ନୂଆଦିଲ୍ଲୀ : ବଢୁଥିବା ବୈଶ୍ୱିକ ଅନିଶ୍ଚିତତା ଓ ପଶ୍ଚିମ ଏସିଆର ତୀବ୍ର ପରିସ୍ଥିତି ମଧ୍ୟରେ ଦେଶରେ ଇନ୍ଧନ ସଞ୍ଚୟକୁ ନେଇ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି । ଦେଶବାସୀଙ୍କୁ ପେଟ୍ରୋଲ୍ ଓ ଡିଜେଲ୍ର ବ୍ୟବହାର କମାଇବା ସହ ସର୍ବସାଧାରଣ ପରିବହନକୁ ଅଧିକ ଆପଣାଇବାକୁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଆହ୍ୱାନ କରିଛନ୍ତି । କେବଳ ଅପିଲରେ ସୀମିତ ନରହି ସେ ନିଜେ ମଧ୍ୟ ଏହାର ଉଦାହରଣ ସୃଷ୍ଟି କରିଛନ୍ତି ।
ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀଙ୍କ କାରକେଡ୍ରେ ଚାଲୁଥିବା ଗାଡ଼ି ସଂଖ୍ୟାକୁ ପ୍ରାୟ ୫୦ ପ୍ରତିଶତ ପର୍ଯ୍ୟନ୍ତ କମାଇ ଦିଆଯାଇଛି । ଏନେଇ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍କୁ ଆବଶ୍ୟକ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଭଦୋଦରା ଓ ଗୌହାଟିର କାର୍ଯ୍ୟକ୍ରମ ସମୟରେ ଏହି ପରିବର୍ତ୍ତନ ପ୍ରଥମେ ଦେଖିବାକୁ ମିଳିଥିଲା ।
କାରକେଡରେ ପର୍ଯ୍ୟାୟକ୍ରମେ ବିଦ୍ୟୁତ୍ ଚାଳିତ ଗାଡ଼ିର ବ୍ୟବହାର ବଢ଼ାଇବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ତେବେ ଏହା ପାଇଁ ତୁରନ୍ତ ନୂଆ ଗାଡ଼ି କ୍ରୟ କରାଯିବ ନାହିଁ ବୋଲି ସୂତ୍ରରୁ ଜଣାପଡ଼ିଛି ।
ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦି କହିଛନ୍ତି ଯେ, କୋଭିଡ୍ ସମୟରେ ଲୋକମାନେ ଘରୁ କାମ, ଅନଲାଇନ୍ ବୈଠକ ଓ ଭିଡିଓ ସମ୍ମିଳନୀ ପରି ବ୍ୟବସ୍ଥାକୁ ସଫଳତାର ସହ ଅନୁସରଣ କରିଥିଲେ । ଏବେ ପୁଣି ଆବଶ୍ୟକତା ଅନୁଯାୟୀ ସେହି ପଦକ୍ଷେପ ଗୁଡ଼ିକୁ ଅନୁସରଣ କରି ଇନ୍ଧନ ସଞ୍ଚୟରେ ସହଯୋଗ କରିବାକୁ ସେ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନ ପରେ ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଗୁଜରାଟ ସହ ବିଭିନ୍ନ ରାଜ୍ୟରେ ପ୍ରଶାସନ ସତର୍କ ହୋଇଛି । ଅନେକ ସରକାରୀ ବିଭାଗରେ ଗାଡ଼ି ବ୍ୟବହାର କମାଇବା ଓ ସର୍ବସାଧାରଣ ପରିବହନକୁ ପ୍ରୋତ୍ସାହନ ଦେବା ଲାଗି ପଦକ୍ଷେପ ନିଆଯାଉଛି ।
ସରକାରଙ୍କ ମତରେ, ପ୍ରତ୍ୟେକ ନାଗରିକ ଛୋଟ ଛୋଟ ପଦକ୍ଷେପ ନେଲେ ଦେଶ ବଡ଼ ଚ୍ୟାଲେଞ୍ଜକୁ ସହଜରେ ମୁକାବିଲା କରିପାରିବ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
