Explore

Search

May 26, 2026 11:10 pm

ଉତ୍ସବମୁଖର ହେବ ଛତ୍ରପୁର : ସୁସ୍ୱାଦୁ ଖାଦ୍ୟ ସହ ପଲ୍ଲୀଶ୍ରୀ ମେଳାର ଭରପୁର ଆନନ୍ଦ ଉଠାଇବେ ଦର୍ଶକ

ଛତ୍ରପୁର : ଆଉ ମାତ୍ର ୬ ଦିନ, ଏହାପରେ କମ୍ପିବ ଛତ୍ରପୁର । ଚଳିତ ମାସ ୪ ତାରିଖ ଠାରୁ ଛତ୍ରପୁରରେ ଆରାଧ୍ୟ ଦେବୀ ମା’ ରାମାୟଣାମ୍ମା ଠାକୁରାଣୀ ଯାତ୍ରା ମେ’ ୪ ତାରିଖରୁ ଭକ୍ତିମୟ ପରିବେଶ ମଧ୍ୟରେ ଚାଲୁଥିବା ବେଳେ, ଏହାକୁ ଆହୁରି ଆକର୍ଷଣୀୟ ଓ ଜନମୁଖୀ କରିବା ପାଇଁ ଚଳିତ ବର୍ଷ “ଛତ୍ରପୁର ମହୋତ୍ସବ” ସ୍ଥାନୀୟ ଷ୍ଟାଡିୟମ ପରିସରରେ ଆୟୋଜିତ ହେବ। ଏନେଇ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।

ଆସନ୍ତା ଜୁନ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବରେ ପରମ୍ପରା, କୃଷି, ସଂସ୍କୃତି ଓ ସରକାରୀ ଯୋଜନାର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳିବ। ଚଳିତ ବର୍ଷ ମହୋତ୍ସବର ମୁଖ୍ୟ ଆକର୍ଷଣ ଭାବେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ସହିତ ଛତ୍ରପୁର ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆୟୋଜନ କରାଯିବ। ଚାଷୀମାନଙ୍କ ପାଇଁ ନୂତନ କୃଷି ପ୍ରଯୁକ୍ତି, ଆଧୁନିକ ଯନ୍ତ୍ରପାତି ଓ ବିଭିନ୍ନ ସରକାରୀ ସହାୟତା ବିଷୟରେ ସଚେତନତା ସୃଷ୍ଟି କରାଯିବ।

ଏହାସହ ଓରମାସ, ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି, ସୁଭଦ୍ରା ଶକ୍ତି ଓ ବିଭିନ୍ନ ଲାଇନ ବିଭାଗର ସମନ୍ୱୟରେ ପ୍ରାୟ ୧୫୦ଟି ଷ୍ଟଲ ଖୋଲାଯିବ। ଏହି ଷ୍ଟଲଗୁଡ଼ିକ ମାଧ୍ୟମରେ ଲୋକମାନେ ସରକାରୀ ଯୋଜନା, ସ୍ୱୟଂରୋଜଗାର, ମହିଳା ସଶକ୍ତିକରଣ, କୃଷି, ପଶୁପାଳନ ଓ ଜୀବିକା ଉନ୍ନୟନ ସମ୍ପର୍କିତ ବିଭିନ୍ନ ସୂଚନା ପାଇପାରିବେ।

ମହୋତ୍ସବକୁ ଆହୁରି ରଙ୍ଗିନ କରିବା ପାଇଁ ୩୦ଟି ସାଂସ୍କୃତିକ ଦଳ ଦ୍ୱାରା ନୃତ୍ୟ, ସଙ୍ଗୀତ ଓ ଲୋକକଳା କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସରକାରୀ ଯୋଜନା ଓ ସାମାଜିକ ସଚେତନତାକୁ ଲୋକକଳା ମାଧ୍ୟମରେ ସାଧାରଣ ଲୋକଙ୍କ ପାଖକୁ ପହଞ୍ଚାଇବାକୁ ମଧ୍ୟ ବିଶେଷ ପ୍ରୟାସ କରାଯିବ।

ଜିଲ୍ଲାପାଳ ବୈଠକରେ ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ପାନୀୟଜଳ, ଅଗ୍ନିନିରାପତ୍ତା ଓ ଆଇନ-ଶୃଙ୍ଖଳା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ସମ୍ବନ୍ଧିତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମହୋତ୍ସବ ସମୟରେ ସୁଚାରୁ ପରିଚାଳନା ପାଇଁ ପୋଲିସ ମୁତୟନ ବ୍ୟବସ୍ଥା ମଧ୍ୟ କରାଯିବ।

ଏହି ପ୍ରସ୍ତୁତି ବୈଠକରେ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁ, ତହସିଲଦାର ଦିବ୍ୟା ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟ, ଓରମାସ ଡେପୁଟି ସିଇଓ ଡ଼ଃ ରାଜଗୋପାଳ ଦାଶ, ଓଡ଼ିଶା ଜୀବିକା ମିଶନର ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ରଥ, ମିଶନ ଶକ୍ତିର ଜିଲ୍ଲା ସଂଯୋଜକ ଜୟକୃଷ୍ଣ ମହାପାତ୍ରଙ୍କ ସମେତ ପୋଲିସ, ଫାୟାର, ଟାଟା ପାୱାର, କୃଷି, ମତ୍ସ୍ୟ, ଉଦ୍ୟାନ, ପ୍ରାଣୀ ସମ୍ପଦ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score