Explore

Search

March 24, 2026 1:35 am

୨୨୯୨ କୋଟିର ୧୭ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଉଦଘାଟିତ ହୋଇଯାଇଛି ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ-୨୦୨୬ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ୱାରା ୨୨୯୨ କୋଟିର ୧୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ୩୨୦ କୋଟିର ୧୨୪ ଟି ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ସମାରୋହକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜଳ ସୁରକ୍ଷା ହେଉଛି ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନର ମୂଳ ଆଧାର । ରାଜ୍ୟର କୌଣସି ଚାଷଜମି ଜଳାଭାବରେ ପଡ଼ିବ ନାହିଁ ବୋଲି ସରକାର ପ୍ରତିବଦ୍ଧ । ଏହାସହ ଜଳ ପରିଚାଳନାରେ ଲିଙ୍ଗ ସମତାକୁ ବୃଦ୍ଧି କରିବା ସହ ଗ୍ରାମୀଣ ଅର୍ଥନୀତିକୁ ଆହୁରି ମଜବୁତ କରିବାକୁ ଲକ୍ଷ୍ୟ ରଖାଯାଇଥିବା କଥା କହିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ।

ବିଶ୍ୱ ଜଳ ଦିବସର ଗୁରୁତ୍ୱ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଜଳ ସଞ୍ଚୟ ଓ ସଠିକ ବ୍ୟବହାର ପ୍ରତି ସଚେତନ ହେବାକୁ ଆହ୍ୱାନ ଜଣାଇଥିଲେ । ପ୍ରତ୍ୟେକ ଘରକୁ ଜଳ ସୁରକ୍ଷା ବାର୍ତ୍ତା ପହଞ୍ଚିବା ଆବଶ୍ୟକ। ସେହିପରି ଜଳ ଅପଚୟ ବନ୍ଦ କରିବା ଉଚିତ ବୋଲି ସେ କହିଥିଲେ ।

ଏହାସହ ପ୍ରଧାନମନ୍ତ୍ରୀଙ୍କ ‘ଜଳ ଜୀବନ ମିଶନ’କୁ ଏକ ପରିବର୍ତ୍ତନଶୀଳ ଯୋଜନା ବୋଲି ବର୍ଣ୍ଣନା କରିଥିଲେ । ପ୍ରତି ଘରକୁ ପାଇପ ଯୋଗେ ଶୁଦ୍ଧ ପାନୀୟଜଳ ପହଞ୍ଚାଇବା ମାଧ୍ୟମରେ ଜଳ ସଙ୍କଟକୁ ଦୂର କରିବାକୁ ସଂକଳ୍ପ ବ୍ୟକ୍ତ କରାଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନଚରଣ ମାଝୀ ଏକ ଶିଶୁ ଯତ୍ନ କେନ୍ଦ୍ର ‘କାଳିକା’ ମଧ୍ୟ ଉଦଘାଟନ କରିଥିଲେ ଏବଂ ଏକ AI-ଚାଳିତ ନାଗରିକ ମତାମତ ପ୍ରଣାଳୀ, ବିନ୍ଦୁ ଚାଟବଟ ମଧ୍ୟ ଆରମ୍ଭ କରିଥିଲେ । ସେ ଆହୁରି କହିଥିଲେ ଯେ, ଜଳର ସଠିକ ବ୍ୟବହାର ଓ ପାନୀୟ ଜଳର ସୁବିଧା ବଢ଼ାଇବା ଆଜିର ସମୟର ପ୍ରମୁଖ ଆବଶ୍ୟକତା । ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ-୨୦୩୬ ଓ ୨୦୪୭ ଅନୁସାରେ ଭବିଷ୍ୟତର ବଢ଼ୁଥିବା ଚାହିଦା ପୂରଣ ପାଇଁ ଜଳ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଧାନ୍ୟ ଦିଆଯାଇଛି ।

ଏହି ପରିପ୍ରେକ୍ଷୀରେ ଜଳସମ୍ପଦ ବିଭାଗ କେନ୍ଦ୍ରୀୟ ଜଳ ଆୟୋଗ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ସେହିପରି ଏକ କଫି ଟେବୁଲ ବୁକ ସୁଜଳା ଏବଂ ଏକ ନଦୀ ମାନଚିତ୍ର ଉନ୍ମୋଚିତ ହୋଇଥିଲା ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score