Explore

Search

March 8, 2026 6:13 am

ବଢ଼ିଲା ଏଲପିଜି ସିଲିଣ୍ଡର ଦର : ହନ୍ତସନ୍ତ ମଧ୍ୟବିତ୍ତି ପରିବାର

ନୂଆଦିଲ୍ଲୀ : ଦେଶରେ ଏଲପିଜି ଗ୍ୟାସର ମୂଲ୍ୟ ପୁଣିଥରେ ବଢ଼ିଛି । ନୂଆ ସଂଶୋଧିତ ଦର ଆଜିଠାରୁ ଲାଗୁ ହୋଇଛି। ଘରେ ବ୍ୟବହୃତ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଉପରେ ୬୦ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ, ହୋଟେଲ ଓ ରେଷ୍ଟୁରାଣ୍ଟରେ ବ୍ୟବହୃତ ୧୯ କିଲୋଗ୍ରାମ କମର୍ସିଆଲ ସିଲିଣ୍ଡର ମୂଲ୍ୟ ୧୧୫ ଟଙ୍କା ବଢ଼ାଯାଇଛି । ଏହାର ପ୍ରଭାବ ସାଧାରଣ ପରିବାରର ଖର୍ଚ୍ଚ ସହ ହୋଟେଲ ଓ ଖାଦ୍ୟ ବ୍ୟବସାୟରେ ମଧ୍ୟ ପଡ଼ିବା ଆଶା କରାଯାଉଛି।

ସଂଶୋଧିତ ଦର ଅନୁସାରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୫୩ ଟଙ୍କାରୁ ବୃଦ୍ଧି ପାଇ ୯୧୩ ଟଙ୍କା ହୋଇଛି । ମୁମ୍ବାଇରେ ଏହି ସିଲିଣ୍ଡର ୮୫୨.୫୦ ଟଙ୍କାରୁ ବଢ଼ି ୯୧୨.୫୦ ଟଙ୍କା ହୋଇଛି । କୋଲକାତାରେ ଦର ୮୭୯ ଟଙ୍କାରୁ ବଢ଼ି ୯୨୮.୫୦ ଟଙ୍କାକୁ ପହଞ୍ଚିଛି । ଏହାପରି ଚେନ୍ନାଇରେ ମଧ୍ୟ ମୂଲ୍ୟ ୮୬୮.୫୦ ଟଙ୍କାରୁ ବୃଦ୍ଧି ପାଇ ୯୨୮.୫୦ ଟଙ୍କା ହୋଇଛି ।

କମର୍ସିଆଲ ସିଲିଣ୍ଡରର ନୂଆ ମୂଲ୍ୟ :

୧୯ କିଲୋଗ୍ରାମର କମର୍ସିଆଲ ଏଲପିଜି ସିଲିଣ୍ଡରରେ ମଧ୍ୟ ବଡ଼ ପରିମାଣରେ ଦର ବୃଦ୍ଧି ହୋଇଛି । ଦିଲ୍ଲୀରେ ଏହା ୧୭୬୮.୫୦ ଟଙ୍କାରୁ ବଢ଼ି ୧୮୮୩ ଟଙ୍କା ହୋଇଛି । ମୁମ୍ବାଇରେ ଦର ୧୭୨୦.୫୦ ଟଙ୍କାରୁ ବୃଦ୍ଧି ପାଇ ୧୮୩୫ ଟଙ୍କା ହୋଇଛି। କୋଲକାତାରେ ଏହା ୧୮୭୫.୫୦ ଟଙ୍କାରୁ ବଢ଼ି ୧୯୯୦ ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ୧୯୨୯ ଟଙ୍କାରୁ ବଢ଼ି ୨୦୪୩.୫୦ ଟଙ୍କାକୁ ପହଞ୍ଚିଛି ।

ପରିବାର ଓ ବ୍ୟବସାୟ ଉପରେ ପ୍ରଭାବ :

ଗତ ୧୧ ମାସ ମଧ୍ୟରେ ଘରୋଇ ଏଲପିଜି ଦର ଦ୍ୱିତୀୟ ଥର ପାଇଁ ବଢ଼ାଯାଇଛି । ପୂର୍ବରୁ ଗତ ବର୍ଷ ଏପ୍ରିଲ ମାସରେ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଏବେ ପୁଣିଥରେ ଦର ବଢ଼ିବାରୁ ସାଧାରଣ ପରିବାରର ମାସିକ ଖର୍ଚ୍ଚ ଉପରେ ଅତିରିକ୍ତ ଚାପ ପଡ଼ିବ ।

ଏହାସହିତ କମର୍ସିଆଲ ସିଲିଣ୍ଡର ଦର ବୃଦ୍ଧି ହେବାରୁ ହୋଟେଲ, ଭୋଜନାଳୟ ଓ ରେଷ୍ଟୁରାଣ୍ଟ ବ୍ୟବସାୟରେ ମଧ୍ୟ ଖର୍ଚ୍ଚ ବଢ଼ିବ । ଏହାର ପରିଣାମରେ ବାହାରେ ଖାଇବାର ଖର୍ଚ୍ଚ ବଢ଼ିପାରେ ବୋଲି ବ୍ୟବସାୟୀମାନେ କହୁଛନ୍ତି।

ଏହି ସମୟରେ ଦେଶର ଏନର୍ଜି ଯୋଗାଣ ଓ ଇନ୍ଧନ ଉପଲବ୍ଧତା ନେଇ ଚର୍ଚ୍ଚା ଚାଲିଥିବା ବେଳେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ପୂର୍ବରୁ କହିଥିଲେ ଯେ ଦେଶରେ ଇନ୍ଧନ ଯୋଗାଣରେ କୌଣସି ଅଭାବ ନାହିଁ ଏବଂ ଗ୍ରାହକମାନେ ଏନେଇ ଚିନ୍ତିତ ହେବାର ଆବଶ୍ୟକତା ନାହିଁ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score