ସ୍ଵାଧୀନତା ସଂଗ୍ରାମୀ ଓ ବୀରମାନଙ୍କ ଭୂମି ରୂପେ ପରିଚିତ ଆମ ଦେଶ ଭାରତ l ଅନେକଙ୍କ ବଳିଦାନରେ ସ୍ଵାଧୀନତା ପ୍ରାପ୍ତି କରିଛି ଆମ ରାଷ୍ଟ୍ର l ତାଙ୍କ ମଧ୍ୟରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଥିଲେ ପ୍ରମୁଖ l ଯିଏକି ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକ ସହରର ଓଡ଼ିଆ ବଜାରଠାରେ ୧୮୯୭ ମସିହା ଜାନୁଆରୀ ୨୩ ତାରିଖ ଦିନ ଜନ୍ମ ନେଇଥିଲେ । ତାଙ୍କ ପିତା ଜାନକୀନାଥ ବୋଷ ପେଶାରେ ଥିଲେ ଜଣେ ଆଇନଜୀବୀ l ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମଗ୍ରହଣ କରିଥିବା ସୁଭାଷ ବୋଷ ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ନେତାଜୀ ଭାବରେ ପରିଚିତ ।
ବାଲ୍ୟକାଳ ଓ ଶୈଶବ-
୧୪ ଭାଇଭଉଣୀଙ୍କ ମଧ୍ୟରୁ ସେ ଥିଲେ ନବମ ସନ୍ତାନ। ଅନ୍ୟ ଭାଇଭଉଣୀଙ୍କ ପରି ତାଙ୍କ ଶିକ୍ଷା ବାପଟିଷ୍ଟ ମିଶନଦ୍ୱାରା ପରିଚାଳିତ ପ୍ରୋଟେଷ୍ଟାଣ୍ଟ ଇଉରୋପିଆନ ସ୍କୁଲରେ ଜାନୁଆରୀ ୧୯୦୨ରେ ଆରମ୍ଭ ହେଲା । ୧୯୦୯ରେ କଟକର ରେଭେନ୍ସା କଲେଜିଏଟ ସ୍କୁଲକୁ ସ୍ଥାନାନ୍ତରଣ ପରେ ସେହିଠାରୁ ସେ ୧୯୧୩ରେ ମ୍ୟାଟ୍ରିକ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ରଖି ଉତ୍ତୀର୍ଣ୍ଣ ହେଲେ । ପ୍ରଥମଟି ଦିନରୁ ହିଁ ତାଙ୍କ ପ୍ରଧାନଶିକ୍ଷକ ବେନିମାଧବ ଦାସ ତାଙ୍କ ପ୍ରତିଭାକୁ ଚିହ୍ନିଥିଲେ । ମାଧ୍ୟମିକ ଶିକ୍ଷା ସମାପ୍ତ କଲାପରେ କଲିକତାର ପ୍ରେସିଡେନ୍ସି କଲେଜରେ ଦର୍ଶନ ଶାସ୍ତ୍ର ଏବଂ ସ୍କଟିସ ଚର୍ଚ୍ଚ କଲେଜରେ ପାଠ ପଢ଼ିଥିଲେ । ପ୍ରେସିଡେନ୍ସୀ କଲେଜରେ ପଢୁଥିବା ସମୟରେ ଅଧ୍ୟାପକ ସି.ଏଫ୍. ଓ୍ୱେଟେନଙ୍କ ଭାରତ ବିରୋଧୀ ମନ୍ତବ୍ୟରେ କ୍ଷୁବ୍ଧ ହୋଇ ଅନ୍ୟ ପିଲାଙ୍କ ସହିତ ତାଙ୍କୁ ଦୁର୍ବ୍ୟବହାର କରିଥିବା କାରଣରୁ କଲେଜରୁ ବହିଷ୍କୃତ ହୋଇଥିଲେ ।
