ଭୁବନେଶ୍ବର : ଦିନ ଥିଲା ସେ ଘରୁ ବାହାରୁ ନଥିଲେ। ଗାଁରେ ରହି ଘର କାମ କରିବା ସହ ଚାଷ ଜମିରେ କାମ କରୁଥିଲେ । ଏପରିକି ସହରକୁ ଆସିବାକୁ ତାଙ୍କୁ ବହୁତ ଡର ଲାଗୁଥିଲା । ହେଲେ ଆଜି ତାଙ୍କ ନାଁ ସହ ଯୋଡି ହୋଇଯାଇଛି ତୀରନ୍ଦାଜ ରଚନା। ପିଲାଟି ବେଳୁ କେବେ ଘରୁ ଗୋଡ କାଢି ନଥିବା ଝିଅ ଆଜି ଭୁବନେଶ୍ୱରରେ ରହି କ୍ରୀଡାରେ ଚାମ୍ପିଅନ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲାର ଚାନାଲିମା ଗାଁର ଆଦିବାସୀ ଝିଅ। ଯିଏ ଆଜି ଜାତୀୟସ୍ତରର କ୍ରୀଡାବିତ । ୧୭ ବର୍ଷୀୟା ରଚନା ରାଜ୍ୟର ସବୁଠାରୁ ପ୍ରତିଭାବାନ ଯୁବ ତୀରନ୍ଦାଜଙ୍କ ମଧ୍ୟରେ ଆଗରେ ଅଛନ୍ତି ।
ପିତା ନବୀନ ମାଝୀଙ୍କ ଦେହାନ୍ତ ପରେ ରଚନା ଏବଂ ତାଙ୍କ ବଡ଼ ଭଉଣୀଙ୍କୁ ତାଙ୍କ ମା’ ଚମ୍ପା ମାଝୀ ଏକାକୀ ଲାଳନପାଳନ କରିଥିଲେ। ହେଲେ ଖେଳ ପ୍ରତି ରଚନାଙ୍କର କୌଣସି ଅଭିଜ୍ଞତା ନଥିବାରୁ ସେ କେବେ ସେ ସମ୍ପର୍କରେ ଚିନ୍ତା କରିନଥିଲେ । କିନ୍ତୁ ୨୦୨୧ରେ ବେଦାନ୍ତ ବଦଳାଇ ଦେଲା ରଚନାଙ୍କ ଭାଗ୍ୟ । ଯେତେବେଳେ କି ବେଦାନ୍ତ ଆଲୁମିନିୟମର ତୀରନ୍ଦାଜୀ ତାଲିମ ପଦକ୍ଷେପର ସଂଯୋଜକମାନେ ଲାଞ୍ଜିଗଡରେ ଥିବା ସ୍କୁଲ ଯେଉଁଠି ରଚନା ପଢୁଥିଲେ ସେତେବେଳେ ସେହି ବିଦ୍ୟାଳୟ ପରିଦର୍ଶନ କରିଥିଲେ।
ସେମାନଙ୍କ ହାତରେ ଥିଲା ଧନୁ ତୀର । ଆଉ ସେହି ଧନୁର ଦୃଶ୍ୟ ରଚନାଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଥିଲା । ପରେ ରଚନା ଏଥିରେ ନାମ ଲେଖାଇବା ପରେ ଉପଯୁକ୍ତ ଉପକରଣ, ପୁଷ୍ଟିସାଧନ ସହାୟତା ଏବଂ କୋଚିଂ ସୁବିଧା ସହିତ ଏକ ସଂରଚିତ ପରିବେଶରେ ପ୍ରବେଶ କରିଥିଲେ ।
ରଚନା ଜଣେ ଆଦିବାସୀ ଗାଉଁଲି ଝିଅ ହୋଇଥିଲେ ବି ତାଙ୍କ ପାଖରେ ଶିଖିବାର ଇଛାଶକ୍ତି ରହିଛି । ସେ ଶୀଘ୍ର ଶିଖନ୍ତି, ଆଉ ଶୀଘ୍ର ସେଥିରେ ଖାପ ଖୁଆଇ ନିଅନ୍ତି । ପରେ ୨୦୨୨ରେ ସେ ଓପନ ଷ୍ଟେଟ ଚାମ୍ପିଅନସିପରେ ରୌପ୍ୟ ଜିତିଥିଲେ, ଯାହା ତାଙ୍କର ପ୍ରଥମ ସଫଳତା ଥିଲା । ୨୦୨୪ ମସିହା ସୁଦ୍ଧା, ସେ ବିଦ୍ୟାଳୟ ସ୍କୁଲ ଷ୍ଟେଟ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଏବଂ ଓପନ ଷ୍ଟେଟ ଚାମ୍ପିଅନସିପରେ ଆଉ ଏକ ରୌପ୍ୟ ହାସଲ କରିଥିଲେ। ଆଉ ଚଳିତ ବର୍ଷ ରଚନା ଏସ.