Explore

Search

March 9, 2026 10:02 pm

ଭାରତର ଐତିହାସିକ ବିଜୟ : ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡକୁ ପରାଜିତ କରି ତୃତୀୟଥର ଚାମ୍ପିଅନ

ଅହମଦାବାଦ : ଟି-୨୦ ବିଶ୍ୱକପ ଫାଇନାଲରେ ଇତିହାସ ରଚିଲା ଭାରତ। ଶାନଦାର ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଚାମ୍ପିଅନ ହେଲା ଟିମ ଇଣ୍ଡିଆ। ଅହମଦାବାଦରେ ଖେଳାଯାଇଥିବା ଏହି ମୁକାବିଲାରେ ଭାରତ ଦୃଢ଼ ବ୍ୟାଟିଂ ଓ ଶକ୍ତିଶାଳୀ ବୋଲିଂ ସହ ଇତିହାସ ରଚିଛି । ଏହି ବିଜୟ ସହ ଭାରତ ଲଗାତାର ଦ୍ୱିତୀୟଥର ପାଇଁ ଟି-୨୦ ବିଶ୍ୱକପ ଟ୍ରଫି ଜିତିଛି ଏବଂ ମୋଟ ତୃତୀୟଥର ଚାମ୍ପିଅନ ହୋଇଛି ।

ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ଦମଦାର ଖେଳ ଆରମ୍ଭ କରିଥିଲା। ପାୱାର ପ୍ଲେରେ ଦଳ ୯୦ରୁ ଅଧିକ ରନ୍ ସଂଗ୍ରହ କରି ମଜବୁତଭିତି ସୃଷ୍ଟି କରିଥିଲା। ଓପନର ସଞ୍ଜୁ ସାମସନ, ଅଭିଷେକ ଶର୍ମା ଓ ଇଶାନ କିଶନଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଦଳକୁ ବଡ଼ ସ୍କୋର ଦେଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ ଭାରତ ୫ ୱିକେଟ ହରାଇ ୨୫୫ ରନ୍ କରି ନ୍ୟୁଜିଲାଣ୍ଡ ସମ୍ମୁଖରେ ୨୫୬ ରନର ଦୁର୍ଗମ ଲକ୍ଷ୍ୟ ରଖିଥିଲା।

ଭାରତ ପକ୍ଷରୁ ସଞ୍ଜୁ ସାମସନ ଅତ୍ୟନ୍ତ ଶାନଦାର ପାଳି ଖେଳି ୪୬ ବଲରେ ୮ଟି ଛକା ଓ ୫ଟି ଚଉକା ସହ ୮୯ ରନ କରିଥିଲେ। ଅଭିଷେକ ଶର୍ମା ୨୧ ବଲରେ ୫୨ ରନ ଓ ଇଶାନ କିଶନ ୨୫ ବଲରେ ୫୪ ରନ କରି ଦଳକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ। ଶେଷରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବମ ଦୁବେ ଦ୍ରୁତ ରନ କରି ସ୍କୋରକୁ ୨୫୫ରେ ପହଞ୍ଚାଇଥିଲେ।

ସଫଳତା ସହ ବିଶ୍ୱକପ ହାତେଇବାକୁ ଇଛା ରଖିଥିବା ନ୍ୟୁଜିଲାଣ୍ଡ ଭାରତୀୟ ବୋଲିଂ ସମ୍ମୁଖରେ ମୁଣ୍ଡ ନୁଆଇଁ ଥିଲା । ଦଳ ୧୫୯ ରନରେ ଅଲଆଉଟ୍ ହୋଇଯାଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ୫୨ ରନ୍ କରିଥିବାବେଳେ ଅଧିନାୟକ ମିଚେଲ୍ ସେଣ୍ଟନର ୪୩ ରନ୍ କରିଥିଲେ।

ଭାରତୀୟ ବୋଲରମାନେ ଶାନଦାର ପ୍ରଦର୍ଶନ କରିଥିଲେ। ଜଶପ୍ରୀତ ବୁମ୍ରା ୪ଟି ୱିକେଟ ନେଇ ମ୍ୟାଚର ଟର୍ଣ୍ଣିଂ ପଏଣ୍ଟ ହୋଇଥିଲେ। ଅକ୍ଷର ପଟେଲ ୩ଟି ୱିକେଟ ନେଇଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା, ଅଭିଷେକ ଶର୍ମା ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ କରି ସଫଳତା ହାସଲ କରିଥିଲେ।

