Explore

Search

April 7, 2026 11:26 pm

ସିଲ୍କ ସିଟି ମହୋତ୍ସବ : ଅନ୍ତରାଙ୍କ ଗୀତରେ ଝୁମିଲେ ଦର୍ଶକ

ବ୍ରହ୍ମପୁର : ଓଡ଼ିଶାର ଗଞ୍ଜାମ ଜିଲ୍ଲାର ହୃଦୟରେ ଅବସ୍ଥିତ ବ୍ରହ୍ମପୁର ଯାହା ‘ସିଲ୍କ ସିଟି’ ବୋଲି ପରିଚିତ କରାଯାଏ। ଏହି ନାମ ପଛରେ ରହିଛି ଏହି ଅଞ୍ଚଳର ପ୍ରସିଦ୍ଧ ପଟ୍ଟ ଶିଳ୍ପ ଓ ହସ୍ତତନ୍ତ କଳା। ଏହି ପରମ୍ପରାକୁ ସମ୍ମାନ ଦେବା ଓ ଏହାକୁ ଆଗକୁ ବଢ଼ାଇବା ପାଇଁ ପ୍ରତିବର୍ଷ ଆୟୋଜିତ ହୁଏ ‘ସିଲ୍କ ସିଟି ମହୋତ୍ସବ’। ଏହା କେବଳ ଗୋଟିଏ ମେଳା ନୁହେଁ, ବରଂ ଏକ ସଂସ୍କୃତିକ ଉତ୍ସବ । ଯାହା ଓଡ଼ିଶାର ଐତିହ୍ୟ, କଳା, ଖାଦ୍ୟ ଓ ସଂସ୍କୃତିକୁ ଗୋଟିଏ ମଞ୍ଚରେ ଆଣିଥାଏ।

ସିଲ୍କ ସିଟି ମହୋତ୍ସବର ମୂଳ ଉଦ୍ଦେଶ୍ୟ ହେଉଛି ଏହି ଅଞ୍ଚଳର ପଟ୍ଟ ଶିଳ୍ପୀମାନଙ୍କୁ ଏକ ଠିକଣା ଦେବା। ଯାହାଦ୍ୱାରା ସେମାନେ ନିଜ କଳାକୁ ଦେଶ-ବିଦେଶର ଲୋକଙ୍କ ଆଗରେ ପ୍ରଦର୍ଶନ କରିପାରିବେ। ଏଠାରେ ଆୟୋଜିତ ପାଟ୍ଟ ଶାଢ଼ୀ , ହାତ ବୁଣା ଡ୍ରେସ ଓ ବିଭିନ୍ନ ହସ୍ତଶିଳ୍ପ ପ୍ରଦର୍ଶନୀ ଦେଖିଲେ ଜଣାପଡ଼େ ଓଡ଼ିଶାର କଳା କେତେ ସମୃଦ୍ଧ ଓ ସୁନ୍ଦର।

ଏହି ମହୋତ୍ସବର ଅନ୍ୟତମ ଆକର୍ଷଣ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ। ଓଡ଼ିଶାର ପାରମ୍ପରିକ ନୃତ୍ୟ ଯଥା ଓଡ଼ିଶୀ, ସମ୍ବଲପୁରୀ ଓ ଗୋଟିପୁଅ ନୃତ୍ୟ ଏଠାରେ ଦର୍ଶକମାନଙ୍କୁ ମୋହିତ କରେ। ସେଥିପାଇଁ ଲୋକସଙ୍ଗୀତ, ନାଟକ ଓ ବିଭିନ୍ନ ଆଧୁନିକ କଳା ପ୍ରଦର୍ଶନ ମହୋତ୍ସବକୁ ଆହୁରି ରଙ୍ଗୀନ କରିଥାଏ । ଯାହା ଆମ ଓଡ଼ିଆ ସଂସ୍କୃତିର ଏକ ଜୀବନ୍ତ ଚିତ୍ର।

