର୍ଡ ଉତ୍ସବରେ ଏହି ଫିଲ୍ମକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ସମ୍ମାନ ମିଳିଛି।
ଏହା ସହିତ, ଫିଲ୍ମର ନାୟକ ବାବୁସାନ ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତା ଓ ନାୟିକା ଅର୍ଚ୍ଚିତା ସାହୁଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ କରାଯାଇଛି । ପ୍ରଡ୍ୟୁସର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଲିଉଡ ଓ ଅନ୍ୟାନ୍ୟ ଫିଲ୍ମ ଶିଳ୍ପର ତାରକାମାନଙ୍କ ମଧ୍ୟରେ ଓଡ଼ିଆ ଫିଲ୍ମର ଏହି ସଫଳତା ବିଶେଷ ଆକର୍ଷଣ ସୃଷ୍ଟି କରିଛି।
ଏହି ଉପଲବ୍ଧି ଓଡ଼ିଶାର ଚଳଚ୍ଚିତ୍ର ଜଗତକୁ ଜାତୀୟ ମଞ୍ଚରେ ଆଉ ମଜବୁତ କରିଛି ଏବଂ ସମଗ୍ର ରାଜ୍ୟ ପାଇଁ ଗର୍ବର କାରଣ ହୋଇଛି ।
ସେହିପରି ଆଉ ଗୋଟିଏ ଚଳଚିତ୍ରକୁ ମଧ୍ୟ ସମ୍ମାନ ମିଳିଛି । ‘ଅନନ୍ତା’ ଚଳଚିତ୍ରର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ ତାଙ୍କ ପୁଅ କୁମାର ସି ଦେବ ମହାପାତ୍ରଙ୍କୁ ଶ୍ରେଷ୍ଠ ଓଡ଼ିଆ ନିର୍ଦେଶକ ଭାବେ ପୁରସ୍କୃତ କରାଯାଇଛି ।
ମଞ୍ଚରେ ଭାବବିହ୍ବଳ ତୃପ୍ତି
ଓଡ଼ିଆ ସିନେମା ଜଗତ ଏବେ ଜାତୀୟ ସ୍ତରରେ ନୂତନ ସଫଳତାର ଗାଥା ଲେଖିଛି । ଫିଲ୍ମର ପ୍ରଯୋଜିକା ଓ ବାବୁସାନଙ୍କ ସହଧର୍ମିଣୀ ତୃପ୍ତି ଶତପଥୀ ସମ୍ମାନ ଗ୍ରହଣ କରୁଥିବା ବେଳେ ମଞ୍ଚରେ ଅତ୍ୟନ୍ତ ଭାବୁକ ହୋଇଯାଇଥିଲେ । ‘ଜୟ ଜଗନ୍ନାଥ’ କହି ସେ ଏହି ସମ୍ମାନକୁ ଗ୍ରହଣ କରିଥିଲେ । ସେହି ମୁହୂର୍ତ୍ତରେ ବଲିଉଡର ପ୍ରସିଦ୍ଧ ନିର୍ମାତା କରଣ ଜୋହର ତାଙ୍କ ନିକଟକୁ ଆସି ଅଭିନନ୍ଦନ ଜଣାଇଥିଲେ ଓ ସଫଳତା ପାଇଁ ପ୍ରଶଂସା କରିଥିଲେ ।
ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ଭାବେ ବାବୁସାନ ମହାନ୍ତି ଓ ଅର୍ଚ୍ଚିତା ସାହୁ ସମ୍ମାନିତ ହୋଇଛନ୍ତି । ସେମାନେ ଏହି ପୁରସ୍କାରକୁ ଓଡ଼ିଶାର ଦର୍ଶକମାନଙ୍କୁ ଉତ୍ସର୍ଗ କରି କହିଥିଲେ ଯେ, ଓଡ଼ିଆ ସିନେମା ପ୍ରତି ଲୋକଙ୍କର ଆସ୍ଥା ଓ ସମର୍ଥନ ଏହି ସଫଳତାର ମୂଳ କାରଣ । “ବୋଉ ବୁଟୁ ଭୂତ” ଚଳଚ୍ଚିତ୍ରର ସମଗ୍ର ଦଳ ଏହି ଉପଲବ୍ଧିରେ ଖୁସି ପ୍ରକାଶ କରିଥିଲେ, ଏବଂ “ଜୟ ଜଗନ୍ନାଥ” ଧ୍ୱନିରେ ମଞ୍ଚ ମୁଖରିତ ହୋଇଯାଇଥିଲା। ଏହି ସଫଳତା ପାଇଁ ଟିମକୁ ଚାରିଦିଗରୁ ଅନେକ ଶୁଭେଚ୍ଛା ମିଳୁଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
