ଭୁବନେଶ୍ୱର : ଏଣିକି କାଗଜ ନୁହେଁ ଏଥର ପ୍ଲାଷ୍ଟିକ ନୋଟର ହେବ ବ୍ୟବହାର । ଆଗାମୀ ଦିନରେ ଭାରତରେ ପ୍ଲାଷ୍ଟିକ୍ କିମ୍ବା ପଲିମର ନୋଟ୍ର ପ୍ରଚଳନ ଆରମ୍ଭ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗୁରୁତ୍ୱ ସହ କାମ କରୁଥିବା ସୂଚନା ମିଳିଛି। ବିଭିନ୍ନ ରିପୋର୍ଟ ଅନୁଯାୟୀ, ପଲିମର ନୋଟର ବଢ଼ୁଥିବା ଆବଶ୍ୟକତା ଓ ଦୀର୍ଘସ୍ଥାୟୀ ସୁବିଧାକୁ ଦୃଷ୍ଟିରେ ରଖି RBI ଏହାର ସମ୍ଭାବନା ଉପରେ ଆଲୋଚନା ଆରମ୍ଭ କରିଛି।
ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ, ପାଟନା ଓ ମୁମ୍ବାଇରେ ହୋଇଥିବା RBIର ସମ୍ପ୍ରତିକ ବୋର୍ଡ ବୈଠକରେ ପଲିମର ନୋଟ୍ ପ୍ରଚଳନ ପ୍ରସ୍ତାବ ଉପରେ ଗଭୀର ଆଲୋଚନା ହୋଇଛି। କୁହାଯାଉଛି ଯେ, ଏହି ପ୍ଲାଷ୍ଟିକ୍ ନୋଟ୍ ଗୁଡ଼ିକ ସାଧାରଣ କାଗଜ ନୋଟ୍ ତୁଳନାରେ ଅଧିକ ସୁରକ୍ଷିତ ଓ କମ୍ ଖର୍ଚ୍ଚସାଧ୍ୟ ହେବ।
ବିଶେଷଜ୍ଞମାନଙ୍କ ମତରେ, ପଲିମର ନୋଟ୍ର ଆୟୁ କାଗଜ ନୋଟ୍ଠାରୁ ଅଧିକ ଥାଏ। ଏହା ସହଜରେ ଫାଟେ ନାହିଁ, ପାଣିରେ ନଷ୍ଟ ହୁଏ ନାହିଁ ଏବଂ ନକଲି ନୋଟ୍ ତିଆରିକୁ ମଧ୍ୟ ରୋକିପାରେ। ଏହାସହ ଏହି ନୋଟ୍ ATM ମେସିନ୍ରେ ମଧ୍ୟ ସୁବିଧାଜନକ ଭାବେ ବ୍ୟବହାର ହୋଇପାରିବ ବୋଲି ଆଶା କରାଯାଉଛି।
ରିପୋର୍ଟ ଅନୁଯାୟୀ, RBI ପଲିମର ନୋଟ୍ ପାଇଁ ଏକ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରିବା ଯୋଜନା ମଧ୍ୟ ପ୍ରସ୍ତୁତ କରୁଛି। ଆଗାମୀ କିଛି ମାସ ମଧ୍ୟରେ ଏନେଇ ଔପଚାରିକ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି।
RBIର ୨୦୨୫ ଆର୍ଥିକ ବର୍ଷର ବାର୍ଷିକ ରିପୋର୍ଟ ଅନୁଯାୟୀ, କାଗଜ ନୋଟ୍ ଛାପିବାର ଖର୍ଚ୍ଚ ଗତ କିଛି ବର୍ଷରେ ଲକ୍ଷଣୀୟ ଭାବେ ବଢ଼ିଛି। ୨୦୨୪ରେ ଯେଉଁଠାରେ ଏହି ଖର୍ଚ୍ଚ ୫,୧୦୧ କୋଟି ଟଙ୍କା ଥିଲା, ସେଥିରୁ ୨୦୨୫ରେ ଏହା ବୃଦ୍ଧି ପାଇ ୬,୩୭୨ କୋଟି ଟଙ୍କାକୁ ପହଞ୍ଚିଛି। ଏହାସହ ପ୍ରାୟ ୨୩.୮ ଖରାପ ନୋଟ୍ ପ୍ରତ୍ୟାହାର କରାଯାଇଥିବା ବେଳେ ଏହା ପୂର୍ବବର୍ଷ ତୁଳନାରେ ଅଧିକ।
ଏହି ପରିସ୍ଥିତିରେ ପଲିମର ନୋଟ୍ ଭାରତର ମୁଦ୍ରା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିପାରେ ବୋଲି ଆଲୋଚନା ଚାଲିଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
