Explore

Search

July 14, 2026 8:56 pm

ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ : ଭକ୍ତିରେ ଭାବବିହୁଳ ଭକ୍ତ

ଭୁବନେଶ୍ୱର : ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ । ଏହି ପବିତ୍ର ନେତ୍ରୋତ୍ସବ ଅବସରରେ ଭକ୍ତମାନଙ୍କୁ ଦିବ୍ୟ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ତେବେ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଆଗମନ ହେବାରେ ଲାଗିଛି । ସେପଟେ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସ୍ନାନ ପୂର୍ଣ୍ଣିମା ପରେ ଅସୁସ୍ଥ ହୋଇଥିବା ବିଶ୍ୱନିୟନ୍ତା ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ସୁଦର୍ଶନ ଅଣସର ଗୃହରେ ଗୁପ୍ତ ଚିକିତ୍ସା ନୀତି ସମ୍ପନ୍ନ କରିଥିଲେ । ଆଜି ମହାପ୍ରଭୁଙ୍କ ଏହି ଦୁର୍ଲଭ ରୂପ ଦର୍ଶନ କରିବାକୁ ଶ୍ରୀକ୍ଷେତ୍ରକୁ ଛୁଟିଛି ଭକ୍ତଙ୍କ ସୁଅ ।

ନୀତି ନିର୍ଘଣ୍ଟ ଅନୁଯାୟୀ, ସକାଳୁ ଦତ୍ତ ମହାପାତ୍ର ସେବକମାନେ ବନକଲାଗି ନୀତି ସମ୍ପନ୍ନ କରିଛନ୍ତି । ପାରମ୍ପରିକ ପ୍ରାକୃତିକ ରଙ୍ଗ ଓ ଔଷଧୀୟ ଉପାଦାନ ବ୍ୟବହାର କରି ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁସଜ୍ଜିତ କରାଯାଇଛି । ଶ୍ରୀଜିଉଙ୍କ ଏହି ଦିବ୍ୟ ରୂପ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ଲାଗି ରହିଛି।

ଅନ୍ୟପଟେ, ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ରଥଖଳାରେ ଚାଲିଛି ଜୋରଦାର ପ୍ରସ୍ତୁତି। ପ୍ରାୟ ୨୪୦ରୁ ଅଧିକ ରଥ ନିର୍ମାଣ ସେବକଙ୍କ ନିଷ୍ଠା ଓ ପରିଶ୍ରମରେ ତିନି ରଥର ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ରଥରେ ପ୍ରଭା ସ୍ଥାପନ, କନା ପକାଇବା ଏବଂ ଅନ୍ୟାନ୍ୟ ସଜସଜ୍ଜା କାର୍ଯ୍ୟ ପ୍ରାୟ ସମ୍ପୂର୍ଣ୍ଣ ହୋଇସାରିଛି । ଚିତ୍ରକାର ସେବକମାନେ ରଥର ବିଭିନ୍ନ ଅଂଶରେ ଶେଷ ରଙ୍ଗ ଲଗାଇବା କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି।

ରଥଯାତ୍ରାକୁ ନେଇ ସମଗ୍ର ପୁରୀ ସହର ଉତ୍ସବମୁଖର ହୋଇଉଠିଛି । ଶ୍ରୀମନ୍ଦିର ଚାରିପାଖରେ ବଡଦାଣ୍ଡ ଏବଂ ଗୁଣ୍ଡିଚା ମନ୍ଦିର ଅଞ୍ଚଳରେ ଭକ୍ତଙ୍କ ସୁବିଧା ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନ ସହିତ ଦେଶ ଓ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀ ଆସୁଥିବାରୁ ସହରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

ଏହାସହ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ରଥଯାତ୍ରାର ବିଭିନ୍ନ ପ୍ରସ୍ତୁତି ଓ ପରିଚାଳନା ବ୍ୟବସ୍ଥା ନେଇ ସମୀକ୍ଷା କରାଯାଇଥିଲା।

ଚଳିତ ବର୍ଷର ରଥଯାତ୍ରାକୁ ସୁରକ୍ଷିତ, ଶୃଙ୍ଖଳିତ ଓ ଭକ୍ତମାନଙ୍କ ପାଇଁ ସୁଗମ କରିବା ଲକ୍ଷ୍ୟରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା, ସ୍ୱାସ୍ଥ୍ୟସେବା, ପାନୀୟ ଜଳ ଏବଂ ଜରୁରୀକାଳୀନ ସହାୟତା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରଖାଯାଇଛି। ମହାପ୍ରଭୁଙ୍କ ରଥାରୋହଣ ଏବଂ ରଥଟଣାର ଏହି ମହାପର୍ବକୁ ନେଇ ଏବେ ସମଗ୍ର ଓଡ଼ିଶାରେ ଭକ୍ତି ଓ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score