Explore

Search

February 15, 2026 3:44 pm

ଶୀତୁଆ ସନ୍ଧ୍ୟାରେ କମ୍ପିବ କଳିଙ୍ଗ ଷ୍ଟାଡ଼ିୟମ, କାଲିଠୁ ହକି ଇଣ୍ଡିଆ ଲିଗ

ଭୁବନେଶ୍ୱର : ଆଉ ଦିନକ ପରେ ହକିର ଉତ୍ସାହରେ କମ୍ପି ଉଠିବ କଳିଙ୍ଗ ଷ୍ଟାଡ଼ିୟମ । କାଲିଠୁ ଆରମ୍ଭ ହେବାକୁ ଯାଉଛି ପ୍ରତିଷ୍ଠିତ ପୁରୁଷ ହକି ଇଣ୍ଡିଆ ଲିଗ। ବହୁପ୍ରତୀକ୍ଷିତ ଟୁର୍ଣ୍ଣାମେଣ୍ଟ ପାଇଁ ସମସ୍ତ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶୀତୁଆ ସନ୍ଧ୍ୟାରେ ହକି ମ୍ୟାଚ ଦେଖି ଦର୍ଶକମାନେ ହେବେ ମତୁଆଲା। ଆଲୋକସଜ୍ଜା, ମାଟିର ଗୁଣମାନ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ।

ହକି ଇଣ୍ଡିଆ ଲିଗରେ ଭାଗ ନେବାକୁ ଦେଶ-ବିଦେଶର ଖେଳାଳିମାନେ ଭୁବନେଶ୍ୱରରେ ପହଞ୍ଚି ସାରିଲେଣି । ସମସ୍ତ ଟିମ ଅଭ୍ୟାସରେ ବ୍ୟସ୍ତ ଥିବା ବେଳେ ହକି ପ୍ରେମୀମାନଙ୍କ ଉତ୍ସାହ ଚରମ ସୀମାକୁ ପହଞ୍ଚିଛି । ଏବେ ମାତ୍ର କିଛି ମୁହୂର୍ତ୍ତର ଅପେକ୍ଷା। କେବେ ଗଡିବ ବଲ, କେବେ ମାଟିକୁ ଓହ୍ଲାଇବେ ବେଙ୍ଗଲ ଟାଇଗରସ ଓ ହାଇଦ୍ରାବାଦ ଦଳର ଖେଳାଳି, ସେହି ମୁହୂର୍ତ୍ତକୁ ନେଇ ସମଗ୍ର ହକି ପ୍ରେମୀ ଉତ୍ସୁକତାରେ ରହିଛନ୍ତି ।

ହକି ପ୍ରେମୀଙ୍କ ପାଇଁ ଆସନ୍ତାକାଲି ଅର୍ଥାତ ଜାନୁଆରୀ ୧୭ ତାରିଖ ହେବ ରୋମାଞ୍ଚର ଆରମ୍ଭ। ସେହିଦିନ ପୁରୁଷ ହକି ଇଣ୍ଡିଆ ଲିଗରେ ୨ଟି ହାଇଭୋଲଟେଜ୍ ମ୍ୟାଚ ଖେଳାଯିବ। ଦିନର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ବେଙ୍ଗଲ ଟାଇଗରସ ଓ ହାଇଦ୍ରାବାଦ ତୁଫାନସ । ଏହାପରେ ଦ୍ୱିତୀୟ ମ୍ୟାଚରେ କଳିଙ୍ଗ ଲାନସର୍ସ ଓ ଦିଲ୍ଲୀ ଏସଜି ପାଇପର୍ସ ମଧ୍ୟରେ ଜୋରଦାର ଟକ୍କର ହେବ।

ସୂଚନା ଅନୁସାରେ, ହକି ଇଣ୍ଡିଆ ଲିଗର ଗ୍ରୁପ ପର୍ଯ୍ୟାୟର ମ୍ୟାଚ ଗୁଡ଼ିକ ଜାନୁଆରୀ ୧୭ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଏହି ଅବଧିରେ ପ୍ରତିଦିନ ହକିର ରୋମାଞ୍ଚକର ମୁହୂର୍ତ୍ତ ଦେଖିବାକୁ ମିଳିବ ।

ହକିର ଉତ୍ସାହ, ଉତ୍ତେଜନା ଓ ରୋମାଞ୍ଚରେ କଳିଙ୍ଗ ଷ୍ଟାଡ଼ିୟମ ପୁଣିଥରେ ସାକ୍ଷୀ ହେବ ଏକ ବଡ଼ କ୍ରୀଡ଼ା ମହୋତ୍ସବର। ତେବେ ଭୁବନେଶ୍ୱରରେ ପୂର୍ବରୁ ହକି ଇଣ୍ଡିଆ ଲିଗ ଏବଂ ବିଭିନ୍ନ ଇଭେଣ୍ଟକୁ ନେଇ ଯେଉଁ ଉତ୍ସାହ ରହିଥିଲା ଏଥର ମଧ୍ୟ ସମାନ ଉତ୍ସାହ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

ମାଗଣା ଟିକେଟ :

ସମ୍ପୂର୍ଣ୍ଣ ମାଗଣାରେ ଦର୍ଶକ କଳିଙ୍ଗ ଷ୍ଟାଡ଼ିୟମରେ ଏଚଆଇଏଲର ମ୍ୟାଚ ଗୁଡିକ ଦେଖିବାକୁ ପାଇବେ । ଷ୍ଟାଡ଼ିୟମରେ ପ୍ରବେଶ ପାଇଁ କିନ୍ତୁ ଦର୍ଶକଙ୍କୁ ଟିକେଟ ବୁକ କରିବାକୁ ପଡିବ । ଆଉ ଷ୍ଟାଡ଼ିୟମରେ ପ୍ରବେଶ ସମୟରେ ଏହାକୁ ଦେଖାଇବାକୁ ପଡିବ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score