Explore

Search

March 16, 2026 10:25 pm

ପାରାଦୀପକୁ ବୃହତ ଶିଳ୍ପ କେନ୍ଦ୍ରରେ ପରିଣତ କରିବାକୁ ସରକାରଙ୍କ ଯୋଜନା

ଭୁବନେଶ୍ୱର : ଓଡ଼ିଶାର ପ୍ରମୁଖ ବନ୍ଦର ସହର ପାରାଦୀପକୁ ଆଗାମୀ ଦିନରେ ଏକ ବୃହତ ଶିଳ୍ପ କେନ୍ଦ୍ରରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ଇସ୍ପାତ, ପେଟ୍ରୋକେମିକାଲ୍ସ ସାର ଉତ୍ପାଦନ ଓ ଜାହାଜ ନିର୍ମାଣ ଭଳି ବଡ଼ ବଡ଼ ଶିଳ୍ପ ସଂସ୍ଥା ଏଠାରେ ଗଢ଼ି ଉଠିବା ସହିତ ପାରାଦୀପ ରାଜ୍ୟର ଶିଳ୍ପ ଉନ୍ନତିର ଏକ ମୁଖ୍ୟ କେନ୍ଦ୍ର ଭାବେ ଗଢ଼ିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।

ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ପାରାଦୀପରେ ଚାଲିଥିବା ବିଭିନ୍ନ ବଡ଼ ଶିଳ୍ପ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି । ସମ୍ପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ପ୍ରକଳ୍ପ ଗୁଡ଼ିକର କାମକୁ ଶୀଘ୍ର ଗତିରେ ଆଗେଇ ନେବା ପାଇଁ ସେ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ, ପାରାଦୀପରେ ବନ୍ଦର ବିକାଶ ସହ ନୂଆ ଶିଳ୍ପ ପ୍ରତିଷ୍ଠା ହେବା ଦ୍ୱାରା ଏହି ଅଞ୍ଚଳ ଆର୍ଥିକ ଦୃଷ୍ଟିରୁ ଦେଶର ଏକ ମୁଖ୍ୟ କେନ୍ଦ୍ରରେ ପରିଣତ ହେବ । ବନ୍ଦର ସମ୍ପ୍ରସାରଣ, ଜାହାଜ ନିର୍ମାଣ ଓ ମରାମତି କାରଖାନା ସ୍ଥାପନ ସହିତ ତୈଳ ଓ ଇସ୍ପାତ ଖାତିର ବଡ଼ ବିନିଯୋଗ ଶୀଘ୍ର ଆରମ୍ଭ କରିବାକୁ ସେ ଅଧିକାରୀମାନଙ୍କୁ କହିଥିଲେ।

ସେହିପରି ନୂତନ ଶିଳ୍ପ ସଂସ୍ଥା ଗୁଡ଼ିକ ମାଧ୍ୟମରେ ରାଜ୍ୟର ଯୁବପିଢ଼ି ଓ ସ୍ଥାନୀୟ ଲୋକଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଶିଳ୍ପ ପ୍ରକଳ୍ପ ରୂପାୟଣରେ ଯେଉଁ ସମସ୍ୟା ବାଧା ସୃଷ୍ଟି କରୁଛି, ସେଗୁଡ଼ିକୁ ଶୀଘ୍ର ସମାଧାନ କରିବା ପାଇଁ ମଧ୍ୟ ଦାୟିତ୍ୱପ୍ରାପ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ମିଳିଛି।

ବୈଠକରେ ପାରାଦୀପ–କଟକ ଓ ପୁରୀ–ପାରାଦୀପ ଅର୍ଥନୈତିକ କରିଡୋର, ପେଟ୍ରୋକେମିକାଲ୍ସ ହବ ଓ ସମନ୍ୱିତ ଇସ୍ପାତ ପ୍ରକଳ୍ପ ଭଳି ବିଭିନ୍ନ ପ୍ରସ୍ତାବିତ ଯୋଜନା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଜମି ଅଧିଗ୍ରହଣ, ପରିବେଶ ମଞ୍ଜୁରି ଓ ଅନ୍ୟାନ୍ୟ ପ୍ରଶାସନିକ ପ୍ରକ୍ରିୟାକୁ ଶୀଘ୍ର ସମାପ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ପଦକ୍ଷେପ ସଫଳ ହେଲେ ପାରାଦୀପ ରାଜ୍ୟର ଅର୍ଥନୈତିକ ଉନ୍ନତିରେ ନୂଆ ଅଧ୍ୟାୟ ଲେଖିବ ବୋଲି ମନେ କରାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score