୧୯୧୯ ମସିହାରେ ପିତାଙ୍କ ବାଧ୍ୟବାଧ୍ୟକତାରେ ବିଲାତ ଯାଇ ୧୯୨୦ ମସିହରେ ଆଇ. ସି. ଏସ. ପରୀକ୍ଷାରେ ଚତୁର୍ଥ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୨୧ରେ ଆଇସିଏସର ତାଲିମ ନେଉଥିବା ବେଳେ ଭାରତରେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଘଟିଥିଲା, ତେଣୁ ସେ ଅଧାରୁ ତାଲିମ ଛାଡ଼ି ଭାରତ ଫେରି ଆସିଥିଲେ ।ସୁଭାଷ ଯେତେବେଳେ ବଙ୍ଗଳାର ଉକ୍ତ କଲେଜରେ ନାମଲେଖାଇଲେ ସେତେବେଳେ ସେ ତାଙ୍କ ଜୀବନ ନିମନ୍ତେ ଜଣେ ଜଣେ ନୂଆ ବନ୍ଧୁ ପାଇଥିଲେ । ସେହି ବନ୍ଧୁ ଥିଲେ ତତ୍କାଳୀନ ନାଟ୍ୟକାର ଦ୍ୱିଜେନ୍ଦ୍ରଲାଲଙ୍କ ପୁତ୍ର ଦିଲ୍ଲୀପ ରାୟ । ଦିଲ୍ଲୀପଙ୍କର ଅରବିନ୍ଦଙ୍କର ଭାବଧାରା ପ୍ରତି ବିଶେଷ ସମ୍ମାନ ଥିଲା । ଯେତେବେଳେ ସୁଭାଷ କୌଣସି ସଂକଟମୟ ପରିସ୍ଥିତିରେ ପଡ଼ିଯାଆନ୍ତି,ସେତେବେଳେ ସେ ତାଙ୍କର ସେହି ବନ୍ଧୁ ଦିଲ୍ଲୀପ ରାୟଙ୍କୁ ପତ୍ର ପଠାଇ ଜଣାଇଥାନ୍ତି । ଦିଲ୍ଲୀପ ରାୟଙ୍କ ସହିତ ତାଙ୍କର ଏତେମା3ତ୍ରା ବନ୍ଧୁତ୍ୱ ବଢିଯାଇଥିଲା ଯେ, ସେ ଶେଷରେ ବନ୍ଧୁଙ୍କ କେତେକ କଥାର ମହତ୍ୱକୁ ବୁଝି କାହାକୁ ନଜଣାଇ ଗୃହ ପରିତ୍ୟାଗ କରିଥିଲେ । କାରଣ ଥିଲା ଯେ କଷ୍ଟକୁ ବହନ କରି ସଂଯମତା ଆଚରଣ କରିବା । ଏହା ପରେ ସେ ଜୀବନର ସମସ୍ୟାର ସମାଧାନ ପାଇଁ ଆଗକୁ ଚାଲିଲେ । ଗୃହଠାରୁ ୯୦ କି.ମି ଦୂର ଯିବାପରେ କୃଷ୍ଣନଗରରେ ଜଣେ ବନ୍ଧୁଙ୍କ ଘରେ କିଛିଦିନ ଅତିବାହିତ କଲେ । ସେଠାରେ ଏକ ନଦୀକୂଳରେ ଜଣେ ସନ୍ନ୍ୟାସୀଙ୍କ ସଂସ୍ପର୍ଶରେ ଆସିଥିଲେ । ଦିନେ ସୁଭାଷ ସନ୍ନ୍ୟାସୀଙ୍କ ଉଦ୍ଦେଶ୍ୟରେ କହିଲେ ମୁଁ ସମସ୍ତ କ୍ଷେତ୍ରରେ ନିର୍ଭିକ ତଥା ନିର୍ବିକାର କିପରି ଭାବରେ ହୋଇପାରିବି ସେଥିପାଇଁ ଆଶିର୍ବାଦ କରନ୍ତୁ । ଏହା ଶୁଣି