ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ପର୍ବ ‘ଆଡ଼ପ ବିଜେ’ ନୀତି ଆଜି ଅନୁଷ୍ଠିତ ହେବ। ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥିତ ଜନ୍ମବେଦୀ ବା ଆଡ଼ପ ମଣ୍ଡପକୁ ସନ୍ଧ୍ୟା ସମୟରେ ଗୋଟି ପହଣ୍ଡିରେ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ କାଳିଆ ସାଆନ୍ତ ଶ୍ରୀଜଗନ୍ନାଥ ଭବ୍ୟ ପହଣ୍ଡିରେ ଜନ୍ମବେଦୀକୁ ପ୍ରବେଶ କରିବେ।
ରଥଯାତ୍ରା ସମୟରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ବିରାଜମାନ ହେବାର ବିଶେଷ ଧାର୍ମିକ ମହତ୍ତ୍ୱ ରହିଛି। ପୁରାଣ ଅନୁଯାୟୀ, ଏହି ସ୍ଥାନକୁ ମହାପ୍ରଭୁଙ୍କ ଜନ୍ମବେଦୀ ବୋଲି ମାନ୍ୟତା ମିଳିଛି। ଏଠାରେ ଦର୍ଶନ କଲେ ଅନେକ ଯଜ୍ଞ, ତୀର୍ଥ ଓ ପୂଜାର ଫଳ ଲାଭ ହୁଏ ବୋଲି ଭକ୍ତମାନଙ୍କ ଗଭୀର ବିଶ୍ୱାସ ରହିଛି। ସେଥିପାଇଁ ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁ ଆଡ଼ପ ଦର୍ଶନ ପାଇଁ ପୁରୀରେ ସମବେତ ହୁଅନ୍ତି।
ଏବେ ଶରଧାବାଲିରେ ରଥାରୂଢ଼ ଅବସ୍ଥାରେ ତିନି ରଥରେ ବିରାଜମାନ ଅଛନ୍ତି ମହାପ୍ରଭୁ। ତାଙ୍କ ଦିବ୍ୟ ଦର୍ଶନ ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଅପାର ଭିଡ଼ ଦେଖିବାକୁ ମିଳୁଛି। ଅନୁକୂଳ ପାଗ ଓ ସୁଚାରୁ ପରିଚାଳନା ଯୋଗୁଁ ହଜାର ହଜାର ଭକ୍ତ ଶୃଙ୍ଖଳିତ ଭାବେ ଦର୍ଶନ କରୁଛନ୍ତି। ଭକ୍ତମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ୱାନ୍ ୱେ ଦର୍ଶନ ବ୍ୟବସ୍ଥା, ବ୍ୟାରିକେଡ୍, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଏବଂ ପୁଲିସ ମୁତୟନ ଭଳି ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଗତକାଲି ରଥ ଉପରେ ଗୋପାଳବଲ୍ଲଭ, ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ, ବଡ଼ସିଂହାର ବେଶ ଏବଂ ପହୁଡ଼ ନୀତି ସଫଳତାର ସହ ସମ୍ପନ୍ନ ହୋଇଥିଲା। ଆଜି ଭୋରରୁ ମଙ୍ଗଳ ଆଳତି, ଅବକାଶ, ଗୋପାଳବଲ୍ଲଭ, ସକାଳ ଧୂପ, ଯାତ୍ରାଙ୍ଗି ମହାସ୍ନାନ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ନୀତି ପରେ ଚାରମାଳ ବନ୍ଧା, ପୁଷ୍ପାଞ୍ଜଳି ଓ ଡୋର ଲାଗି ନୀତି ସମ୍ପନ୍ନ ହେବ। ଏହାପରେ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ଆଡ଼ପ ବିଜେ ପହଣ୍ଡି।
ଆସନ୍ତାକାଲିଠାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କୁ ସୁଯୋଗ ମିଳିବ। ଆଡ଼ପ ଦର୍ଶନ ରଥଯାତ୍ରାର ସବୁଠାରୁ ପବିତ୍ର ଓ ଆଧ୍ୟାତ୍ମିକ ମୁହୂର୍ତ୍ତମାନଙ୍କ ମଧ୍ୟରୁ ଗୋଟିଏ ବୋଲି ଗଣାଯାଏ। ତେଣୁ ଏହି ଅବସରକୁ ନେଇ ପୁରୀ ଧାମରେ ଭକ୍ତି, ଉତ୍ସାହ ଓ ଆଧ୍ୟାତ୍ମିକ ପରିବେଶ ଅଧିକ ଉଜ୍ଜ୍ୱଳ ହୋଇଉଠିଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
