Explore

Search

February 11, 2026 1:46 pm

ବରିଷ୍ଠ ଭକ୍ତଙ୍କ ପାଇଁ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନା : ମାଗଣାରେ ପୁରୀ ବୁଲାଇବେ ସରକାର

ଭୁବନେଶ୍ୱର : ବରିଷ୍ଠ ଭକ୍ତଙ୍କୁ ପୁରୀ ବୁଲାଇବେ ରାଜ୍ୟ ସରକାର । ଗରିବ ଭକ୍ତମାନଙ୍କୁ ମାଗଣାରେ ସରକାର ଭ୍ରମଣ କରାଇବେ ପୁରୀ ଶ୍ରୀକ୍ଷେତ୍ର । ଏନେଇ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଶ୍ରୀଜଗନ୍ନାଥ ଦର୍ଶନ। ରାଜ୍ୟ ସରକାର ଗରିବ ଓ ବୃଦ୍ଧବୃଦ୍ଧାଙ୍କ ମନ କଥାକୁ ବୁଝି ଆସନ୍ତା କିଛି ଦିନ ମଧ୍ୟରେ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି।

ଏହି ଯୋଜନା ଅଧୀନରେ ବରିଷ୍ଠ ନାଗରିକମାନଙ୍କୁ ପୁରୀ ଆମନ୍ତ୍ରଣ ଦିଆଯିବ । ଯେଉଁଥିରେ ମୁଖ୍ୟତଃ ୬୦-୭୫ ବର୍ଷ ବୟସ୍କ ବ୍ୟକ୍ତିମାନେ ଏବଂ ବିଧବା ମହିଳାଙ୍କୁ ସାମିଲ କରାଯିବ। ଏନେଇ ପର୍ଯ୍ୟଟନ ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି । ଏହାସହ ପଞ୍ଚାୟତସ୍ତରରେ ହିତାଧିକାରୀଙ୍କୁ ଚୟନ କରି ତାଲିକା ଚୂଡାନ୍ତ କରିବା ପାଇଁ ମଧ୍ୟ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି ।

ବହୁ ସମୟରେ ଗରିବ ଓ ବୟସ୍କ ଭକ୍ତମାନେ ଜଗା ଦର୍ଶନ ପାଇଁ ଯାଇପାରନ୍ତି ନାହିଁ । ସବୁ ବେଳେ ଜଗାକୁ ଝୁରୁଥିବା ବେଳେ ମନ ମଧ୍ୟ ସେମାନଙ୍କର ଜଗା ପାଖରେ ଥାଏ । ତେବେ ଗରିବ ଭକ୍ତଙ୍କୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରାଇବା ଲାଗି ଗତବର୍ଷ ବଜେଟରେ ରାଜ୍ୟ ସରକାର ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ। ଆଉ ଏହି ଯୋଜନା ମାଧ୍ୟମରେ ଗରିବ ଭକ୍ତମାନଙ୍କୁ ମାଗଣାରେ ସରକାର ଶ୍ରୀକ୍ଷେତ୍ର ଭ୍ରମଣ କରାଇବେ । ରାଜ୍ୟ ସରକାର ଏଥିଲାଗି ପର୍ଯ୍ୟଟନ ବିଭାଗକୁ ଦାୟିତ୍ବ ଦେଇଛନ୍ତି । ସେପଟେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଏଭଳି ନିଷ୍ପତ୍ତି ଶୁଣି ସମଗ୍ର ଓଡ଼ିଶାବାସୀ ଖୁସିବ୍ୟକ୍ତ କରିବାସହ ତାଙ୍କୁ ଧନ୍ୟବାଦ ଜଣେଇଛନ୍ତି ।

ତୀର୍ଥଯାତ୍ରୀମାନେ ପୁରୀ ପାଇଁ ପ୍ରସ୍ଥାନ କରିବା ପୂର୍ବରୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ସମ୍ପୂର୍ଣ୍ଣ ଯାଞ୍ଚ କରାଯିବ। ଏହାସହ ଯାତ୍ରା ଆରମ୍ଭ ପୂର୍ବରୁ ତୀର୍ଥଯାତ୍ରା ସମୟରେ ଆବଶ୍ୟକ ହେଉଥିବା କିଛି ଆବଶ୍ୟକୀୟ ସାମଗ୍ରୀ ଯଥା ତଉଲିଆ, ଟୋପି, ହାପ ଜ୍ୟାକେଟ, ପାଣି ବୋତଲ ଓ ଟଏଲେଟ ପାଉଚ ଆଦି ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ।

ଏହାସହ ଯାତ୍ରୀମାନଙ୍କ ଚିହ୍ନଟ ସହଜ କରିବା ପାଇଁ ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କୁ ପରିଚୟ ପତ୍ର ମଧ୍ୟ ଦିଆଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।

ସେହିପରି ତୀର୍ଥଯାତ୍ରା ସମୟରେ ଯାତ୍ରୀମାନଙ୍କୁ ଜଳଖିଆ ସହ ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନ ପ୍ରଦାନ କରାଯିବ। ଯାତ୍ରା ମଧ୍ୟରେ ଆବଶ୍ୟକତା ପଡିଲେ ସରକାରଙ୍କ ପକ୍ଷରୁ ଅସ୍ଥାୟୀ କ୍ୟାମ୍ପ ସ୍ଥାପନ କରାଯିବ। ଏହି କ୍ୟାମ୍ପରେ ଚେୟାର, ଟେବୁଲ, ବିଛଣା, ସାଉଣ୍ଡ ସିଷ୍ଟମ, ଲାଇଟ ବ୍ୟବସ୍ଥା ସହ ପୁରୁଷ ଓ ମହିଳା ଯାତ୍ରୀମାନଙ୍କ ପାଇଁ ପୃଥକ ପୃଥକ ଆଶ୍ରୟସ୍ଥଳୀର ବ୍ୟବସ୍ଥା ରହିବ।

ପୁରୀ ଆସିବା ବେଳେ ପ୍ରତ୍ୟେକ ବସରେ ଜଣେ କରି ସହଯୋଗୀ କର୍ମଚାରୀ ଓ ସ୍ୱେଚ୍ଛାସେବୀ ନିଯୁକ୍ତ ରହିବେ। ପୁରୀରେ ମଧ୍ୟ ଯାତ୍ରୀମାନଙ୍କ ସହାୟତା ପାଇଁ ଏକ ସହାୟତା ଡେସ୍କ ସ୍ଥାପନ କରାଯିବ।

ଏହି ଯୋଜନା ଅଧୀନରେ ଶ୍ରଦ୍ଧାଳୁମାନେ ମାଗଣାରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ ଏବଂ ଅବଢ଼ା ମହାପ୍ରସାଦ ମଧ୍ୟ ଗ୍ରହଣ କରିବେ। ‘ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା’ ପାଇଁ ସରକାର ସମୁଦାୟ ୩୦ କୋଟି ଟଙ୍କା ବ୍ୟୟ କରୁଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score