Explore

Search

February 15, 2026 2:11 pm

ଭିସା ବିଳମ୍ବ : ବିଶ୍ୱକପ ଖେଳରୁ ବଞ୍ଚିତ ହେବେ ୪୨ ପାକିସ୍ତାନୀ

ଫେବୃଆରୀ ୭ ତାରିଖରୁ ଆରମ୍ଭ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ଏବେ ଭିସା ସମସ୍ୟାକୁ ନେଇ ବିବାଦରେ ଫସିଛି । ଭାରତ ଓ ଶ୍ରୀଲଙ୍କା ସଂଯୁକ୍ତ ଭାବେ ଆୟୋଜନ କରୁଥିବା ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ଆଉ ତିନି ସପ୍ତାହରୁ କମ୍ ସମୟ ରହିଥିବା ବେଳେ, ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି ଓ କ୍ରିକେଟ ଅଧିକାରୀଙ୍କ ମଧ୍ୟରେ ଏହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି।

ରିପୋର୍ଟ ଅନୁସାରେ ପ୍ରାୟ ୪୨ ଜଣ ପାକିସ୍ତାନୀ ବଂଶୋଦ୍ଭବ କ୍ରିକେଟର ଓ ଅଧିକାରୀଙ୍କ ଭିସା ଏପର୍ଯ୍ୟନ୍ତ ମଞ୍ଜୁର ହୋଇନାହିଁ । ଭିସା ପ୍ରକ୍ରିୟାରେ ବିଳମ୍ବ ହେତୁ ଅନେକ ଦେଶ ଏଯାଏଁ ଟି-୨୦ ବିଶ୍ୱକପ ପାଇଁ ନିଜ ଦଳ ଘୋଷଣା କରିପାରିନାହାଁନ୍ତି ।

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏବେ ସକ୍ରିୟ ହୋଇଛି । ଆମେରିକା ମଧ୍ୟ ଏପର୍ଯ୍ୟନ୍ତ ତାଙ୍କ ଦଳ ଘୋଷଣା କରିନଥିବା ବେଳେ, ସେଥିରେ ଅଲି ଖାନ ଓ ଶାୟାନ ଜାହାଙ୍ଗୀରଙ୍କ ସାମିଲ ହେବାର ସମ୍ଭାବନା ରହିଛି । ସେହିପରି ନେଦରଲ୍ୟାଣ୍ଡ ଓ ଇଂଲଣ୍ଡ ଦଳରେ ମଧ୍ୟ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି ରହିଛନ୍ତି । ତେବେ ପିଟିଆଇ ସୂତ୍ର ଅନୁଯାୟୀ ଆଦିଲ ରସିଦ, ରେହାନ ଅହମ୍ମଦ ଓ ସାକିବ ମହମ୍ମଦଙ୍କ ଭିସାକୁ ମଞ୍ଜୁରି ମିଳିଛି ।

ଟି-୨୦ ବିଶ୍ୱକପ ଦଳରେ ସ୍ଥାନ ପାଇଥିବା ପାକିସ୍ତାନୀ ବଂଶୋଦ୍ଭବ ଖେଳାଳିମାନଙ୍କ ପାଇଁ ଭିସା ସୁନିଶ୍ଚିତ କରିବା ଦାୟିତ୍ୱ ଆଇସିସି ନେଇଛି । ଏଥିପାଇଁ ଆଇସିସି ଭାରତୀୟ ହାଇ କମିଶନ ସହିତ ଲଗାତାର ଯୋଗାଯୋଗରେ ରହିଛି । ସମସ୍ତ ଖେଳାଳି ଓ ଅଧିକାରୀମାନେ କୌଣସି ଅସୁବିଧା ବିନା ଭିସା ପାଇବେ ବୋଲି ଆଶା କରାଯାଉଛି । ଭିସା ପାଇଁ ଶେଷ ତାରିଖ ଜାନୁଆରୀ ୩୧ ଧାର୍ଯ୍ୟ କରାଯାଇଛି ।

ଯେଉଁ ଦେଶ ଗୁଡ଼ିକର ଖେଳାଳିଙ୍କ ଭିସା ଏପର୍ଯ୍ୟନ୍ତ ବିଚାରାଧୀନ ରହିଛି, ସେମାନଙ୍କ ମଧ୍ୟରେ ବାଂଲାଦେଶ, ଆମେରିକା, ୟୁଏଇ, ଇଟାଲୀ ଓ କାନାଡା ମୁଖ୍ୟ । ପ୍ରାୟ ତିନି ସପ୍ତାହ ପୂର୍ବରୁ ଭିସା ନିଯୁକ୍ତି ସ୍ଥିର ହୋଇଥିଲେ ମଧ୍ୟ, ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ପାକିସ୍ତାନୀ ବଂଶୋଦ୍ଭବ ଆବେଦକଙ୍କ ପାଇଁ ଭିସା ମଞ୍ଜୁରି ସମୟରେ ଭାରତ ସରକାର ଅତିରିକ୍ତ ସୁରକ୍ଷା ଯାଞ୍ଚ କରୁଥିବା ନେଇ ଜଣାପଡ଼ିଛି । ଏହା ପାଇଁ ବିଭିନ୍ନ ବିଭାଗର କ୍ଲିୟରାନ୍ସ ଆବଶ୍ୟକ ହେଉଥିବା ବେଳେ, ଗୃହ ମନ୍ତ୍ରଣାଳୟର ଅନୁମୋଦନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହି କାରଣରୁ ଟି-୨୦ ବିଶ୍ୱକପ ପାଇଁ କିଛି ପାକିସ୍ତାନୀ ବଂଶୋଦ୍ଭବ ଖେଳାଳିଙ୍କ ଭିସା ମଞ୍ଜୁରିରେ ବିଳମ୍ବ ହେଉଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score