ଜି.ଏଫ.ଆଇ. ପରିଷଦ ଜାତୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ହାସଲ କରିଥିଲେ । ଏହାପରେ ପରେ ନିକଟରେ ହୋଇଥିବା ସବ-ଜୁନିଅର ଜାତୀୟ ଚାମ୍ପିଅନସିପ ପାଇଁ ଚୟନ କରାଯାଇଥିଲା । ଯେଉଁଥିରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରାଇ ପାରିଥିଲେ ।
୨୦୧୮ରେ ଲାଞ୍ଜିଗଡ଼ରେ ଆରମ୍ଭ ହୋଇଥିବା ବେଦାନ୍ତ ଆଲୁମିନିୟମର ତୀରନ୍ଦାଜୀ କାର୍ଯ୍ୟକ୍ରମ ବର୍ତ୍ତମାନ ୩ ଶହରୁ ଅଧିକ ଗ୍ରାମୀଣ ଏବଂ ଆଦିବାସୀ ପିଲାମାନଙ୍କୁ ତାଲିମ ଦେଉଛି । ଏହି କାର୍ଯ୍ୟକ୍ରମ ସେହି ଅଞ୍ଚଳର କ୍ରୀଡ଼ାବିତଙ୍କ ପାଇଁ ଏକ ପାଇପଲାଇନ ସୃଷ୍ଟି କରିବା ପାଇଁ ପରିକଳ୍ପନା କରାଯାଇଛି ଯେଉଁଠାରେ କ୍ରୀଡା ଭିତ୍ତିଭୂମି ସୀମିତ ଏବଂ ପ୍ରତିଭା ପ୍ରାୟତଃ ଲୁଚି ଯାଇଥାଏ ।
ଆଜି, ରଚନାଙ୍କୁ ଏହି କାର୍ଯ୍ୟକ୍ରମର ସବୁଠାରୁ ଉଜ୍ଜ୍ୱଳ ଯୁବ ସମ୍ଭାବନା ମଧ୍ୟରୁ ଅନ୍ୟତମ ଭାବରେ ବିବେଚନା କରାଯାଏ । ତାଙ୍କର ଶକ୍ତି ମାନସିକ ଏକାଗ୍ରତା, ନିର୍ଭୁଲତା ଏବଂ ଏକ ଦୃଢ ପ୍ରତିଦ୍ୱନ୍ଦ୍ୱିତାମୂଳକ ସ୍ୱଭାବରେ ରହିଛି। ୨୦୨୧ ରେ ପ୍ରଥମ ଥର ପାଇଁ ଧନୁ ଉଠାଇବା ଠାରୁ ଆରମ୍ଭ କରି ମାତ୍ର ତିନି ବର୍ଷ ମଧ୍ୟରେ ଜାତୀୟ ସ୍ୱର୍ଣ୍ଣ ଜିତିବା ପର୍ଯ୍ୟନ୍ତ, ତାଙ୍କର ସ୍ଥିର ମନୋଭାବ, ଶୃଙ୍ଖଳିତ ଚରିତ୍ର ଯୋଗୁଁ ଆଜି ସଫଳତାର ପାହାଞ୍ଚ ଛୁଇଁ ପାରିଛନ୍ତି । ଓଡ଼ିଶାର ଏକ ଦୁର୍ଗମ ଗାଁର ତଥା ଜଣେ କୃଷକଙ୍କ ଝିଅ ନାମରେ ତୀରନ୍ଦାଜ ଲାଗିବ ସେ କେବେ କଳ୍ପନା କରିନଥିଲେ । ଆଉ ଆଜି ସେ ତାଙ୍କ ଗାଁ ପାଇଁ ସୁନା ଝିଅ ପାଲଟିଛନ୍ତି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
