Explore

Search

February 10, 2026 12:05 am

ଆଜିଠୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା : ମା’ ତାରା-ତାରିଣୀଙ୍କ ପୀଠରୁ ହେଲା ଶୁଭାରମ୍ଭ

ବ୍ରହ୍ମପୁର : ଆଜିଠୁ ସମଗ୍ର ରାଜ୍ୟରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା । ଗଞ୍ଜାମର ମା’ ତାରା-ତାରିଣୀଙ୍କ ପୀଠରୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। ମହିଳା ଓ ଶିଶୁକଲ୍ୟାଣ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ଯୋଜନାରେ ୧୮ରୁ ୩୫ ବର୍ଷ ବୟସ ପର୍ଯ୍ୟନ୍ତ ଝିଅମାନେ ଓ ୨୧ରୁ ୩୫ ବର୍ଷ ବୟସ ପର୍ଯ୍ୟନ୍ତ ପୁଅମାନେ ସାମିଲ ହେବାର ସୁଯୋଗ ପାଇବେ। ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ଲାଭାର୍ଥୀଙ୍କୁ ୬୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ।

ଗଞ୍ଜାମ ଜିଲ୍ଲାର ମା’ ତାରାତାରିଣୀ ପୀଠରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ଼ରେ ମୁଖ୍ୟମନ୍ତ୍ରୀ ଦିନ ସାଢେ ୧୧ଟାରେ ପହଞ୍ଚି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ସହ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ, ପ୍ରତ୍ୟେକ ଯୋଗ୍ୟ କନ୍ୟାଙ୍କୁ ବିବାହରେ ସହଯୋଗ ମିଳିବ । ଏହାସହ ପରିବାରର ଆର୍ଥିକ ବୋଝ କମାଇବା ପାଇଁ ସରକାରଙ୍କ ତରଫରୁ ମିଳିବ ୫୧ ହଜାର ଟଙ୍କାର ଆର୍ଥିକ ସହୟତା । ଏହି ଯୋଜନା ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ । ୨୦୨୫-୨୬ ରୁ ୨୦୨୯-୩୦ ବର୍ଷ ପର୍ଯ୍ୟନ୍ତ ଯୋଜନା ଚାଲୁ ରହିବ ।

ବିବାହ ପାଇଁ କନ୍ୟାକୁ ମିଳିବ ୫୧ ହଜାର ଟଙ୍କାର ସହାୟତା ରାଶି । ସେ ଟଙ୍କାରୁ ୩୫ ହଜାର ଟଙ୍କା ଡିବିଟି ମାଧ୍ୟମରେ ସିଧା ଆକାଉଣ୍ଟକୁ ଯିବ। ବିବାହ ଉପହାର ପାଇଁ ୧୦ ହଜାର ଟଙ୍କା ଓ ଆୟୋଜନ ପାଇଁ ସଂସ୍ଥାକୁ ମିଳିବ ୬ ହଜାର ଟଙ୍କା । ଏହି ଗିଫ୍ଟ ପ୍ୟାକେଟରେ ରାଜ୍ୟ ସରକାରଙ୍କ ଉତ୍କଳିକା ଦ୍ୱାରା ପ୍ରସ୍ତୁତି ପାଉଞ୍ଜି, ଚୁଡି, ଟିକିଲି, ବାସନ, ଶାଢ଼ୀ ଇତ୍ୟାଦି ସାମଗ୍ରୀ ପ୍ରଦାନ କରାଯିବ । ଏହାସହ ବିବାହର ସାଜସଜ୍ଜା ପାଇଁ ସଂସ୍ଥାକୁ ୬ ହଜାର ଟଙ୍କା ଦିଆଯିବ। ଏନଜିଓ ଦ୍ୱାରା ଏହି ଅର୍ଥରାଶି ପ୍ରଦାନ କରାଯିବ ।

ତେବେ ଏଥିପାଇଁ ଝିଅ ବୟସ ୧୮ରୁ ୩୫ ବର୍ଷ ଓ ପୁଅର ବୟସ ୨୧ରୁ ୩୫ ବର୍ଷ ହୋଇଥିବା ଆବଶ୍ୟକ । ବେସରକାରୀ ଓ ସାମାଜିକ ଅନୁଷ୍ଠାନ ଦ୍ୱାରା ସାମୁହିକ ବିବାହ ଆୟୋଜନ କ୍ଷେତ୍ରରେ ସହାୟତା ମିଳିପାରିବ । ବିବାହର ୬୦ ଦିନ ପୂର୍ବରୁ ସହାୟତା ପାଇଁ ଆବେଦନ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି ।

ତେବେ ସମାଜର ଆର୍ଥିକ ଅନଗ୍ରସର ଓ ସାମାଜିକ ଭାବେ ଅବହେଳିତ ଗୋଷ୍ଠୀଙ୍କୁ ଏହି ଯୋଜନାରେ ଟଙ୍କା ମିଳିବ। ବିଧବାଙ୍କ ଦ୍ବିତୀୟ ବିବାହକୁ ପ୍ରୋତ୍ସାହନ ତଥା ୧୮ ବର୍ଷରୁ କମ ବୟସର କନ୍ୟା ବିବାହ ରୋକିବାକୁ ଏହି ସ୍କିମ କାମ କରିବ। ସେହିପରି ବର ଏବଂ କନ୍ୟା ପ୍ରଥମ ଥର ପାଇଁ ବିବାହ କରୁଥିବା ବ୍ୟକ୍ତି ହୋଇଥିବା ଆବଶକୀୟ । ତଥାପି, ପୁନର୍ବିବାହ କରିବାକୁ ଚାହୁଁଥିବା ବିଧବା ମହିଳାମାନଙ୍କୁ ମଧ୍ୟ ଏହି ଯୋଜନାରେ ବିଚାର କରାଯିବ।

ଗୋଟିଏ ପରିବାରରୁ କେବଳ ଜଣେ ଯୋଗ୍ୟ ମହିଳାଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ବର କିମ୍ବା କନ୍ୟା, ଅଥବା ସେମାନଙ୍କ ପରିବାର ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଅନ୍ୟ କୌଣସି ବିବାହ ସହାୟତା ଯୋଜନାରୁ ଲାଭ ପାଉନଥିବେ ।

ଗରିବ ପରିବାରରେ ଗୋଟେ ଝିଅକୁ ବିବାହ କରାଇବା କାଠିକର ପାଠ । ଦିନ ମଜୁରିଆ ଭାବେ କାମ କରୁଥିବା ବାପା କିଭଳି ତାର ଝିଅକୁ ବିବାହ ଦେବ ସେନେଇ ଝିଅ ଜନ୍ମ ହେବା ପରଠାରୁ ତା ମୁଣ୍ଡରେ ଚିନ୍ତା ରହିଥାଏ । ଏବେ କିନ୍ତୁ ରାଜ୍ୟ ସରକାର ଗରିବ ଝିଅ ମାନଙ୍କୁ ବାହାଘର କରାଇବାକୁ ନିଷ୍ପତ୍ତି ନେବା ପରେ ଗରିବ ବାପା-ମା’ଙ୍କ ପାଖରେ ଖୁସି ଦେଖିବାକୁ ମିଳିଛି । ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାର ଗରିବ ଘରର ଝିଅଙ୍କୁ ସାମୁହିକ ବିବାହ ଆୟୋଜନ କରାଇବେ । ଯେଉଁଥିରେ ବାହାଘରର ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି ସରକାର ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score