Explore

Search

March 24, 2026 11:57 pm

ମହଙ୍ଗା ହେଲା ଫାଷ୍ଟଟ୍ୟାଗ ବାର୍ଷିକ ପାସ : ଏପ୍ରିଲ ୧ରୁ ବଢିବ ଦର, ଗାଡିଚାଳକଙ୍କୁ ଅଧିକ ଭାର

ମହଙ୍ଗା ହେଲା ଫାଷ୍ଟଟ୍ୟାଗ ବାର୍ଷିକ ପାସ । ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ (ଏନଏଚଏଆଇ) ଦ୍ୱାରା ଜାତୀୟ ରାଜପଥରେ ଟୋଲ ଆଦାୟକୁ ସହଜ କରିବା ପାଇଁ ଆରମ୍ଭ ହୋଇଥିବା ଫାଷ୍ଟଟ୍ୟାଗ ବାର୍ଷିକ ପାସ ବ୍ୟବସ୍ଥା ପ୍ରତି ଲୋକଙ୍କ ଆକର୍ଷଣ ଦିନକୁ ଦିନ ବଢୁଛି । ମାତ୍ର ୬ ମାସ ମଧ୍ୟରେ ୫୦ ଲକ୍ଷରୁ ଅଧିକ ବ୍ୟବହାରକାରୀ ଏହି ପାସକୁ ସକ୍ରିୟ କରିଥିବା ବେଳେ, ୨୬ କୋଟିରୁ ଅଧିକ ଟ୍ରାଞ୍ଜାକ୍ସନ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି।

କିନ୍ତୁ ଏହି ସୁବିଧା ସହିତ ଏବେ ଗାଡିଚାଳକଙ୍କ ପାଇଁ ଆସୁଛି ଅତିରିକ୍ତ ଆର୍ଥିକ ଭାର। ଏନଏଚଏଆଇ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଫାଷ୍ଟାଗ ବାର୍ଷିକ ପାସ ଦରକୁ ବଢାଇ ୩,୦୭୫ ଟଙ୍କା କରିବାକୁ ଘୋଷଣା କରିଛି । ବର୍ତ୍ତମାନ ଏହାର ମୂଲ୍ୟ ୩,୦୦୦ ଟଙ୍କା ଥିବା ବେଳେ, ନୂତନ ଦର ୨୦୨୬ ଏପ୍ରିଲ ୧ରୁ ଲାଗୁ ହେବ।

ଏହି ବାର୍ଷିକ ପାସ୍ ମୂଳତଃ ଅଣ-ବାଣିଜ୍ୟିକ ଯାନ ପାଇଁ ନିର୍ଦ୍ଦିଷ୍ଟ ଥିବା ସହିତ, ଦେଶର ଜାତୀୟ ରାଜପଥ ଓ ଏକ୍ସପ୍ରେସୱେରେ ଅବସ୍ଥିତ ପ୍ରାୟ ୧୧୫୦ ଟୋଲ ପ୍ଲାଜାରେ ବ୍ୟବହୃତ ହେଉଛି। ଏହା ପାଇଁ ଗାଡିରେ ଏକ ସକ୍ରିୟ ଫାଷ୍ଟଟ୍ୟାଗ ଲାଗିବା ଆବଶ୍ୟକ । ସରକାରୀ ତଥ୍ୟ ଅନୁସାରେ, ୫୬ ଲକ୍ଷରୁ ଅଧିକ ଯାନମାଲିକ ଏହି ପାସ୍ ପାଇଁ ପଞ୍ଜିକରଣ କରିସାରିଛନ୍ତି ।

ଏହି ଦରବୃଦ୍ଧି ସହିତ ଆଗାମୀ ଦିନରେ ଟୋଲ୍ ଶୁଳ୍କରେ ଆହୁରି ବୃଦ୍ଧି ହେବାର ସଙ୍କେତ ମିଳୁଛି । ସେପଟେ, ୨୦୨୭ ସୁଦ୍ଧା ରାସ୍ତା ଓ ହାଇୱେ ପ୍ରକଳ୍ପରେ ଘରୋଇ ନିବେଶ ଆକର୍ଷଣ ପାଇଁ କେନ୍ଦ୍ର ସରକାର ୧ ଲକ୍ଷ କୋଟି ଟଙ୍କାର ଲକ୍ଷ୍ୟ ଧାରଣ କରିଛନ୍ତି । ୨୦୨୭ ଆର୍ଥିକ ବର୍ଷ ସୁଦ୍ଧା ଘରୋଇ କ୍ଷେତ୍ର ମାଧ୍ୟମରେ ୧ ଲକ୍ଷ କୋଟି ଟଙ୍କାର ହାଇୱେ ପ୍ରକଳ୍ପ ଅମଲ କରିବାକୁ ଲକ୍ଷ୍ୟ ଧରାଯାଇଛି। ବର୍ତ୍ତମାନ ଯେଉଁଠାରେ ନିଜୀ ନିବେଶର ଅଂଶ ଅତ୍ୟଳ୍ପ ରହିଛି, ସେଥିରେ ଗତି ଆଣି ଆସନ୍ତା କିଛି ବର୍ଷ ମଧ୍ୟରେ ଏହାକୁ ୨୫ ଶତାଂଶ ପର୍ଯ୍ୟନ୍ତ ନେବା ପାଇଁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି।

ଏହାସହିତ Build-Operate-Transfer (BOT-Toll) ମଡେଲକୁ ସକ୍ରିୟ କରାଯାଉଛି, ଯାହା ମାଧ୍ୟମରେ ନିବେଶକାରୀମାନେ ଟୋଲ ସଂଗ୍ରହ ଦ୍ୱାରା ନିଜର ନିବେଶ ଫେରତ ପାଇପାରିବେ। ପୂର୍ବରୁ ପ୍ରଶାସନିକ ବିଳମ୍ବ ଓ ରାଜସ୍ୱ ଅନିଶ୍ଚିତତା ଦେଖି ନିବେଶକାରୀମାନେ ଏହି କ୍ଷେତ୍ରରୁ ଦୂରେଇ ରହୁଥିଲେ।

ଏହି ପରିପ୍ରେକ୍ଷୀରେ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବଜେଟରେ ‘ଭିତ୍ତିଭୂମି ବିପଦ ଗ୍ୟାରେଣ୍ଟି ପାଣ୍ଠି’ ଗଠନ ଘୋଷଣା କରିଥିବାରୁ ନିବେଶକାରୀଙ୍କ ଆତ୍ମବିଶ୍ୱାସ ବଢିବ ବୋଲି ଆଶା କରାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score