ଛତ୍ରପୁର: ଆଚାର-ପାମ୍ପଡ କଥା ପଡିଲେ ବ୍ରହ୍ମପୁରର କଥା ଆଗେ ଆସେ । ଓଡ଼ିଶାର ସୁଆଦିଆ ଆଚାର-ପାମ୍ପଡ ପାଇଁ ବ୍ରହ୍ମପୁର ବେଶ ପ୍ରସିଦ୍ଧ ଲାଭ କରିଛି । ତେବେ ଏହି ଆଚାର-ପାମ୍ପଡକୁ ନେଇ ମିଶନ ଶକ୍ତି ଜରିଆରେ ସ୍ୱାବଲମ୍ବୀ ହୋଇପାରିଛନ୍ତି ମହିଳାମାନେ । ନିଜେ ୨ ପଇସା ରୋଜଗାର କରିବାସହ ପରିବାର ମଧ୍ୟ ବେଶ ସୁରୁଖୁରରେ ଚଳାଉଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ପଞ୍ଚାୟତର ବଳରାମପୁର ଗାଁରେ ।
ଆଚାର-ପାମ୍ପଡ ତିଆରି କରି ରୋଜଗାରକ୍ଷମ ହୋଇପାରିଛନ୍ତି ଏହି ଗାଁର ଏସଏଚଜି ମହିଳାମାନେ। ମିଶନ ଶକ୍ତି ମାଧ୍ୟମରେ ପ୍ରଥମେ ଏସଏଚଜି ଓ ପରେ ଏକ ଉତ୍ପାଦକ ଗୋଷ୍ଠୀ ତିଆରି କରି ମହିଳାମାନେ ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି । ଏହି ଗାଁର ପ୍ରାୟ ୩୨ଜଣ ମହିଳା ଏକତ୍ରିତ ହୋଇ ଆଚାର-ପାମ୍ପଡ ଆଦି ତିଆରି କରୁଛନ୍ତି । ଆଗରୁ ଏହି ମହିଳାମାନେ ଘର କୋଣରେ ରହୁଥିବା ବେଳେ ମିଶନ ଶକ୍ତି ଏବେ ଦେଇଛି ତାଙ୍କୁ ରୋଜଗାର । ଆଚାର-ପାମ୍ପଡ ଆଦିକୁ ବିକ୍ରି କରି ସେମାନେ ରାଜ୍ୟ ଓ ରାଜ୍ୟ ବାହାରେ ପାଇଛନ୍ତି ସ୍ୱତନ୍ତ୍ର ପରିଚୟ । ଏପରିକି ଯେଉଁ ମେଳା ପଡେ ସେଠାରେ ମଧ୍ୟ ଆଚାର-ପାମ୍ପଡ ବିକ୍ରି କରି ଭଲ ପଇସା ରୋଜଗାର କରନ୍ତି । ପ୍ରଥମେ ଏହି ମହିଳାମାନେ ମିଶନ ଶକ୍ତି ମାଧ୍ୟମରେ ବ୍ୟାଙ୍କରୁ ଋଣ ଆଣି ଅଳ୍ପ ପରିମାଣରେ ଏସବୁ ତିଆରି କରିଥିଲେ । ପରେ ଜିଲ୍ଲା ପ୍ରଶାସନ ଦ୍ୱାରା ଏନେଇ ତାଲିମ ପାଇବା ପରେ ବହୁପରିମାଣରେ ଆଚାର-ପାମ୍ପଡ ଆଦି ତିଆରି କରିଛନ୍ତି ।
ଏନେଇ ମାସକୁ ମହିଳାମାନେ ପ୍ରାୟ ୫ ରୁ ୬ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । ଯାହାଫଳରେ ଏମାନଙ୍କୁ ଅନ୍ୟ କାହା ଉପରେ ନିର୍ଭର କରିବାକୁ ପଡୁନାହିଁ । ଏହାସହ ନିଜ ପରିବାର ଚଳାଇବା ସହ ପିଲାଙ୍କ ପାଠ ପଢ଼ାରେ ମଧ୍ୟ ସେମାନେ ସାହାଯ୍ୟ କରିପାରୁଛନ୍ତି l ଖାଲି ସେତିକି ନୁହେଁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ଆଚାର-ପାମ୍ପଡ ବେଶ ପ୍ରସିଦ୍ଧି ଲାଭ କରିଛି । ଏହାକୁ ଗଞ୍ଜାମ ଗୃହିଣୀ ହାଟରେ ବିକ୍ରି କରି ସେମାନେ ଭଲ ରୋଜଗାର କରିପାରୁଛନ୍ତି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
