Explore

Search

January 15, 2026 9:49 pm

ସହରରେ ଗଡିବ ଛୋଟ ଇ-ବସ, ବ୍ରହ୍ମପୁରରେ ହେବ ମଲ୍ଟି ଇଭି ଚାର୍ଜିଂ ଷ୍ଟେସନ

ଭୁବନେଶ୍ୱର / ବ୍ରହ୍ମପୁର : ଯାତ୍ରୀ ସୁରକ୍ଷା ଓ ପରିବେଶ ସଂରକ୍ଷଣକୁ ପ୍ରାଥମିକତା ଦେଇ ରାଜ୍ୟ ସରକାର ଆମ ବସ ସେବାରେ ନୂଆ ପଦକ୍ଷେପ ନେଇଛନ୍ତି । ୧.୫ ଲକ୍ଷ କିଲୋମିଟରରୁ ଅଧିକ ଚଳାଚଳ କରିସାରିଥିବା ବିପିଟିଏସଏଲର ୩୦ଟି ପୁରୁଣା ବସକୁ ସ୍କ୍ରାପିଂ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହାର ବଦଳରେ କଟକ ଓ ଭୁବନେଶ୍ୱର ସହରର ବିଭିନ୍ନ ରାସ୍ତାରେ ଛୋଟ ଇ-ବସ ଚଳାଚଳ କରାଯିବ ।

ଏ ସମ୍ପର୍କିତ ଆଲୋଚନା ପାଇଁ CRUT କାର୍ଯ୍ୟାଳୟରେ ଆମ ବସ ସେବାକୁ ନେଇ ଗଠିତ ଉଚ୍ଚସ୍ତରୀୟ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରିଥିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ । ବୈଠକରେ ସଡ଼କ ସୁରକ୍ଷା, ଯାତ୍ରୀଙ୍କ ପାଇଁ ଅଧିକ ସୁବିଧାଜନକ ଆମ ବସ ସେବା ଓ ଚାଳକମାନଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି ।

ଜାନୁଆରୀ ମାସର ପ୍ରଥମ ଦୁଇ ସପ୍ତାହରେ ଆମ ବସ ଗୁଡ଼ିକର ସ୍ପିଡ ଲିମିଟ ନିୟମିତ ଭାବେ ଯାଞ୍ଚ କରାଯାଇଥିଲା । ଏହି ସମୟ ସୀମାରେ କୌଣସି ବସ ଅଧିକ ବେଗରେ ଚଳାଚଳ କରିନଥିବା ଜଣାପଡ଼ିଛି । ଏଥିସହ ବସ ଷ୍ଟପ ଗୁଡ଼ିକରେ ଯାତ୍ରୀ ରହଣି, ଆଲୋକ, ବସିବା ବ୍ୟବସ୍ଥା ସହ ଆବଶ୍ୟକ ଭିତ୍ତିଭୂମି ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଛି ।

ଆମ ବସ ଚାଳକମାନଙ୍କର ଡ୍ରାଇଭିଂ କୌଶଳ ଉନ୍ନତ କରିବା ପାଇଁ ଡ୍ରାଇଭିଂ ଟ୍ରେନିଂ ସ୍କୁଲ (ଆଇଡିଟିଆର)କୁ ଇ-ବସ ଯୋଗାଇବାକୁ ନିଷ୍ପତ୍ତି ନିଆଯାଇଛି । ଏଠାରେ ଦୈନିକ ଭାବେ ଚାଳକମାନେ ଟ୍ରେନିଂ ନେଇପାରିବେ । ଏହା ପାଇଁ ଆବଶ୍ୟକ ଭିତ୍ତିଭୂମି ଉନ୍ନୟନ କରାଯିବ ।

ଏହାସହ ଛତିଆ, ବ୍ରହ୍ମପୁର ଓ ସୁନ୍ଦରଗଡ଼, ବଣାଇର ବିଭିନ୍ନ ସ୍ଥାନରେ ମଲ୍ଟି ଇ-ଭି ଚାର୍ଜିଂ ଷ୍ଟେସନ ସ୍ଥାପନ ପାଇଁ ଯୋଜନା କରାଯାଇଛି । ଏହି ଚାର୍ଜିଂ କେନ୍ଦ୍ର ଗୁଡ଼ିକରେ ସରକାରୀ ଓ ବେସରକାରୀ ଯାନ ସହିତ ଚାରିଚକିଆ ଇଭି ଯାନମାନଙ୍କୁ ମଧ୍ୟ ଚାର୍ଜ କରିବାର ସୁବିଧା ରହିବ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score