ଏହି ବିଜୟ ସହ ଭାରତ ଟି-୨୦ ବିଶ୍ୱକପ ଇତିହାସରେ ନୂତନ ଅଧ୍ୟାୟ ଲେଖିଛି । ୨୦୦୭ ମସିହାରେ ଏମଏସ ଧୋନୀଙ୍କ ନେତୃତ୍ୱରେ ପ୍ରଥମେ ଓ ୨୦୨୪ରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଦ୍ୱିତୀୟଥର ଟ୍ରଫି ଜିତିଥିଲା ଭାରତ । ଏବେ ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ୨୦୨୬ରେ ତୃତୀୟଥର ପାଇଁ ବିଶ୍ୱକପ ଜିତି ନୂତନ ରେକର୍ଡ ସୃଷ୍ଟି କରିଛି ।

ଏହାସହ ଭାରତ ପ୍ରଥମ ଦଳ ଭାବେ ଲଗାତାର ଦୁଇଥର ଟି-୨୦ ବିଶ୍ୱକପ ଜିତିବା ସହ ଘରୋଇ ମାଟିରେ ମଧ୍ୟ ଏହି ପ୍ରତିଷ୍ଠିତ ଟ୍ରଫି ହାସଲ କରି ଏକ ନୂଆ ଇତିହାସ ରଚିଛି ।

ଅନ୍ୟପକ୍ଷରେ ଏହି ବିଜୟ ପରେ ଦେଶର ବିଭିନ୍ନ ମହଲରୁ ଟିମ ଇଣ୍ଡିଆକୁ ଶୁଭେଚ୍ଛାର ସୁଅ ଝରି ପଡ଼ିଛି । ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଦଳକୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଏହି ବିଜୟ ଦଳର ଅସାଧାରଣ ପ୍ରଦର୍ଶନ, ଦୃଢ଼ ସଙ୍କଳ୍ପ ଓ ସମନ୍ୱୟର ପରିଣାମ। “ୱେଲ ଡନ ଟିମ ଇଣ୍ଡିଆ” ବୋଲି ଲେଖି ଦଳର ସଫଳତାକୁ ସମଗ୍ର ଦେଶ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମଧ୍ୟ ଟିମ ଇଣ୍ଡିଆର ଏହି ବିଜୟକୁ ଉଚ୍ଚ ସ୍ୱରରେ ପ୍ରଶଂସା କରିଛନ୍ତି। ସେ ନିଜ ବାସଭବନରେ ମ୍ୟାଚ ଦେଖିବାସହ ଦଳର ବିଜୟକୁ ଗର୍ବ ଓ ଉତ୍ସାହର ସହ ପାଳନ କରିଥିବା ସୂଚନା ମିଳିଛି । ସୋସିଆଲ ମିଡିଆରେ ସେ ଲେଖିଛନ୍ତି ଯେ, “ଟି-୨୦ ବିଶ୍ୱକପ ୨୦୨୬ ଟ୍ରଫି ବିଜୟ ପାଇଁ ଟିମ ଇଣ୍ଡିଆକୁ ହାର୍ଦ୍ଦିକ ଅଭିନନ୍ଦନ। ଏହି ଐତିହାସିକ ସଫଳତା ପ୍ରତ୍ୟେକ ଭାରତୀୟଙ୍କ ମନକୁ ଗର୍ବ ଓ ଆନନ୍ଦରେ ଭରି ଦେଇଛି।”

ଟିମ୍ ଇଣ୍ଡିଆର ଏହି ବିଜୟକୁ ନେଇ ରାଜଧାନୀ ଭୁବନେଶ୍ୱର ସହ ରାଜ୍ୟର ଅନେକ ସ୍ଥାନରେ ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି। କ୍ରିକେଟ ପ୍ରେମୀମାନଙ୍କ ପାଇଁ ଏହି ମୁହୂର୍ତ୍ତ ଏକ ସ୍ମରଣୀୟ ଉତ୍ସବର ରୂପ ନେଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score