ସେହିପରି ଖାଦ୍ୟ ପ୍ରେମୀମାନଙ୍କ ପାଇଁ ମଧ୍ୟ ସିଲ୍କ ସିଟି ମହୋତ୍ସବ ଏକ ସ୍ୱର୍ଗ ସମାନ। ଏଠାରେ ଓଡ଼ିଆ ପାରମ୍ପରିକ ଖାଦ୍ୟ ଯଥା ପଖାଳ, ଚକୁଳି ପିଠା, ଦହିବରା ଆଲୁଦମ ଆଦିର ସ୍ୱାଦ ଲୋକମାନଙ୍କୁ ଆକର୍ଷିତ କରେ। ସେଥିପାଇଁ ଦେଶର ଅନ୍ୟାନ୍ୟ ରାଜ୍ୟର ଖାଦ୍ୟ ଷ୍ଟଲ ମଧ୍ୟ ଏଠାରେ ଦେଖିବାକୁ ମିଳେ । ଯାହା ମହୋତ୍ସବକୁ ଏକ ଜାତୀୟ ମାହୋଲ ଦେଇଥାଏ । ତେବେ ଚଳିତ ବର୍ଷ ଏହି ମହୋତ୍ସବରେ ୨୨୦ ଟି ଷ୍ଟଲ ଖୋଲା ଯାଇଛି ।

ସିଲ୍କ ସିଟି ମହୋତ୍ସବ ସ୍ଥାନୀୟ ଶିଳ୍ପୀ ଓ ବ୍ୟବସାୟୀମାନଙ୍କ ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି କରେ। ଏହା ତାଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ସହିତ ଓଡ଼ିଶାର ହସ୍ତଶିଳ୍ପକୁ ବିଶ୍ୱ ମଞ୍ଚରେ ପହଞ୍ଚାଇବାରେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଏ। ଏହି ଉତ୍ସବ ଦ୍ୱାରା ଯୁବପୀଢ଼ି ମଧ୍ୟ ନିଜ ସଂସ୍କୃତି ପ୍ରତି ଆକର୍ଷିତ ହେଉଛନ୍ତି।

ସିଲ୍କ ସିଟି ମହୋତ୍ସବ କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ଓଡ଼ିଶାର ଗର୍ବ ଓ ପରମ୍ପରାର ପ୍ରତୀକ। ଏହା ଆମକୁ ଆମ ମୂଳ ସଂସ୍କୃତି ସହିତ ଜଡ଼ି ରଖିଥାଏ ଏବଂ ନୂତନ ପୀଢ଼ିକୁ ସୁରକ୍ଷିତ ରଖିବାର ପ୍ରେରଣା ଦେଇଥାଏ। ସେହିପରି, ସିଲ୍କ ସିଟି ମହୋତ୍ସବ ଓଡ଼ିଶାର ସାଂସ୍କୃତିକ ଜୀବନରେ ଏକ ଅବିଭାଜ୍ୟ ଅଂଶ ହିସାବରେ ରହିଆସିଛି ।

ଚଳିତ ବର୍ଷ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଖେଳ ପଡ଼ିଆରେ ଆୟୋଜିତ ହେଉଥିବା ଏହି ସିଲ୍କ ସିଟି ମହୋତ୍ସବକୁ ଦେଖିବା ପାଇଁ କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରୁ ମଧ୍ୟ ଅନେକ ଲୋକେ ଆସିଛନ୍ତି। ସେପଟେ ଆଜି କେବଳ ମେଳା କି ସୁନ୍ଦର ଜିନିଷ ପାଇଁ ମହୋତ୍ସବଟି ଆକର୍ଷଣ ହୋଇଛି ସେତିକି ନୁହେଁ ଓଡ଼ିଆ ଗୀତିକାର ଅନ୍ତରା ଚକ୍ରବର୍ତ୍ତୀଙ୍କ ପାଇଁ ଦୁଲକିଛି ମଞ୍ଚ । ତାଙ୍କ ଗୀତରେ ଲୋକେ ମତୁଆଲା ହେବା ସହ ଝୁମିଥିଲେ ଦର୍ଶକ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score