Explore

Search

February 11, 2026 1:46 pm

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, ଏହି ଆପରେ ଟିକେଟ ବୁକିଂ କଲେ ମିଳିବ ରିହାତି

ନୂଆଦିଲ୍ଲୀ : ରେଳ ଯାତ୍ରୀଙ୍କ ପାଇଁ ରେଳବାଇ ଆଣିଛି ଏକ ବଡ଼ ଖୁସି ଖବର । ଟିକେଟ ବୁକିଂରେ ସହଜ ଓ ଯାତ୍ରୀଙ୍କୁ ରିହାତି ଦେବା ପାଇଁ ରେଳବାଇ ଆପଣେଇଛି ନୂଆ ଆପ । ଯାତ୍ରୀଙ୍କ ପାଇଁ ଟିକେଟ ବୁକିଂ ପ୍ରକ୍ରିୟାକୁ ଅଧିକ ସହଜ ଓ ସୁଲଭ କରିବା ଉଦ୍ଦେଶ୍ୟରେ ଭାରତୀୟ ରେଳବାଇ ପକ୍ଷରୁ ଏକ ବିଶେଷ ରିହାତି ଯୋଜନା ଆରମ୍ଭ କରାଯାଇଛି । RailOne ଆପ ମାଧ୍ୟମରେ ଅଣସଂରକ୍ଷିତ (ଜେନେରାଲ୍) ଟିକେଟ ବୁକ କଲେ ଯାତ୍ରୀମାନେ ଏବେ ୩ ପ୍ରତିଶତ ରିହାତିର ସୁବିଧା ପାଇପାରିବେ ।

ଟିକେଟ ପେମେଣ୍ଟ ସମୟରେ ଯଦି ଯାତ୍ରୀମାନେ ରେଳବାଇର ଡିଜିଟାଲ ୱାଲେଟ R-Wallet ବ୍ୟବହାର କରନ୍ତି, ତେବେ ମିଳୁଥିବା ରିହାତି ୩ ପ୍ରତିଶତରୁ ବଢ଼ି ସିଧାସଳଖ ୬ ପ୍ରତିଶତ ପର୍ଯ୍ୟନ୍ତ ହେବ। ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏହି ବିଶେଷ ଅଫର ଆସନ୍ତା ଛଅ ମାସ ପର୍ଯ୍ୟନ୍ତ, ଅର୍ଥାତ ୧୪ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଜାରି ରହିବ।

ରେଳ ଯାତ୍ରୀମାନଙ୍କ ପାଇଁ ରେଳବାଇ ପକ୍ଷରୁ ଆସିଥିବା ଏହି ବିଶେଷ ରିହାତି ସୁବିଧା କେବଳ RailOne ମୋବାଇଲ ଆପ ମାଧ୍ୟମରେ ହିଁ ଉପଲବ୍ଧ ରହିବ। ଏହି ଯୋଜନା ଅନ୍ୟ କୌଣସି ରେଳ ସେବା ଆପ, ଯେପରିକି IRCTC Rail Connect କିମ୍ବା ଅନ୍ୟ ଅନଲାଇନ ପ୍ଲାଟଫର୍ମରେ ଲାଗୁ ହେବ ନାହିଁ।

କ’ଣ ଏହି RailOne ଆପ ?

ନୂଆ ଡିଜିଟାଲ ପଦକ୍ଷେପ ଭାବେ ଭାରତୀୟ ରେଳବାଇ ଯାତ୍ରୀ ସୁବିଧାକୁ ଆହୁରି ସହଜ କରିବା ଲାଗି ‘RailOne’ ନାମକ ଏକ ଆଧୁନିକ ମୋବାଇଲ ଆପ ଆଣିଛି । RailOne ଆପ ମାଧ୍ୟମରେ ଟ୍ରେନ ଟିକେଟ ବୁକିଂ, PNR ନମ୍ବର ଆଧାରରେ ଯାତ୍ରା ସ୍ଥିତି ଯାଞ୍ଚ, ଟ୍ରେନ ଚଳାଚଳ ସମ୍ପର୍କିତ ସୂଚନା ପ୍ରାପ୍ତି ସହିତ ଯାତ୍ରା ସମୟରେ ଖାଦ୍ୟ ଅର୍ଡର କରିବା ସୁବିଧା ମଧ୍ୟ ମିଳୁଛି । ଏହା ଦେଶର ସମସ୍ତ ଅଞ୍ଚଳର ଯାତ୍ରୀମାନେ ବ୍ୟବହାର କରିପାରିବେ।

ତୁରନ୍ତ ରିଫଣ୍ଡ :

RailOne ଆପରେ ଟିକେଟ ବାତିଲ ଏବଂ ରିଫଣ୍ଡ ପ୍ରକ୍ରିୟା ମଧ୍ୟ ଖୁବ ଶୀଘ୍ର ଓ ସହଜ ହୋଇଛି । ଏହି ଗୋଟିଏ ଆପରେ ହିଁ ଟିକେଟ ବାତିଲ, ରିଫଣ୍ଡ ଟ୍ରାକିଂ ସହ ଟ୍ରେନ ଆଲର୍ଟ, PNR ଅପଡେଟ ଓ ଅଭିଯୋଗ ସ୍ଥିତି ସମ୍ପର୍କିତ ରିଅଲ-ଟାଇମ ସୂଚନା ମିଳିପାରୁଛି ।

ଯାତ୍ରୀଙ୍କ ପାଇଁ ଲାଭ :

ଏହି ନୂଆ ପଦକ୍ଷେପ ଯାତ୍ରୀ ସେବାକୁ ଆହୁରି ସରଳ, ଦ୍ରୁତ ଏବଂ ନିରାପଦ କରିବାରେ ସାହାଯ୍ୟ କରୁଛି । ସରକାରୀ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଟିକେଟ ବୁକିଂ ଓ ପେମେଣ୍ଟ ସୁବିଧା ଯୋଗାଇ ରେଳବାଇ ‘ଡିଜିଟାଲ୍ ଇଣ୍ଡିଆ’ ଉଦ୍ୟମକୁ ଅଧିକ ଶକ୍ତି ଦେଉଛି । ଯାତ୍ରୀମାନେ ଏବେ RailOne ଆପ ବ୍ୟବହାର କରି R-Wallet ମାଧ୍ୟମରେ ସହଜରେ ଟିକେଟ କିଣି, ରିହାତି ସହିତ ଆଧୁନିକ ଓ ସୁବିଧାଜନକ ଯାତ୍ରାର ଲାଭ ଉଠାଇପାରିବେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score