ବ୍ରହ୍ମପୁର : ଚଳିତ ମାସ ୩୦ ତାରିଖରୁ ସୁନାପୁର ବେଳାଭୂମି ମହୋତ୍ସବ ଆରମ୍ଭ ହେବ। ଏହି ମହୋତ୍ସବ ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାର ସୁଚାରୁ ଓ ସୁସଂଗଠିତ ଆୟୋଜନ ପାଇଁ ଚିକିଟି ବ୍ଲକ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅବିନାଶ କୁମାର ଉପସ୍ଥିତ ରହି ମହୋତ୍ସବକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷା ସହ ପରିଚାଳନା କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ।
ଚିକିଟି ନିର୍ବାଚନମଣ୍ଡଳୀର ଲୋକକଳା, ସାଂସ୍କୃତିକ ପରମ୍ପରା ଓ ଅଞ୍ଚଳୀୟ ସଂସ୍କୃତିକୁ ମହୋତ୍ସବ ମାଧ୍ୟମରେ ପ୍ରାଧାନ୍ୟ ଦେବା ନେଇ ବୈଠକରେ ଆଲୋଚନା ହୋଇଛି । ସେହିପରି ସୁନାପୁର ବେଳାଭୂମି ମହୋତ୍ସବରେ ପ୍ରତିଦିନ ସନ୍ଧ୍ୟାବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଟଲିଉଡ଼ ଓ ଓଲିଉଡ଼ର ନାମୀ କଳାକାରମାନେ ମହୋତ୍ସବର ମୁଖ୍ୟ ଆକର୍ଷଣ ସାଜିବେ।
ବ୍ରହ୍ମପୁର ଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଅବସ୍ଥିତ ସୁନାପୁର ବେଳାଭୂମି ଏବେ ମହୋତ୍ସବକୁ ନେଇ ଚଳଚଞ୍ଚଳ ହୋଇଉଠିଛି । ଶାନ୍ତ, ସ୍ଵଚ୍ଛ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ବେଳାଭୂମିରେ ଦର୍ଶକମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ବ୍ୟବସ୍ଥା କରାଯାଇଛି । ମହୋତ୍ସବ ସମୟରେ କୌଣସି ଅପ୍ରୀତିକର ଘଟଣା ନ ଘଟୁ ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ସଜାଗ ରହିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ଟ୍ରାଫିକ ନିୟନ୍ତ୍ରଣ, ପାର୍କିଙ୍ଗ ବ୍ୟବସ୍ଥା ଓ ଦର୍ଶକମାନଙ୍କ ସୁବିଧାଜନକ ଯାତାୟାତ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସିସି କ୍ୟାମେରା ମାଧ୍ୟମରେ ନଜରଦାରି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।
ସୁନାପୁର ବେଳାଭୂମି ଆନ୍ଧ୍ରକୁ ଲାଗି ରହିଥିବା ଯୋଗୁଁ ବେଳାଭୂମିରେ ଆନ୍ଧ୍ର ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ଦେଖିବାକୁ ମିଳେ। ଏହି କାରଣରୁ ସୁନାପୁର ବେଳାଭୂମି ମହୋତ୍ସବ ଆନ୍ଧ୍ର ସହ ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟକମାନଙ୍କୁ ବେଶ ଆକର୍ଷିତ କରିବ ବୋଲି ଆଶା କରାଯାଉଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
