Explore

Search

February 21, 2026 10:40 pm

ପୁରୀରେ ହେବ କ୍ରୁଜ ଟର୍ମିନାଲ

ଭୁବନେଶ୍ୱର : ରାଜ୍ୟର ସାମୁଦ୍ରିକ ଉନ୍ନତିକୁ ଆଗକୁ ନେବା ପାଇଁ ଏବର୍ଷର ବଜେଟରେ ବନ୍ଦର ଓ ଜଳପଥ ପ୍ରକଳ୍ପକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହା ମାଧ୍ୟମରେ ଓଡ଼ିଶାର ବ୍ୟାପାର ଓ ଶିଳ୍ପ କ୍ଷେତ୍ରକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି ।

କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ବୃହତ ଜାତୀୟ ଜାହାଜ ନିର୍ମାଣ କ୍ଲଷ୍ଟର ସ୍ଥାପନା କରିବାକୁ ପ୍ରସ୍ତାବ ରହିଛି । ଏହି ପ୍ରକଳ୍ପ ପାଇଁ ପ୍ରାୟ ୨୨ ହଜାର ୭ଶହ କୋଟି ଟଙ୍କା ବିନିଯୋଗ କରାଯିବ। ଏଥିରେ ଓଡ଼ିଶା ସାମୁଦ୍ରିକ ବୋର୍ଡ ଓ ପାରାଦୀପ ବନ୍ଦର ପ୍ରାଧିକରଣ ଭାବେ କାମ କରିବେ । ପ୍ରକଳ୍ପ ଆରମ୍ଭ ହେଲେ ଅନେକ ଯୁବକ-ଯୁବତୀଙ୍କ ପାଇଁ ନୂତନ ଚାକିରି ସୃଷ୍ଟି ହେବ।

ଏହା ସହିତ ଗଞ୍ଜାମ ଜିଲ୍ଲାର ବାହୁଡ଼ା ମୁହାଣରେ ଏକ ସବୁଦିନିଆ ସାଟେଲାଇଟ ବନ୍ଦର ନିର୍ମାଣ କାମ ଚାଲିଛି। ସାଗରମାଳା ଫାଇନାନ୍ସ କର୍ପୋରେସନ ଲିମିଟେଡର ପ୍ରାୟ ୨୧ ହଜାର ୫ଶହ କୋଟି ଟଙ୍କା ସହାୟତାରେ ଏହି ବନ୍ଦର ତିଆରି ହେଉଛି । ଏହା କାର୍ଯ୍ୟକ୍ଷମ ହେଲେ ରାଜ୍ୟର ସମୁଦ୍ର ମାର୍ଗରେ ବ୍ୟାପାର ବୃଦ୍ଧି ପାଇବ ଏବଂ ଅର୍ଥନୀତିକୁ ମଜବୁତ କରିବ ।

ଆଭ୍ୟନ୍ତରୀଣ କାର୍ଗୋ ପରିବହନକୁ ସୁଦୃଢ଼ କରିବା ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରାୟ ୧୨ ହଜାର ୨ଶହ କୋଟି ଟଙ୍କା ବିନିଯୋଗରେ ଜାତୀୟ ଜଳପଥ-୫କୁ ପୂର୍ଣ୍ଣରୂପେ କାର୍ଯ୍ୟକ୍ଷମ କରାଯିବ। ଯାହା ରାଜ୍ୟରେ ଜଳପଥ ମାଧ୍ୟମରେ ସାମଗ୍ରୀ ପରିବହନ ସହଜ ଓ ଶସ୍ତା ହେବ। ସେହିପରି ପୁରୀରେ ପ୍ରାୟ ୫ଶହ କୋଟି ଟଙ୍କା ବ୍ୟୟରେ ଏକ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ ନିର୍ମାଣ ହେବାକୁ ଯାଉଛି। ଏହି ପ୍ରକଳ୍ପ ଦ୍ୱାରା ପର୍ଯ୍ୟଟନ କ୍ଷେତ୍ରକୁ ନୂଆ ଗତି ମିଳିବ ଏବଂ ଓଡ଼ିଶାର ବିଶ୍ୱ ସଂଯୋଗ ଆହୁରି ମଜବୁତ ହେବ।

କ୍ରୁଜ୍ ଟର୍ମିନାଲ ତିଆରି ହେଲେ ପର୍ଯ୍ୟଟକମାନେ ସୌଖିନ ଜାହାଜରେ ସମୁଦ୍ର ଯାତ୍ରାର ଆନନ୍ଦ ଉଠାଇପାରିବେ। ପୁରୀରୁ ଯାତ୍ରୀବାହୀ ଜାହାଜ ମାଧ୍ୟମରେ ପାରାଦୀପ, ଦିଘା, ବିଶାଖାପାଟନମ ଓ ଆଣ୍ଡାମାନ ଏବଂ ନିକୋବର ପର୍ଯ୍ୟନ୍ତ ଯାତାୟାତ ସୁବିଧା ମିଳିବ । ଏହା ରାଜ୍ୟର ପର୍ଯ୍ୟଟନ ଓ ବ୍ୟାପାରକୁ ନୂଆ ମାର୍ଗ ଦେବ ବୋଲି ଆଶା କରାଯାଉଛି । ସେହିପରି ବ୍ରହ୍ମଗିରିରୁ ସାତପଡ଼ା ମଧ୍ୟରେ ଶ୍ରୀଜଗନ୍ନାଥ ବିମାନବନ୍ଦର ନିକଟରେ ଯାତ୍ରୀବାହୀ ଜାହାଜ ଚଳାଚଳ କେନ୍ଦ୍ର କରାଯାଇ ପର୍ଯ୍ୟଟନ ସ୍ଥଳକୁ ଆହୁରି ଦୃଢ କରିବା ପାଇଁ ଯୋଜନା ହୋଇଛି । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଇପିକଲ ମିଳିତ ଭାବେ ଏହି ପ୍ରକଳ୍ପ ତିଆରି କରୁଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score