ସନ୍ନ୍ୟାସୀ କହିଲେ ଯେକୈଣସି କାର୍ଯ୍ୟକୁ ସଫଳ କରିବାକୁ ହେଲେ ପ୍ରଥମ ମନକୁ ସଂଯତ ଓ ଦୃଢ଼ଭାବରେ ତୋଳିବାକୁ ହୋଇଥାଏ । କିମ୍ବା ଏସବୁ ପାଇଁ ତମକୁ ଜଣେ ଗୁରୁଙ୍କ ଶିଷତ୍ୱ ଗ୍ରହଣ କରିବାକୁ ପଡ଼ିବ । କିନ୍ତୁ ପରଦିନ ସନ୍ୟାସୀ ସେହିସ୍ଥାନ ପରିତ୍ୟାଗ କରିଚାଲିଯାଇଥିଲେ । ଫଳରେ ସେ ନିରାଶ ହୋଇ ଗୁରୁ ଖୋଜିବା ପାଇଁ ସେଠାରୁ ବାହାରି ବହିତ ଦିନ ବୁଲିଲେ । ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇ ଶେଷର ସେ ଘରକୁ ଫେରି ଆସିଥିଲେ ଏବଂ ପୁନର୍ବାର ପାଠ ପଢ଼ିବା ଆରମ୍ଭ କରିଦେଇଥିଲେ । ଆଉ ମଧ୍ୟ ଇଣ୍ଟରମିଡିଏଟ୍ ପରୀକ୍ଷାରେ ଭଲଭାବରେ କୃତକାର୍ଯ୍ୟ ହେଲେ । ୧୯୧୫ ମସିହାରେ ବି.ଏ ରେ ଦର୍ଶନ ବିଦ୍ୟାରେ ଅନର୍ସ ନେଇ ପାଠପଢ଼ା ଆରମ୍ଭ କରିଥିଲେ ମଧ୍ୟ ସେ କଲେଜରୁ ହିଁ ରାଜନୀତି ଆରମ୍ଭ କଲେ ।
ରାଜନୀତିରେ ପ୍ରଥମ ପାଦ: କଲେଜ ନିର୍ବାଚନ-
ନେତାଜୀ ସର୍ବପ୍ରଥମ କଲେଜ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ୟୁନିୟନ ନେତା ଭାବରେ ନିର୍ବାଚିତ ହୋଇଥିଲେ । ଏହା ଥିଲା ତାଙ୍କ ରାଜନେତା ହେବାର ପ୍ରଥମ ପାହାଚ ।
୧୯୨୧ ମସିହା ଜୁଲାଇ ୧୬ରେ ସୁଭାଷ ବୋଷ କେମ୍ବ୍ରିଜ ପରିତ୍ୟାଗ କରି ବମ୍ବେ ଆସିଥିଲେ । ସେ ଯେଉଁ ଜାହାଜରେ ଆସୁଥିଲେ ସେ ଜାହାଜରେ ରବୀନ୍ଦ୍ରନାଥ ଟାଗୋର ମଧ୍ୟ ଭାରତ ଆସୁଥିଲେ । ତାଙ୍କ ସହ ଅଲୋଚନା କରି ସେ ଜାଣିଥିଲେ ଯେ ନିଜେ ରବୀନ୍ଦ୍ରନାଥ ଗାନ୍ଧିଜୀଙ୍କର ଆନ୍ଦୋଳନ ପ୍ରତ୍ୟାହାର ନୀତିକୁ ସମର୍ଥନ କରୁଥିଲେ । ସେ ବମ୍ବେରୁ ଓହ୍ଲାଇ ମହାତ୍ମାଗାନ୍ଧୀଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । ସେତେବେଳେ ଗାନ୍ଧିଜୀ ଥିଲେ ବାସ୍ତବରେ କଂଗେସର ଅପ୍ରତିଦ୍ୱନ୍ଦୀ ଓ କର୍ଣ୍ଣଧାର ମାତ୍ର ୧୯୧୪ ମସିହାରେ ଭାରତକୁ ଫେରି