ରାଉରକେଲା : ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିବା ଏକ ଛୋଟ ଘରୋଇ ବିମାନ ରାଉରକେଲା ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନବନ୍ଦରରୁ ପ୍ରାୟ ୯ କିଲୋମିଟର ଦୂରେ ଘଟିଥିବା ଏହି ଦୁର୍ଘଟଣାରେ ପାଇଲଟ ସହ ମୋଟ ୬ ଜଣ ଆହତ ହୋଇଛନ୍ତି । ତେବେ ଏହି ଘଟଣାରେ କୌଣସି ପ୍ରାଣହାନି ଘଟିନାହିଁ।
ସୂଚନା ଅନୁସାରେ, ଚାର୍ଲି ୨୦୮ ମଡେଲର ଏହି ୯-ସିଟର ବିମାନଟି ଆଜି ଭୁବନେଶ୍ୱର ବିମାନବନ୍ଦରରୁ ରାଉରକେଲା ପାଇଁ ଉଡାଣ ଭରିଥିଲା । ବିମାନଟି ଦିନ ୧.୧୫ଟାରେ ରାଉରକେଲାରେ ଅବତରଣ କରିବାର ସୂଚି ଥିଲା । କିନ୍ତୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବାର କିଛି ମିନିଟ ପୂର୍ବରୁ ଜଳଦା ଅଞ୍ଚଳ ନିକଟରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା ।
ପରିସ୍ଥିତିର ଗମ୍ଭୀରତା ଅନୁଭବ କରି ପାଇଲଟ ତୁରନ୍ତ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ସୂଚନା ଦେଇ ଜନବସତି ଅଞ୍ଚଳକୁ ଏଡ଼ାଇ ଏକ ଖୋଲା ପଡିଆରେ ଆପାତକାଳୀନ ଲ୍ୟାଣ୍ଡିଂ କରିଥିଲେ । ଲ୍ୟାଣ୍ଡିଂ ସମୟରେ ବିମାନର ଲ୍ୟାଣ୍ଡିଂ ଗିୟର ସଠିକ୍ ଭାବେ ଖୋଲିନଥିବା କାରଣରୁ ବିମାନଟି କ୍ରାସ ହୋଇଥିଲା।
୨ ପାଇଲଟ ସହ ୪ ଯାତ୍ରୀ ଆହତ
ଏହି ଦୁର୍ଘଟଣାରେ ଦୁଇଜଣ ପାଇଲଟ କ୍ୟାପଟେନ ନବୀନ କାଦାଙ୍ଗା ଓ କ୍ୟାପ୍ଟେନ ତରୁଣ ଶ୍ରୀବାସ୍ତବ ସହିତ ଚାରିଜଣ ଯାତ୍ରୀ ଆହତ ହୋଇଛନ୍ତି । ଯାତ୍ରୀମାନେ ଅଳ୍ପ ଆହତ ହୋଇଥିବା ବେଳେ, ଜଣେ ପାଇଲଟ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ତୁରନ୍ତ ନିକଟସ୍ଥ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଯାଇଛି । ଡାକ୍ତରମାନଙ୍କ କହିବା ଅନୁସାରେ ସମସ୍ତଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି ।
ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା
ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଦୁଃଖପ୍ରକାଶ କରିଛନ୍ତି। ନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, “ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଖବର ଆଶ୍ୱସ୍ତିକର। ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛି।”
ଏହି ଘଟଣା ସମ୍ପର୍କରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ଯେ, ଏହା ଏକ ଘରୋଇ ବିମାନ ଥିଲା ଏବଂ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ବିସ୍ତୃତ ତଦନ୍ତ କରାଯିବ।
ବିମାନବନ୍ଦରରେ ସତର୍କତା :
ଘଟଣା ପରେ କିଛି ସମୟ ପାଇଁ ରାଉରକେଲା ବିମାନବନ୍ଦରରେ ସତର୍କତା ଜାରି କରାଯାଇଥିଲା। ବିମାନ ସୁରକ୍ଷା ସମ୍ପର୍କିତ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ବିମାନର ଧ୍ୱଂସାବଶେଷ ଯାଞ୍ଚ ସହ ଉଡାଣ ସମ୍ପର୍କିତ ତଥ୍ୟ ସଂଗ୍ରହ କରୁଛନ୍ତି । ତେବେ ସାଧାରଣ ଉଡାଣ ସେବାରେ କୌଣସି ବାଧା ସୃଷ୍ଟି ହୋଇନଥିବା ପ୍ରଶାସନ ସ୍ପଷ୍ଟ କରିଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
