Explore

Search

March 13, 2026 9:38 pm

ମହଙ୍ଗା ହେବ ମୋବାଇଲ ଡାଟା

ଭୁବନେଶ୍ୱର : ଭାରତରେ ଶସ୍ତା ମୋବାଇଲ ଡାଟା ସୁବିଧା ଯୋଗୁଁ ଇଣ୍ଟରନେଟ ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଛି । ସ୍ମାର୍ଟଫୋନ ବ୍ୟବହାର ବଢିବା ସହିତ ଲୋକମାନେ ଭିଡିଓ ଷ୍ଟ୍ରିମିଂ, ସୋସିଆଲ ମିଡିଆ, ଅନଲାଇନ ଗେମ ଓ ଛୋଟ ଭିଡିଓ ପ୍ଲାଟଫର୍ମରେ ଅଧିକ ସମୟ ବିତାଉଛନ୍ତି । ଏହାର ପରିଣାମରେ ଦେଶରେ ମୋବାଇଲ ଡାଟା ବ୍ୟବହାର ଦ୍ରୁତ ଗତିରେ ବଢୁଛି। ତେବେ ଆଗାମୀ ସମୟରେ ଏହି ଶସ୍ତା ଇଣ୍ଟରନେଟ ସେବା ମହଙ୍ଗା ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ସୂଚନା ଅନୁଯାୟୀ, କେନ୍ଦ୍ର ସରକାର ମୋବାଇଲ ଡାଟା ବ୍ୟବହାର ଉପରେ ଅତିରିକ୍ତ ଟ୍ୟାକ୍ସ ଲାଗୁ କରିବା ସମ୍ଭାବନାକୁ ନେଇ ବିଚାର କରୁଛନ୍ତି । ଏହି ପ୍ରସ୍ତାବକୁ ନେଇ ଡିପାର୍ଟମେଣ୍ଟ ଅଫ ଟେଲିକମ୍ୟୁନିକେସନ (DoT) କୁ ଏକ ବିସ୍ତୃତ ଅଧ୍ୟୟନ କରିବାକୁ କୁହାଯାଇଛି । ମୋବାଇଲ ଡାଟା ବ୍ୟବହାର ଉପରେ ଟ୍ୟାକ୍ସ ଲାଗୁ କରିବା ସମ୍ଭବ କି ନୁହେଁ ଏବଂ ତାହାର ଢାଞ୍ଚା କେମିତି ହେବ, ସେସବୁ ପ୍ରସଙ୍ଗ ଏହି ଅଧ୍ୟୟନରେ ଜଣାପଡିବ ।

ରିପୋର୍ଟ ଅନୁସାରେ, ଟେଲିକମ କ୍ଷେତ୍ର ସମ୍ପର୍କିତ ଏକ ସମୀକ୍ଷା ବୈଠକରେ ଏହି ବିଷୟ ଉଠିଥିଲା। ସେଠାରୁ DoTକୁ ଏହା ଖୋଜଖବର କରିବାକୁ ଦାୟିତ୍ୱ ଦିଆଯାଇଛି ଯେ ଡାଟା ବ୍ୟବହାର ଉପରେ ଅଲଗା ଟ୍ୟାକ୍ସ ଲାଗୁ କରିବା ଉଚିତ କି ନୁହେଁ ।

ସରକାର ଯେଉଁ ପ୍ରସ୍ତାବ ଉପରେ ଚର୍ଚ୍ଚା କରୁଛନ୍ତି, ସେଥିରେ ପ୍ରତି GB ମୋବାଇଲ ଡାଟା ବ୍ୟବହାର ଉପରେ ୧ ଟଙ୍କା ଟ୍ୟାକ୍ସ ଲାଗୁ କରିବା ବିକଳ୍ପ ରହିଛି । ଯଦି ଏହାକୁ ଲାଗୁ କରାଯାଏ, ତେବେ ଅତିରିକ୍ତ ଖର୍ଚ୍ଚ ଯୋଗ ହେବ ।

ଅନୁମାନ କରାଯାଉଛି ଯେ ପ୍ରତି GB ଡାଟା ଉପରେ ୧ ଟଙ୍କା ଟ୍ୟାକ୍ସ ଲାଗୁ ହେଲେ ସରକାର ପ୍ରତିବର୍ଷ ପ୍ରାୟ ୨୨ ହଜାର ୯୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଆୟ କରିପାରିବ । ହେଲେ ଏହି ପ୍ରସ୍ତାବ ଏପର୍ଯ୍ୟନ୍ତ ଚର୍ଚ୍ଚା ପର୍ଯ୍ୟାୟରେ ରହିଛି ଓ ଏହା ଉପରେ କୌଣସି ଅନ୍ତିମ ସିଦ୍ଧାନ୍ତ ଘୋଷଣା ହୋଇନାହିଁ।

ଉଲ୍ଲେଖନୀୟ ଯେ, ବର୍ତ୍ତମାନ ମୋବାଇଲ ରିଚାର୍ଜ ଓ ପୋଷ୍ଟପେଡ ବିଲ ଉପରେ ୧୮ ପ୍ରତିଶତ GST ଲାଗୁ ହେଉଛି। ତେଣୁ ଯଦି ଡାଟା ବ୍ୟବହାର ଉପରେ ନୂଆ ଟ୍ୟାକ୍ସ ଲାଗୁ ହୁଏ, ତେବେ ଏହା ଗ୍ରାହକଙ୍କ ପାଇଁ ଆଉ ଏକ ଅତିରିକ୍ତ ଭାର ହେବ ବୋଲି ଅନେକ ମହଲରେ ଚର୍ଚ୍ଚା ଚାଲିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score