ଆସିବା ସମୟରେ ଦକ୍ଷିଣ ଆଫ୍ରିକାରେ ପାର୍ଲିଆମେଣ୍ଟ ବିରୁଦ୍ଧରେ ଭାରତୀୟମାନଙ୍କ ଅଧୀକାରର ସୁରକ୍ଷା ଆଣିବା ନିମନ୍ତେ ସତ୍ୟାଗ୍ରହଦ୍ୱାରା ସଫଳ ହୋଇଥିଲେ । ସେତେବେଳେ ଗାନ୍ଧିଜୀ ବମ୍ବେର ମଣିଭବନରେ ବାସ କରିଥିଲେ । ସେଠାରେ ସେ ସ୍ୱାଧୀନତା ସଂଗ୍ରାମର ପରିକଳ୍ପନା କଣ ଏବଂ ରୂପାୟନ ସମ୍ପର୍କରେ ସ୍ପଷ୍ଟ ଧାରଣ କଣ ତାହା ଜାଣିବାକୁ ପାଇଲେ ।
ସ୍ୱାଧୀନତାର ସଂଗ୍ରାମରେ ନେତାଜୀଙ୍କ ଚିନ୍ତାଧାରା:
ଏହି ସମୟରେ ସେ ଗାନ୍ଧିଜୀଙ୍କୁ ପଚାରିଥିଲେ ଯେ, କାହିଁକି ବିଦେଶୀ ଅମଲାତନ୍ତ୍ରମାନଙ୍କଠାରୁ କ୍ଷମତା ଛଡାଇନେବାକୁ ଚାହୁଁଛନ୍ତି। ସୁଭାଷଙ୍କର ଆଉ ଗୋଟିଏ ପ୍ରଶ୍ନ ଥିଲା ଗୋଟିଏ ବର୍ଷ ମଧ୍ୟରେ କେଉଁ ପ୍ରକାର ଉପାୟକୁ ଅବଲମ୍ବନ କରି ଭାରତ ସ୍ୱାଧୀନତା ପାଇବ ?
ଗାନ୍ଧିଜୀ ସ୍ପଷ୍ଟ ଭାବରେ ଉତ୍ତର ଦେଇଥିଲେ ଏହା ଅସମ୍ଭବ । ସେଠାରେ ସେ ଅନେକ ପ୍ରଶ୍ନ ପଚାରିଥିଲେ ମଧ୍ୟ ତାହର ସନ୍ତୋଷ ଜନକ ଉତ୍ତର ପାଇ ପାରିନଥିଲେ । ଗାନ୍ଧିଜୀ କହିଥିଲେ ତୁମେ ଚିତ୍ତରଞ୍ଜନଙ୍କୁ ସାକ୍ଷତ କରି ତାଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କର । ଏହ ପରେ ସେ କଲିକତାର ରସାରୋଡ଼ରେ ଯାଇ ଚିତ୍ତରଞ୍ଜନଙ୍କ ବାସଗୃହରେ ସାକ୍ଷାତ କଲେ । ଏହା ଥିଲା ତାଙ୍କର ଚିତ୍ତରଞ୍ଜନଙ୍କ ସହ ପ୍ରଥମ ସାକ୍ଷାତ । ଏହା ପରେ ଉଭୟଙ୍କ ବିରାଟ ଓ ମହତ ତ୍ୟାଗ ନିଷ୍ପତ୍ତିର ମିଶ୍ରଣଦ୍ୱାରା ସ୍ୱାଧୀନତା ସଂଗ୍ରାମର ରାଜନୈତିକ ଇତିହାସ ମଧ୍ୟମ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିପାରିଥିଲା ।
ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ସମ୍ପର୍କରେ ଆସିବା ପରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇ ୧୯୨୩ରେ ବଙ୍ଗଳା ପ୍ରାଦେଶିକ କଂଗ୍ରେସର କମିଟିର ସମ୍ପାଦକ ହୋଇଥିଲେ । ୧୯୨୪ ମସିହାରେ ସେ କଲିକତା ମହାନଗରୀର ମେୟର ହୋଇଥିଲେ । ୧୯୨୮ରେ କଂଗ୍ରେସ ପକ୍ଷରୁ ନିଯୁକ୍ତପ୍ରାପ୍ତ ମୋତିଲାଲ ନେହେରୁ କମିଟି ସ୍ୱାୟତ୍ତ ଶାସନ ସପକ୍ଷରେ ମତ ଦେଇଥିଲେ, କିନ୍ତୁ ଜବାହରଲାଲ ନେହେରୁ ଓ ସୁଭାଷ ବୋଷ ଉଭୟେ ପୂର୍ଣ୍ଣ ସ୍ୱାଧୀନତା ଚାହିଁଥିଲେ । ୧୯୩୦ରେ ଆଇନ ଅମାନ୍ୟ ଆନ୍ଦୋଳନ ବେଳେ ସୁଭାଷଙ୍କୁ ଗିରଫ କରି ଜେଲରେ ରଖାଯାଇଥିଲା, ତେବେ ୧୯୩୧ରେ ଗାନ୍ଧୀ-ଇରୱିନ ଚୁକ୍ତି ପରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା । ୧୯୩୮ ମସିହାରେ ହରିପୁରା ଜାତୀୟ କଂଗ୍ରେସର ଅଧିବେଶନରେ ଗାନ୍ଧୀଙ୍କ ମନୋନୀତ ପ୍ରାର୍ଥୀ ପଟ୍ଟାଭିସୀତାରାମାୟାଙ୍କୁ ହରାଇ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ୧୯୩୯ରେ ସେ ପୁଣିଥରେ ସେହି ପଦବୀକୁ ନିର୍ବାଚିତ ହୋଇଥିଲେ ।
୧୯୩୯ରେ ସେ ଫରୱାର୍ଡ଼ ବ୍ଳକ ନାମକ ଏକ ନୂତନ ଦଳ ଗଠନ କରିଥିଲେ । ସଶସ୍ତ୍ର ଆନ୍ଦୋଳନଦ୍ୱାରା ହିଁ ଭାରତକୁ ବ୍ରିଟିଶ ସାମ୍ରାଜ୍ୟବାଦରୁ ମୁକ୍ତ କରିହେବ ବୋଲି ସେ ବିଶ୍ୱାସ କରୁଥିଲେ । ସେ ଇଟାଲୀର ଜନନାୟକ ଗାରିବାଲ୍ଡି ଓ ମାର୍ଜିନିଙ୍କଦ୍ୱାରା ଯଥେଷ୍ଟ ଅନୁପ୍ରାଣୀତ ହୋଇଥିଲେ । ସୁଭାଷଙ୍କର ଏହି ଉଗ୍ରନୀତି ଯୋଗୁଁ ବ୍ରିଟିଶ ସରକାର ତାଙ୍କୁ କଲିକତାଠାରେ ନଜରବନ୍ଦୀ ରୂପେ ରଖିଥିଲେ । ଭାରତର ସ୍ୱାଧୀନତା ପାଇଁ ଭାରତ ବାହାରେ ରହି ଯୁଦ୍ଧ କରିବା ପାଇଁ ୧୯୪୧ ଜାନୁଆରୀ ୧୭ ତାରିଖରେ ସେ ଭାରତର ସୀମାନ୍ତ ଅତିକ୍ରମ କରି ଆଫଗାନିସ୍ଥାନ ଓ ସୋଭିଏତ ଋଷ ମଧ୍ୟ ଦେଇ ମାର୍ଚ୍ଚ ମାସରେ ବର୍ଲିନଠାରେ ପହଞ୍ଚିଥିଲେ । ଜର୍ମାନୀର ନାଜି ଶାସକ ହିଟଲରଙ୍କ ସହ ସାକ୍ଷାତ କରି ଭାରତର ସ୍ୱାଧୀନତା ହାସଲ ସମ୍ପର୍କରେ ତାଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ । ବର୍ଲିନଠାରେ ଏକ ମୁକ୍ତ ଭାରତ କେନ୍ଦ୍ର ଉନ୍ମୋଚନ କଲେ ଓ ଜର୍ମାନୀ ମାଟିରେ ଫ୍ରି ଇଣ୍ଡିଆ ଆର୍ମି ଗଠନ କରିଥିଲେ । ସୁଦୂର ବର୍ଲିନରୁ ଆଜାଦ ହିନ୍ଦ ରେଡ଼ିଓ ମାଧ୍ୟମରେ ଭାରତବାସୀଙ୍କୁ ସଂଗ୍ରାମ ପାଇଁ ଆହ୍ୱାନ ଦେଇଥିଲେ । “ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି” ଆହ୍ୱାନରେ ସମସ୍ତଙ୍କୁ ଏକଜୁଟ କଲେ ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନରେ ନିର୍ବାସିତ ଭାବେ ବାସ କରୁଥିବା ରାସ ବିହାରୀ ବୋଷ ନାମକ ଜଣେ ଭାରତୀୟ ଜାପାନ, ବର୍ମା, ମାଳୟ, ପ୍ରଭୃତି ସ୍ଥାନରେ ପ୍ରବାସୀ ଭାରତୀୟ ଓ ଯୁଦ୍ଧ ବନ୍ଦୀମାନଙ୍କୁ ଏକତ୍ରିତ କରି ଭାରତୀୟ ସ୍ୱାଧୀନତା ଲିଗ ଗଠନ କଲେ । ସୁଭାଷ ସିଙ୍ଗାପୁରରେ ଆଜାଦ ହିନ୍ଦ ଫୌଜର ଦାୟିତ୍ୱ ଗ୍ରହଣ କଲେ ଏବଂ ୧୯୪୩ ମସିହା ଅକ୍ଟୋବର ୨୧ତାରିଖ ଦିନ ସେଠାରେ ଏକ ଅସ୍ଥାୟୀ ସ୍ୱାଧୀନ ସରକାର ଗଠନ କଲେ । ସେହିଠାରୁ ସେ ଆହ୍ୱାନ ଦେଇଥିଲେ “ଦିଲ୍ଲୀ ଚଲୋ” । ଏହା ସହିତ ଆରମ୍ଭ ହେଲା ଆଜାଦ ହିନ୍ଦ ଫୌଜର ଅଭିଯାନ । ୧୯୪୪ ମାର୍ଚ୍ଚ ୧୮ ତାରିଖରେ ଆଜାଦ ହିନ୍ଦ ଫୌଜ ବର୍ମା ସୀମା ଅତିକ୍ରମ କରି ଭାରତୀୟ ମାଟିରେ ପାଦ ଥାପିଥିଲା ଓ ମଣିପୁରର ଇମ୍ଫାଲ ଯାଏଁ ଏହି ଅଭିଯାନ ଅଗ୍ରସର ହେଲା । ଦୃଢ଼ ପଦକ୍ଷେପରେ ଅଗ୍ରସର ହେଉଥିବା ଆଜାଦ ହିନ୍ଦ ଫୌଜ ଉପରେ ବ୍ରିଟିଶ ବାହିନୀ ଉଭୟ ସ୍ଥଳ ଓ ଆକାଶ ପଥରୁ ଆକ୍ରମଣ କରି ଇମ୍ଫାଲଠାରେ ତାଙ୍କୁ ପରାସ୍ତ କଲା ।
ଶାହନୱାଜ କମିଟି, ଖୋସଲା କମିଶନ, ମୂଖାର୍ଜୀ କମିଶନ ପରି ଅନେକ କମିଶନ ଅଫ ଇନକ୍ୱାରି ବସିଥିଲେ ମଧ୍ୟ ତାଙ୍କର ମୃତ୍ୟୁର କାରଣ ଏବଂ ସମୟ ସଠିକ ଭାବେ ନିରୁପିତ ହୋଇପାରିନାହିଁ ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |