Explore

Search

April 13, 2026 9:38 pm

ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସମ୍ପର୍ଣ୍ଣ ହେଲା ଆଶା ତାଇଙ୍କ ଅନ୍ତିମ ସଂସ୍କାର

ମୁମ୍ବାଇ : ନୀରବି ଗଲେ ପ୍ରସିଦ୍ଧ ଗାୟିକା ଆଶା ଭୋସଲେ । ରବିବାର ୯୨ ବର୍ଷରେ ଆଖି ବୁଜିଥିଲେ ଆଶା ଭୋସଲେ। ଆଜି କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କ ହେଲା ଶେଷକୃତ୍ୟ । ମୁମ୍ବାଇ ଶିବାଜୀ ପାର୍କରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସମ୍ପର୍ଣ୍ଣ ହେଲା ଆଶା ତାଇଙ୍କ ଅନ୍ତିମ ସଂସ୍କାର। ହୃଦୟ ସମ୍ବନ୍ଧୀୟ ଅସୁସ୍ଥତା ପରେ ଗତ ଶନିବାର ରାତିରେ ତାଙ୍କୁ ମୁମ୍ବାଇର ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ଦେହାନ୍ତ ହୋଇଥିଲା। ଯାହା ସଙ୍ଗୀତ ଜଗତରେ ଦୁଃଖର ଲହରୀ ଖେଳିଯାଇଛି।

ଏହି ଘଟଣାରେ ଏକ ଅଦ୍ଭୁତ ସମ୍ପର୍କ ମଧ୍ୟ ଦେଖାଯାଇଛି । ତାଙ୍କ ବଡ଼ ଭଉଣୀ ତଥା ଖ୍ୟାତନାମା ଗାୟିକା ଲତା ମଙ୍ଗେସକର ଙ୍କର ୨୦୨୨ ମସିହା ଫେବୃଆରୀ ୬ ତାରିଖରେ ପରଲୋକ ହୋଇଥିଲା। ସେହି ଦିନ ରବିବାର ଥିଲା ଏବଂ ସଂଯୋଗବଶତଃ ଏବେ ତାଙ୍କ ଭଉଣୀ ଅର୍ଥାତ ଆଶା ଭୋସଲେଙ୍କର ଦେହାନ୍ତ ମଧ୍ୟ ରବିବାରରେ ହେବାରୁ ଏହାକୁ ଏକ ସଂଯୋଗ ବୋଲି ଦେଖାଯାଉଛି । ତେବେ ଆଶା ଭୋସଲେଙ୍କର ଶେଷକୃତ୍ୟ ଆଜି ଅପରାହ୍ନ ୪:୦୦ ଟାରେ କରାଗଲା। ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯାଇଥିଲା।

ସଙ୍ଗୀତ ଜଗତରେ ଅଭୁଲା ଛାପ :

ମରାଠୀ, ହିନ୍ଦୀ ସହିତ ଅନେକ ଭାଷାରେ ନିଜ ସୁରର ମାଧୁର୍ଯ୍ୟରେ ସଙ୍ଗୀତ ଜଗତରେ ଏକ ଅଲଗା ପରିଚୟ ଗଢ଼ିଥିଲେ ଆଶା ତାଇ । ୭ ଦଶକରୁ ଅଧିକ ସମୟ ଧରି ତାଙ୍କର ସଙ୍ଗୀତ ଯାତ୍ରା ଲକ୍ଷ୍ୟାଧିକ ଶ୍ରୋତାଙ୍କ ମନକୁ ଛୁଇଁଛି ।

ବିଭିନ୍ନ ଶୈଳୀର ଗୀତକୁ ସମାନ ଦକ୍ଷତାରେ ଗାଇ ସେ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଅପାର ଲୋକପ୍ରିୟତା ହାସଲ କରିଥିଲେ। ତାଙ୍କ ଦ୍ୱାରା ଗାଇଥିବା ଗୀତ ଗୁଡ଼ିକ ଭାଷା ଓ ସୀମାକୁ ଅଟିକି ନରହି, ସମସ୍ତଙ୍କ ହୃଦୟକୁ ଯୋଡି ରଖିଛି ।

ପାଖାପାଖି ୨୦ରୁ ଅଧିକ ଭାଷାରେ ଗୀତ ଗାଇଛନ୍ତି । ୧୬ ହଜାରରୁ ଅଧିକ ଗୀତ ରେକର୍ଡ କରିବା ସହ ସର୍ବାଧିକ ଷ୍ଟୁଡିଓ ରେକର୍ଡିଂ ପାଇଁ Guinness World Records ରେ ତାଙ୍କ ନାମ ମଧ୍ୟ ଯୋଡ଼ା ଯାଇଛି । କେବଳ ହିନ୍ଦୀ ନୁହେଁ ଓଡ଼ିଆ ସଙ୍ଗୀତ ଜଗତରେ ଆଶା ଭୋସଲେଙ୍କ ନାମ ସଦା ସ୍ମରଣୀୟ ରହିବ। ତାଙ୍କର ସୁମଧୁର କଣ୍ଠ ଓଡ଼ିଆ ଶ୍ରୋତାଙ୍କ ହୃଦୟରେ ଆଜି ବି ଜୀବିତ ରହିଛି ।

୧୯୮୧ ମସିହାର ‘ଆରତି’ ଚଳଚ୍ଚିତ୍ରର ଗୀତ “ଜହ୍ନ ଗୋ ତୁମେ ଝୁରନା…, ୧୯୭୭ର ‘ସନ୍ଧ୍ୟାତାରା’ ଫିଲ୍ମର “ମୁଁ ହଜିଛି ତୁମ ଆଖିରେ…” ଭଳି ଅନେକ ହିଟ ଗୀତ ଆଜି ବି ଶ୍ରୋତାଙ୍କ ମନକୁ ଭିଜାଇ ଦିଏ । ସେପରି ୧୯୭୬ର ‘ସମୟ’ ଫିଲ୍ମର “ଝିମି ଝିମି…” ଓ ‘ମା’ ଚଳଚ୍ଚିତ୍ରର “ତୋ ନାଁରେ ପିନ୍ଧିଲି ଚୁଡି…” ଭଳି ଗୀତ ଗାଇ ସଙ୍ଗୀତପ୍ରେମୀଙ୍କ ମନରେ ବସା ବାନ୍ଧିଥିଲେ ।

ଆଉ ସବୁଠୁ ବଡ଼ କଥା “ବନ୍ଦେ ଉତ୍କଳ ଜନନୀ” ଭଳି ଅମର ଗୀତ ଗାଇ ସେ ଓଡ଼ିଆ ମାଟି ଓ ଲୋକଙ୍କ ସହ ଏକ ଗଭୀର ଭାବନାତ୍ମକ ସମ୍ପର୍କ ଗଢ଼ିଥିଲେ। ଏହି କାରଣରୁ ତାଙ୍କ ବିୟୋଗ ଖବର ଓଡ଼ିଆ ସମାଜକୁ ଗଭୀର ଦୁଃଖରେ ବୁଡାଇ ଦେଇଛି।

କେତେ କୋଟି ଟଙ୍କାର ସମ୍ପତ୍ତିର ମାଲିକାଣୀ ଆଶା ତାଇ ?

ଆଶା ଭୋସଲେ ଅତି ଛୋଟ ବୟସରୁ ସଙ୍ଗୀତ ଯାତ୍ରା ଆରମ୍ଭ କରିଥିଲେ। ପ୍ରାୟ ୧୦ ବର୍ଷ ବୟସରେ ଗୀତ ଗାଇବାରୁ ଆରମ୍ଭ କରି, ପରେ ସେ ଭାରତୀୟ ସଙ୍ଗୀତ ଜଗତରେ ଏକ ଦୃଢ଼ ପରିଚୟ ଗଢ଼ିଥିଲେ। ତାଙ୍କ ଅସାଧାରଣ ଅବଦାନ ପାଇଁ ସେ ପଦ୍ମବିଭୂଷଣ ଏବଂ ଦାଦା ସାହେବ ଫାଲକେ ସମ୍ମାନ ପରି ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ତେବେ ତାଙ୍କ ଆର୍ଥିକ ସ୍ଥିତି ନେଇ କହିଲେ, ବିଭିନ୍ନ ରିପୋର୍ଟ ଅନୁସାରେ ତାଙ୍କ ସମ୍ପତ୍ତି ପ୍ରାୟ ୧୫୦ କୋଟିରୁ ୨୦୦ କୋଟି ଟଙ୍କା ମଧ୍ୟରେ ଥିବା ଆନୁମାନ କରାଯାଏ। ତାଙ୍କ ଆୟର ମୂଳ ଆଧାର ହେଉଛି ଦୀର୍ଘ ସମୟର ସଫଳ ସଙ୍ଗୀତ ଯାତ୍ରା, ଗୀତର ରୟାଲ୍ଟି ଓ ଅନେକ ହିଟ୍ ଆଲବମ ।

ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତରେ ନୂଆ ଧାରାର ଆରମ୍ଭରେ ଆଶା ଭୋସଲେଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ମନାଯାଏ। ତାଙ୍କ କଣ୍ଠର ଉତ୍ସାହ ଓ ତାଳମୟ ଶୈଳୀ ଶ୍ରୋତାଙ୍କୁ ନୂତନ ଅନୁଭୂତି ଦେଇଥିଲା। ‘ରମ୍ବା ହୋ’ ଓ ‘ଦମ୍ ମାରୋ ଦମ୍’ ପରି ଗୀତରେ ତାଙ୍କ ସ୍ବରର ଶକ୍ତି ଓ ନୂତନତ୍ୱ ସ୍ପଷ୍ଟ ଭାବେ ଅନୁଭବ କରାଯାଇଥିଲା।

ପ୍ରେମମୟ ଗୀତ ହେଉ କି ସୁଫିଆନା ଧାରା, ପାରମ୍ପରିକ ସଙ୍ଗୀତ ହେଉ କି ଭକ୍ତିମୟ ଗୀତ ସମସ୍ତ ଶୈଳୀରେ ତାଙ୍କ କଣ୍ଠ ଏକ ଅଲଗା ମାୟା ସୃଷ୍ଟି କରିଥିଲା। ତାଙ୍କ ଗାଇଥିବା ଅନେକ ସ୍ମରଣୀୟ ଗୀତ ଆଜିବି ଶ୍ରୋତାଙ୍କ ମନରେ ଗୁଞ୍ଜି ଚାଲିଛି ।

‘ଚୁରା ଲିୟା ହେ ତୁମନେ’, ‘ଇନ୍ ଆଖୋ କି ମସ୍ତି’, ‘ଉଡ଼େ ଜବ୍ ଜବ୍ ଜୁଲଫେନ୍ ତେରୀ’ ଓ ‘ଅଭି ନା ଜାଓ ଛୋଡ଼ କର’ ପରି ଅସଂଖ୍ୟ ଗୀତ ତାଙ୍କ ସୁରିଲା କଣ୍ଠର ଅମୂଲ୍ୟ ଚିହ୍ନ ଭାବେ ରହିଛି।

କେବଳ ଗାୟିକା ଭାବେ ନୁହେଁ, ବ୍ୟବସାୟ କ୍ଷେତ୍ରରେ ମଧ୍ୟ ସେ ନିଜ ଛାପ ରଖିଥିଲେ। ଆଶାଙ୍କ ନାମରେ ଏକ ଆନ୍ତର୍ଜାତୀୟ ଡାଇନିଂ ବ୍ରାଣ୍ଡ ଆରମ୍ଭ କରି ସେ ବିଶ୍ୱସ୍ତରରେ ପରିଚିତ ହୋଇଥିଲେ । ୨୦୦୨ ମସିହାରେ ଦୁବାଇରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ଆଜି କୁଏତ, ବାହାରିନ, ଆବୁଧାବି ଏବଂ ୟୁକେର ବର୍ମିଂହାମ ଏବଂ ମାଞ୍ଚେଷ୍ଟର ପରି ସହର ଗୁଡ଼ିକରେ ବିସ୍ତାର ପାଇଛି । ମଧ୍ୟପ୍ରାଚ୍ୟ ଓ ୟୁକେରେ ଏହାର ଅନେକ ଆଉଟଲେଟ ସଫଳତାର ସହ ଚାଲୁଛି । କିନ୍ତୁ ସେ ନାହାଁନ୍ତି । ସବୁ ଦିନ ପାଇଁ ନିରବୀ ଯାଇଛନ୍ତି ଆଶା ଭୋସଲେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score