Explore

Search

February 11, 2026 5:40 am

ପ୍ରତି ଶୁକ୍ରବାର ହସ୍ତତନ୍ତ ପୋଷାକରେ କାର୍ଯ୍ୟାଳୟ ଆସିବେ ଅଧିକାରୀ ଓ କର୍ମଚାରୀ: ଅରବିନ୍ଦ ପାଢ଼ୀ

ଭୁବନେଶ୍ୱର: ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଡଃ ଅରବିନ୍ଦ କୁମାର ପାଢ଼ୀ ବିଭାଗର ସମସ୍ତ କାର୍ଯ୍ୟାଳୟକୁ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରେରଣ କରିଛନ୍ତି।

ରାଜ୍ୟ ମୁଖ୍ୟାଳୟ ସହିତ ସମସ୍ତ ଜିଲ୍ଲା ଓ ତହସିଲ୍ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଲକ୍ଷ୍ୟ କରି ପଠାଯାଇଥିବା ଏହି ପତ୍ରରେ ସେ ରାଜସ୍ୱ ପ୍ରଶାସନକୁ ଆହୁରି ସୁଦୃଢ଼ ଓ ଲୋକାଭିମୁଖୀ କରିବା ଉପରେ ଜୋର ଦେଇଛନ୍ତି ।

ସଚ୍ଚୋଟତା, ବୃତ୍ତିଗତ ନିଷ୍ଠା ଓ ସମ୍ବେଦନଶୀଳତାକୁ କାର୍ଯ୍ୟପଦ୍ଧତିର ମୂଳ ଆଧାର କରି ତ୍ୱରିତ ଓ କାର୍ଯ୍ୟକ୍ଷମ ପ୍ରୟାସ ମାଧ୍ୟମରେ ବ୍ୟବସ୍ଥା ପ୍ରତି ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ବିଶେଷ କରି ବିପର୍ଯ୍ୟୟ ପରିଚାଳନା ଓ ରାଜସ୍ୱ ସେବା ସମ୍ପର୍କିତ କାର୍ଯ୍ୟରେ ସମୟବଦ୍ଧତା ଓ ଦାୟିତ୍ୱବୋଧ ସହ କାର୍ଯ୍ୟ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି ।

ଏଥି ସହିତ ନାଗରିକଙ୍କ ଅଭିଯୋଗର ତ୍ଵରିତ ସମାଧାନ, ଉତ୍ତମ ଶାସନ ପାଇଁ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର, ଲୋକସେବାରେ ଶିଷ୍ଟାଚାର ଓ ଶୃଙ୍ଖଳାର ପାଳନ, ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ସମେତ ସମସ୍ତ ସରକାରୀ ଜମିର ସୁରକ୍ଷା, ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର ଉପରେ ପାଢ଼ୀ ଗୁରୁତ୍ଵ ଦେଇଛନ୍ତି ।

ଏହାସହିତ ନାଗରିକମାନଙ୍କ ଅଭିଯୋଗକୁ ସମୟବଦ୍ଧ ଭାବେ ସମାଧାନ କରିବା, ଉତ୍ତମ ଶାସନ ସୁନିଶ୍ଚିତ କରିବା ପାଇଁ ଆଧୁନିକ ପ୍ରଯୁକ୍ତିର କାର୍ଯ୍ୟକାରୀ ବ୍ୟବହାର, ଲୋକସେବାରେ ଶିଷ୍ଟାଚାର ଓ ଶୃଙ୍ଖଳାକୁ ଅଟୁଟ ରଖିବା ଉପରେ ପାଢ଼ୀ ଜୋର ଦେଇଛନ୍ତି ।

ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତିକୁ କଡାକଡିରେ ଅନୁସରଣ କରିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ସମେତ ସମସ୍ତ ସରକାରୀ ଜମିର ସୁରକ୍ଷା ନିମନ୍ତେ ସଚେତନ ଓ ଦାୟିତ୍ୱଶୀଳ ଭାବରେ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି, ସରକାରୀ କାର୍ଯ୍ୟକଳାପରେ ଓଡ଼ିଆ ଭାଷାର ବ୍ୟାପକ ଓ ପ୍ରାଥମିକ ବ୍ୟବହାର ଉପରେ ଗୁରୁତ୍ୱ ଆରୋପ କରି ଏହାଦ୍ୱାରା ସାଧାରଣ ଲୋକଙ୍କ ସହ ସରକାରୀ ସଂଯୋଗକୁ ଆହୁରି ସୁଦୃଢ଼ କରାଯିବ ବୋଲି ସେ ମତ ପ୍ରକାଶ କରିଛନ୍ତି ।

ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ପରମ୍ପରା ପ୍ରତି ସମ୍ମାନ ପ୍ରକାଶ କରି ସପ୍ତାହର ଗୋଟିଏ ଦିନ, ଅର୍ଥାତ୍ ପ୍ରତି ଶୁକ୍ରବାର, କାର୍ଯ୍ୟାଳୟରେ ହସ୍ତତନ୍ତ ପୋଷାକ ପିନ୍ଧିବାକୁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଉତ୍ସାହିତ କରାଯାଇଛି। ଏହା ମାଧ୍ୟମରେ ରାଜ୍ୟର କଳାକାର ଓ ବୁନକାରମାନଙ୍କୁ ସମର୍ଥନ ମିଳିବ ବୋଲି ଆଶା କରାଯାଉଛି।

ସେହିସହ ସଚ୍ଚୋଟତା ଓ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯିବ ବୋଲି ଜଣାଇଦିଆଯାଇଛି। ଅନ୍ୟପଟେ, ଦୁର୍ନୀତି ସହିତ ଜଡିତ ଅଧିକାରୀ ଏବଂ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତିମାନଙ୍କ ବିରୋଧରେ କୌଣସି ଢିଲାଇ ନ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ବିଭାଗୀୟ କାର୍ଯ୍ୟପଦ୍ଧତିକୁ ଭୂମିସ୍ତରରେ ଅନୁଭବ କରିବା ପାଇଁ ଡଃ ପାଢ଼ୀ ବିଭିନ୍ନ ସମୟରେ କ୍ଷେତ୍ର ପରିଦର୍ଶନ, ହଠାତ୍ ଯାଞ୍ଚ ଏବଂ ଅଧିକାରୀମାନଙ୍କ ସହିତ ସାଧାରଣ ଜନତାଙ୍କ ସହ ସିଧାସଳଖ ଆଲୋଚନା କରି ବାସ୍ତବ ସ୍ଥିତିର ମୂଲ୍ୟାଙ୍କନ କରିବାକୁ ତାଙ୍କର ତତ୍ପରତା ପ୍ରକାଶ କରିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score