Explore

Search

December 30, 2025 1:06 am

ମନମୋହୁଛି କାଣ୍ଡିଆ ଜଳପ୍ରପାତ, ମିଳୁନି ପର୍ଯ୍ୟଟନସ୍ଥଳୀର ମାନ୍ୟତା

ରାଇରଙ୍ଗପୁର : ଓଡ଼ିଶାର ପର୍ଯ୍ୟଟନସ୍ଥଳୀ କଥା ଆସିଲେ ସବୁଠି ଆଗରେ ରହେ ମୟୂରଭଞ୍ଜ ଜିଲ୍ଲା । ଏହି ଜିଲ୍ଲାରେ ବିଭିନ୍ନ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ରହିଛି । ଯାହାକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଛୁଟି ଆସନ୍ତି ପର୍ଯ୍ୟଟକ । ଆଉ ଏହି ଶୀତଋତୁ ଆରମ୍ଭ ହେବା ମାତ୍ରେ ସତେ ଯେମିତି ପ୍ରକୃତି ହାତ ଠାରି ଡାକୁଛି ପର୍ଯ୍ୟଟକଙ୍କୁ । ତେବେ ମୟୂରଭଞ୍ଜ ଜିଲ୍ଲାର ଅନେକ ସ୍ଥାନ ମନ କିଣି ନେଉଥିବା ବେଳେ ସେଥିମଧ୍ୟରୁ କାଣ୍ଡିଆ ଜଳପ୍ରପାତ ଅନ୍ୟତମ । ଏହା ସାରସକଣା ବ୍ଲକର ଶଙ୍ଖଭଙ୍ଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଲାପଟା ଗ୍ରାମରେ ଅବସ୍ଥିତ । ସଦର ମହକୁମା ବାରିପଦା ସହରରୁ ୬୦ କିଲୋମିଟର ଓ ରାଇରଙ୍ଗପୁରରୁ ବିଶୋଇ ଯିବା ବାଟରେ ୫୦ କିଲୋମିଟର ଦୂରରେ ଅବସ୍ଥିତ କାଣ୍ଡିଆ ଜଳପ୍ରପାତ। ଦୁଇଟି ବଡ଼ ବଡ଼ ପାହାଡ଼ର ମଝିରୁ କୁଳୁକୁଳୁ ନାଦ କରି ଜଙ୍ଗଲ ମଧ୍ୟରୁ ବୋହି ଆସିଥିବା ଝରଣା, ଗଛଲତା ଭରା ସୁନ୍ଦର ପାହାଡ, ବିଭିନ୍ନ ପ୍ରକାର ଚଢେଇଙ୍କ କିଚିରି ମିଚିରି ରାବ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରେ । ଆଉ ଏହି ଜଳପ୍ରପାତ ନିକଟରେ ପୂଜା ପାଉଛନ୍ତି ଆଦିବାସୀ ସମ୍ପ୍ରଦାୟର କାଣ୍ଡିଆ ଠାକୁର ।

ପ୍ରତିବର୍ଷ ନୂଆବର୍ଷ ଆସିଲେ ଓ ଶୀତ ଋତୁରେ ବଣଭୋଜି ପାଇଁ ଏଠି ଜମେ ପର୍ଯ୍ୟଟକଙ୍କ ଭିଡ । ଏଠାକର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖିଲେ ଲାଗେ ସତେ ଯେମିତି ସେ ହାତଠାରି ଡାକୁଛି ପର୍ଯ୍ୟଟକଙ୍କୁ । ଆଉ ଏହି ମନୋରମା ଭରା ସୁନ୍ଦର ପ୍ରକୃତିକୁ ଉପଭୋଗ କରିଥାନ୍ତି ପର୍ଯ୍ୟଟକ । କିଏ ଫୁଲ ବଗିଚାରେ ସେଲଫି ଉଠାଇ ମଜା ନିଅନ୍ତି ତ ଆଉ କିଏ ବୋହି ଯାଉଥିବା ଝରଣାର ନିକଟରେ ଛିଡ଼ା ହୋଇ ସେଲଫି ନେଇ ଆନନ୍ଦ ପାଇଥାନ୍ତି । ବର୍ଷତମାମ ଏଠାରେ ଗହଳି ଲାଗୁଥିଲେ ସୁଦ୍ଧା ଏହି କାଣ୍ଡିଆ ଜଳପ୍ରପାତକୁ ମିଳିପାରିନାହିଁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ।

କାଣ୍ଡିଆ କ୍ଲବ କମିଟିର ସଦସ୍ୟମାନେ ଏହା ଉପରେ ନଜର ରଖିବା ସହ ଯେପରି କୌଣସି ଅଘଟଣ ନଘଟେ ସେଥିପାଇଁ ସଦା ସର୍ବଦା ସଜାଗ ରହିଥାନ୍ତି । କିନ୍ତୁ ଆଜି ଯାଏ ଏହି କାଣ୍ଡିଆ ଜଳପ୍ରପାତକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିପାରିନାହିଁ । ସରକାରୀ ସହାୟତା ମିଳିପାରିଲେ ଏଠାକୁ ଆହୁରି ପର୍ଯ୍ୟଟକ ଆସନ୍ତେ ବୋଲି କମିଟିର ସଦସ୍ୟ କହିଛନ୍ତି ।

କାଣ୍ଡିଆ ଜଳପ୍ରପାତ ନିକଟକୁ ପଥୁରିଆ, ଅଣଅସାରିଆ ରାସ୍ତା ଦେଇ ବିପଦସଙ୍କୁଳ ଅବସ୍ଥାରେ ପର୍ଯ୍ୟଟକଙ୍କୁ ଯିବାକୁ ପଡିଥାଏ । ଚିକ୍କଣ ପାହାଡ ଦେଇ ଜଳପ୍ରପାତର ଉପର ପାର୍ଶ୍ଵକୁ ପର୍ଯ୍ୟଟକମାନେ ଯାଇଥାନ୍ତି । ଯାହା ଜୀବନ ପ୍ରତି ବିପଦ ଅଛି । ତଥାପି ରାଜ୍ୟ ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ଆନୁସାଙ୍ଗିକ ବ୍ୟବସ୍ଥା କରାଯାଇନାହିଁ । ଏପରିକି ଏଠାରେ ବିଶୁଦ୍ଧ ପାନୀୟଜଳର ମଧ୍ୟ କୌଣସି ବ୍ୟବସ୍ଥା ହୋଇନାହିଁ ।
ସେପଟେ ଶହଶହ ଲୋକଙ୍କ ପାଇଁ ଗୋଟିଏ ମାତ୍ର ନଳକୂପ ଥିବାରୁ ଅଧିକାଂଶ ସମୟରେ ଗୋଳିଆ ପାଣି ବାହାରୁଥିବା ଦେଖିବାକୁ ମିଳୁଛି । ତେବେ କାଣ୍ଡିଆ ଜଳପ୍ରପାତକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିବା ସହିତ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ଯୋଗାଇଦେବା ପାଇଁ ଦାବି ହୋଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score