ଭୁବନେଶ୍ୱର : ଆଧୁନିକ ଜୀବନଶୈଳୀ, ଅତ୍ୟଧିକ କାର୍ଯ୍ୟଚାପ ଓ ମୋବାଇଲ-ଇଣ୍ଟରନେଟ୍ର ବଢ଼ୁଥିବା ବ୍ୟବହାର ଲୋକଙ୍କ ନିଦ ଉପରେ ଗୁରୁତର ପ୍ରଭାବ ପକାଉଛି। ଆଜିକାଲି ଅନେକ ଲୋକ ରାତିରେ ଠିକ୍ ଭାବେ ଶୋଇ ପାରୁନାହାଁନ୍ତି । କେହି ଦୀର୍ଘ ସମୟ ଯାଏ ଉଜାଗର ରହୁଛନ୍ତି, ତ ଆଉ କେହି ବାରମ୍ବାର ନିଦରୁ ଉଠିଯାଉଛନ୍ତି। ଫଳରେ ସକାଳେ ଉଠିବା ପରେ ମଧ୍ୟ କ୍ଳାନ୍ତି, ମୁଣ୍ଡବିନ୍ଧା ଓ ଅସ୍ୱସ୍ଥତା ଅନୁଭବ ହେଉଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, କିଛି ସରଳ ଅଭ୍ୟାସକୁ ଦୈନନ୍ଦିନ ଜୀବନରେ ସାମିଲ କଲେ ଅନିଦ୍ରା ସମସ୍ୟାରୁ ବହୁ ପରିମାଣରେ ମୁକ୍ତି ମିଳିପାରିବ।
ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଭଲ ନିଦ ପାଇଁ ଶୋଇବା ପୂର୍ବରୁ ମନ ଓ ଶରୀରକୁ ଶାନ୍ତ କରିବା ଆବଶ୍ୟକ। ଅନେକ ଲୋକ ରାତିରେ ଶୋଇବା ପୂର୍ବ ପର୍ଯ୍ୟନ୍ତ ମୋବାଇଲ, ଟ୍ୟାବ୍ କିମ୍ବା ଲାପଟପ୍ ବ୍ୟବହାର କରନ୍ତି। କିନ୍ତୁ ଏହି ଡିଭାଇସ୍ରୁ ବାହାରୁଥିବା ବ୍ଲୁ ଲାଇଟ୍ ମସ୍ତିଷ୍କକୁ ସକ୍ରିୟ ରଖିଥାଏ ଏବଂ ନିଦ ଆସିବାର ପ୍ରକ୍ରିୟାକୁ ବିଳମ୍ବ କରିଥାଏ। ତେଣୁ ଶୋଇବାର ଅତି କମ୍ରେ ୩୦ ମିନିଟ୍ ପୂର୍ବରୁ ସମସ୍ତ ଇଲେକ୍ଟ୍ରୋନିକ୍ ଉପକରଣ ବନ୍ଦ କରିଦେବା ଭଲ।
ସେହିପରି ଗଭୀର ନିଃଶ୍ୱାସ-ପ୍ରଶ୍ୱାସ ବ୍ୟାୟାମ କିମ୍ବା ଧ୍ୟାନ କରିବା ମଧ୍ୟ ନିଦର ଗୁଣବତ୍ତା ବଢ଼ାଇଥାଏ। ଦିନର ବ୍ୟସ୍ତତା ଓ ମାନସିକ ଚାପରୁ ମୁକ୍ତି ପାଇବା ପାଇଁ ଶୋଇବା ପୂର୍ବରୁ ୫ରୁ ୧୦ ମିନିଟ୍ ଯାଏ ଧୀରେ ଧୀରେ ନିଃଶ୍ୱାସ ନେବା ଏବଂ ଛାଡ଼ିବା ଅଭ୍ୟାସ କରିପାରିବେ। ଏହା ଶରୀରକୁ ଆରାମ ଦେବା ସହ ମନକୁ ମଧ୍ୟ ଶାନ୍ତ କରିଥାଏ।
ଖାଦ୍ୟାଭ୍ୟାସ ମଧ୍ୟ ନିଦ ଉପରେ ବଡ଼ ପ୍ରଭାବ ପକାଏ। ଡାକ୍ତରମାନଙ୍କ ମତରେ, ରାତିରେ ଅଧିକ ଚା’, କଫି କିମ୍ବା କ୍ୟାଫିନ ଯୁକ୍ତ ପାନୀୟ ସେବନ କରିବା ଉଚିତ୍ ନୁହେଁ। କ୍ୟାଫିନ ଶରୀରରେ କିଛି ଘଣ୍ଟା ପର୍ଯ୍ୟନ୍ତ ପ୍ରଭାବ ପକାଇଥାଏ ଏବଂ ନିଦକୁ ଦୂରେଇ ଦେଇଥାଏ। ଏହା ପରିବର୍ତ୍ତେ ରାତ୍ରି ଭୋଜନ ହାଲୁକା ଓ ସହଜ ପାଚ୍ୟ ହେବା ଉଚିତ୍, ଯାହା ଶରୀରକୁ ବିଶ୍ରାମ ନେବାରେ ସହାୟକ ହୁଏ।
ନିଦ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବା ମଧ୍ୟ ଅତ୍ୟନ୍ତ ଜରୁରୀ। ଅଧିକ ଆଲୋକ, ଟିଭିର ଶବ୍ଦ କିମ୍ବା ଅନ୍ୟାନ୍ୟ କୋଳାହଳ ମସ୍ତିଷ୍କକୁ ସମ୍ପୂର୍ଣ୍ଣ ବିଶ୍ରାମ ନେବାରୁ ବଞ୍ଚିତ କରିଥାଏ। ତେଣୁ ଶୋଇବା ସମୟରେ ଘରର ଆଲୋକ କମ୍ ରଖିବା ସହ ଶାନ୍ତ ଓ ଆରାମଦାୟକ ପରିବେଶ ବଜାୟ ରଖିବା ଉଚିତ୍।
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆହୁରି କହିଛନ୍ତି ଯେ, ପ୍ରତିଦିନ ନିର୍ଦ୍ଦିଷ୍ଟ ସମୟରେ ଶୋଇବା ଏବଂ ଉଠିବାର ଅଭ୍ୟାସ ନିଦକୁ ନିୟମିତ କରିଥାଏ। ଛୁଟିଦିନରେ ମଧ୍ୟ ଏହି ସମୟସୂଚୀକୁ ଅନୁସରଣ କଲେ ଶରୀରର ଜୈବିକ ଘଡ଼ି ସଠିକ୍ ଭାବେ କାମ କରିଥାଏ ଏବଂ ଗଭୀର ନିଦ ଆସିଥାଏ।
ବିଶେଷଜ୍ଞଙ୍କ ମତରେ, ଭଲ ନିଦ କେବଳ ଶରୀରର କ୍ଳାନ୍ତି ଦୂର କରେ ନାହିଁ, ବରଂ ହୃଦୟ, ମସ୍ତିଷ୍କ ଓ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ସୁସ୍ଥ ରଖିଥାଏ। ତେଣୁ ଦୈନନ୍ଦିନ ଜୀବନରେ କିଛି ସକାରାତ୍ମକ ପରିବର୍ତ୍ତନ ଆଣି ଅନିଦ୍ରା ସମସ୍ୟାକୁ ଦୂର କରିବା ସହ ଏକ ସୁସ୍ଥ ଓ ସକ୍ରିୟ ଜୀବନ ବିତାଇପାରିବେ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
