Explore

Search

February 22, 2026 5:11 pm

୨ ଦିନ ପରେ ଦୁଲକିବ ଗୋପାଳପୁର ବେଳାଭୂମି ମହୋତ୍ସବ : ବରପୁତ୍ରଙ୍କ ନାମରେ ନାମିତ ହେବ ମଞ୍ଚ

ବ୍ରହ୍ମପୁର : ଆଉ ମାତ୍ର ୨ ଦିନ । ଚଳିତ ମାସ ୨୭ରୁ ନେଇ ୩୦ ତାରିଖ ଯାଏଁ ଦୁଲକିବ ଗୋପାଳପୁର ବେଳାଭୂମି ମହୋତ୍ସବ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ କେମିତି ସବୁ କିଛି ଭଲରେ ସମାପନ ହେବ ଏଥିପାଇଁ ଗୋପାଳପୁର ସର୍କିଟ ହାଉସରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ବିଧାୟକ ତଥା ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗଦେଇ ମହୋତ୍ସବର ଚାରିଦିନିଆ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।

ପ୍ରଥମ ଦିନରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ସ୍ମୃତି ମଞ୍ଚ କରାଯାଉଥିବା ବେଳେ ଦ୍ବିତୀୟ ଦିନରେ ରାମଚନ୍ଦ୍ର ମର୍ଦ୍ଦରାଜ, ତୃତୀୟ ଦିନରେ କବିସୂର୍ଯ୍ୟ ବଳଦେବ ରଥ ଓ ଶେଷ ଦିନରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନାମରେ ମଞ୍ଚ ରହିବ । ସେହିପରି ଏହି ଅବସରରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ସ୍ଥଳବାହିନୀ, ଜଳବାହିନୀ ଓ ତଟବାହିନୀ ଦ୍ବାରା ପ୍ରଦର୍ଶନୀ ଆୟୋଜନ କରାଯିବ ।

ବେଳାଭୂମିରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା, ନୌଚାଳନା ପ୍ରତିଯୋଗିତା ହେବ ବିଭିନ୍ନ ରାଜ୍ୟର କଳାସଂସ୍କୃତି ଉପରେ ନୃତ୍ୟ ପରିବେଷଣ ସହିତ ଗଞ୍ଜାମ ଏବଂ ଓଡ଼ିଶାର ଲୋକକଳା ଓ ଲୋକନାଟକକୁ ଗୁରୁତ୍ବ ଦିଆଯିବ ।

ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସନ୍ଧ୍ୟାରେ ଓଡ଼ିଶା ସିନେ ଜଗତର ଷ୍ଟାରମାନେ ମଧ୍ୟ ଯୋଗ ଦେବେ । ସବୁଠୁ ଗରୁତ୍ବପୁର୍ଣ୍ଣ କଥା ହେଉଛି ଏହି ଅବସରରେ ବାରଣାସୀର ପଣ୍ଡିତମାନଙ୍କ ଦ୍ବାରା ସମୁଦ୍ର ଆଳତି କରାଯିବ। ଯାହା ଆହୁରି ମହୋତ୍ସବକୁ ଉତ୍ସାହିତ କରିବ । ତେବେ ଗୋପାଳପୁର ବେଳାଭୂମି ମହୋତ୍ସବ ଆରମ୍ଭ ହେବା ପୂର୍ବରୁ ଗଞ୍ଜାମ ଜିଲ୍ଲାର କୁଲାଡ଼ ବାଗଦେବୀ, ତାରାତାରିଣୀ, ବାଳକୁମାରୀ ପୀଠରୁ ମଶାଲ ଶୋଭାଯାତ୍ରା ହେବ।

ଏହି ଉଦଘାଟନୀ ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ମହାମହିମ ଡ.ହରିବାବୁ କମ୍ଭମପତି ଯୋଗ ଦେବେ । ଏହା ସହିତ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସ୍ଥାନୀୟ ବିଧାୟକଗଣ ମଧ୍ୟ ଉପସ୍ଥିତ ରହିବେ। ସେହିପରି ବଲିଉଡର ବହୁ ଖ୍ୟାତନାମା କଳାକାର କାର୍ଯ୍ୟକ୍ରମରେ ଯୋଗ ଦେବେ। ମହୋତ୍ସବରେ ପଲ୍ଲୀଶ୍ରୀ ମେଳା, ଖାଦ୍ୟ ମେଳାର ଆୟୋଜନ ରହିଛି । ବ୍ରହ୍ମପୁର ଏସପି ଡା. ଶରବଣା ବିବେକ ଏମ୍ କହିଛନ୍ତି ଯେ, ଶାନ୍ତିଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୧୦୦ଜଣ ଅଫିସର, ୧୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ ।

ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ପୁଲିସ ପାଟ୍ରୋଲିଂ ସହିତ ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଖଞ୍ଜାଯିବ। ଚାରିଚକିଆ ଯାନବାହନ ରଖିବା ପାଇଁ ପାର୍କିଙ୍ଗ ବ୍ୟବସ୍ଥା କରାଯିବ ବୋଲି ବ୍ରହ୍ମପୁର ଏସପି ଡା. ଶରବଣା ବିବେକ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅବିନାଶ କୁମାର, ବିଏମସି କମିଶନର, ଅତିରିକ୍ତ ଜିଲ୍ଲାପାଳ ଡ.ପ୍ରମୋଦ କୁମାର ପୃଷ୍ଟି, ଦେବଦତ୍ତ ପଣ୍ଡା, ସୁନିଲ କେର୍କେଟା ପ୍ରମୁଖ ଉପସ୍ଥିତ ଥିଲେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score