Explore

Search

May 15, 2026 11:24 pm

ଇନ୍ଧନ ଦରରେ ବଡ଼ ଝଟକା : ଆଜିଠୁ ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ୍

ଭୁବନେଶ୍ୱର : ଦେଶରେ ପୁଣିଥରେ ବଢ଼ିଲା ପେଟ୍ରୋଲ, ଡିଜେଲ ଓ CNG ଦର । ଲଗାତାର ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଓ ମଧ୍ୟପ୍ରାଚ୍ୟର ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ସିଧାସଳଖ ଭାବେ ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡ଼ିଛି । ଦେଶର ବିଭିନ୍ନ ସହରରେ ପେଟ୍ରୋଲ ଲିଟର ପିଛା ପ୍ରାୟ ୩ ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦରରେ ମଧ୍ୟ ୩ ଟଙ୍କା ୧୧ ପଇସା ପର୍ଯ୍ୟନ୍ତ ବୃଦ୍ଧି ଘଟିଛି । ସେହିପରି CNG ଦରରେ ମଧ୍ୟ ୨ ଟଙ୍କା ବୃଦ୍ଧି ହୋଇଥିବାରୁ ପରିବହନ ଖର୍ଚ୍ଚ ଆହୁରି ବଢ଼ିବାର ସମ୍ଭାବନା ଦେଖାଦେଇଛି ।

ଦିଲ୍ଲୀରେ ପେଟ୍ରୋଲ ଦର ଏବେ ଲିଟର ପିଛା ୯୭ ଟଙ୍କା ୭୭ ପଇସାକୁ ପହଞ୍ଚିଥିବା ବେଳେ ଡିଜେଲ ଦର ୯୯ ଟଙ୍କା ୬୭ ପଇସାରେ ପହଞ୍ଚିଛି । ତେଲ କମ୍ପାନୀ ଗୁଡ଼ିକ କହିଛନ୍ତି ଯେ, ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଉଚ୍ଚ ମୂଲ୍ୟ କାରଣରୁ ସେମାନଙ୍କର ଲାଭ ହ୍ରାସ ପାଉଛି ଏବଂ ପ୍ରତିମାସ ପ୍ରାୟ ୩୦ ହଜାର କୋଟି ଟଙ୍କା କ୍ଷତି ହେଉଛି ।

ଦେଶର ବିଭିନ୍ନ ମହାନଗରରେ ଇନ୍ଧନ ଦର ବୃଦ୍ଧି ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ହୋଇପଡ଼ିଛି । କୋଲକାତାରେ ପେଟ୍ରୋଲ ଦର ସର୍ବାଧିକ ୩ ଟଙ୍କା ୨୯ ପଇସା ବୃଦ୍ଧି ପାଇ ଲିଟର ପିଛା ୧୦୮ ଟଙ୍କା ୭୪ ପଇସାକୁ ପହଞ୍ଚିଛି । ମୁମ୍ବାଇରେ ପେଟ୍ରୋଲ ଦର ୩ ଟଙ୍କା ୧୪ ପଇସା ବଢ଼ି ୧୦୬ ଟଙ୍କା ୬୮ ପଇସା ହୋଇଥିବା ବେଳେ ଚେନ୍ନାଇରେ ଏହା ୨ ଟଙ୍କା ୮୩ ପଇସା ବୃଦ୍ଧି ପାଇ ୧୦୩ ଟଙ୍କା ୬୭ ପଇସାରେ ପହଞ୍ଚିଛି ।

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ଦର ୧୦୪ ଟଙ୍କା ପାର କରିଥିବାରୁ ସାଧାରଣ ଲୋକ ଚିନ୍ତାରେ ପଡ଼ିଛନ୍ତି। ପ୍ରତିଦିନ କାର୍ଯ୍ୟାଳୟ ଯାଉଥିବା କର୍ମଚାରୀ ଓ ବ୍ୟବସାୟୀମାନେ ଏହି ବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ।

ଡିଜେଲ ଦରରେ ମଧ୍ୟ ସମାନ ଭାବରେ ବୃଦ୍ଧି ଘଟିଛି । କୋଲକାତାରେ ଡିଜେଲ ଲିଟର ପିଛା ୩ ଟଙ୍କା ୧୧ ପଇସା ବଢ଼ି ୯୫ ଟଙ୍କା ୧୩ ପଇସାରେ ପହଞ୍ଚିଛି । ମୁମ୍ବାଇରେ ଏହା ୯୩ ଟଙ୍କା ୧୪ ପଇସା ହୋଇଥିବା ବେଳେ ଚେନ୍ନାଇରେ ଡିଜେଲ ଦର ୯୫ ଟଙ୍କା ୨୫ ପଇସାକୁ ବୃଦ୍ଧି ପାଇଛି ।

ଭୁବନେଶ୍ୱରରେ ଡିଜେଲ ଦର ୩ ଟଙ୍କା ୧୧ ପଇସା ବୃଦ୍ଧି ପରେ ୯୫ ଟଙ୍କା ୮୭ ପଇସାରେ ପହଞ୍ଚିଛି । ଡିଜେଲ ଦର ବୃଦ୍ଧିର ସବୁଠାରୁ ବଡ଼ ପ୍ରଭାବ ପରିବହନ କ୍ଷେତ୍ରରେ ପଡ଼ିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଟ୍ରକ, ବସ୍ ଓ ବାଣିଜ୍ୟିକ ଯାନର ଖର୍ଚ୍ଚ ବଢ଼ିବା ଫଳରେ ପନିପରିବା, କ୍ଷୀର, ରୋଷେଇ ସାମଗ୍ରୀ ଓ ଦୈନିକ ବ୍ୟବହାର ଜିନିଷର ଦର ଆହୁରି ବଢ଼ିପାରେ ।

ଅନ୍ୟପଟେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଲଗାତାର ବଢ଼ିବା ଭାରତ ପାଇଁ ଚିନ୍ତାର କାରଣ ହୋଇଛି । ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଓ ଇରାନ ସମ୍ପର୍କିତ ଯୁଦ୍ଧ ଯୋଗୁଁ ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟ ୧୦୭ ଡଲାରରୁ ଅଧିକରେ କାରବାର ହେଉଛି । ଗତ କିଛି ମାସ ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟ ପ୍ରାୟ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା କୁହାଯାଉଛି ।

ଭାରତ ତାହାର ପ୍ରାୟ ୯୦ ପ୍ରତିଶତ ଅଶୋଧିତ ତୈଳ ବିଦେଶରୁ ଆମଦାନୀ କରୁଥିବାରୁ ଏହି ପରିସ୍ଥିତି ଦେଶର ଅର୍ଥନୀତି ଉପରେ ସିଧା ପ୍ରଭାବ ପକାଉଛି । ବିଶେଷକରି ହର୍ମୁଜ୍ ପ୍ରଣାଳୀରେ ଯାତାୟାତ ବାଧାପ୍ରାପ୍ତ ହେବାରୁ ବିଶ୍ୱ ତୈଳ ଯୋଗାଣର ପ୍ରାୟ ୨୦ ପ୍ରତିଶତ ପ୍ରଭାବିତ ହୋଇଛି । ଏହାର ପରିଣାମ ସ୍ୱରୂପ ଆଗାମୀ ଦିନରେ ଇନ୍ଧନ ଦର ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score