Explore

Search

February 13, 2026 5:56 am

ପାଣି ପାଲଟିଛି ବିଷ : କିଡ଼ନୀ ରୋଗରେ ଆକ୍ରାନ୍ତ ହେଲେଣି ୩୦୦ରୁ ଊର୍ଦ୍ଧ୍ବ ଲୋକ

ମାଲକାନଗିରି : ପାଣି ପାଲଟିଛି ବିଷ । ପାଣି ପିଇ ୩୦୦ରୁ ଊର୍ଦ୍ଧ୍ବ ଲୋକେ କିଡ଼ନୀ ରୋଗରେ ଆକ୍ରାନ୍ତ ହେଲେଣି । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳାରେ। ଫଳରେ ମାଲକାନଗିରି ଜିଲ୍ଲାରେ କିଡ଼ନୀ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଥିପାଇଁ ପାଣିକୁ ମୁଖ୍ୟତଃ ଦାୟୀ କରାଯାଇଛି । ୨୦୨୫ ଏପ୍ରିଲରୁ ୨୦୨୬ ଜାନୁଆରୀ ମଧ୍ୟରେ ୩୦୦ରୁ ଊର୍ଦ୍ଧ୍ବ ଲୋକ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସେଥି ମଧ୍ୟରେ ଅଧାରୁ ଅଧିକ ରୋଗୀ କାଲିମେଳା ବ୍ଲକର ବୋଲି ଜଣାପଡିଛି ।

ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ୨୦୨୫ ଏପ୍ରିଲରୁ ୨୦୨୬ ଜାନୁଆରୀ ମଧ୍ୟରେ ୧୧୦୦ ପୁରୁଷ ଓ ୭୯୬ ମହିଳାଙ୍କର କିଡନୀ ସମ୍ପର୍କିତ ରକ୍ତ ପରୀକ୍ଷା କରାଯାଇଥିଲା। ସେଥିରୁ ୧୬୧ ପୁରୁଷ ଓ ୧୩୯ ମହିଳାଙ୍କର କିଡନୀ ରୋଗ ଚିହ୍ନଟ ହୋଇଛି । ଚିହ୍ନଟ ହୋଇଥିବା ରୋଗୀମାନଙ୍କ ମଧ୍ୟରୁ ଅଧାରୁ ଅଧିକ କାଲିମେଳା ବ୍ଲକର ଥିବା ଜଣାପଡ଼ିଛି ।

ରୋଗ ପ୍ରକୋପ ବଢ଼ିବା ପରେ ସ୍ୱାସ୍ଥ୍ୟ ବିଭାଗ ଚିକିତ୍ସା ଓ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି । ଗୁରୁତର ରୋଗୀଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ବଡ଼ ହସ୍ପିଟାଲକୁ ପଠାଉଛି । ଅନ୍ୟପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬ଟି ଡାଇଲେସିସ ମେସିନ ସୁବିଧା ରହିଥିବା ବେଳେ ପ୍ରାୟ ୫୦ ଜଣ ରୋଗୀ ନିୟମିତ ଡାଇଲେସିସ କରାଉଛନ୍ତି । ସେଥିରୁ ୪୦ ଜଣ କାଲିମେଳା ବ୍ଲକର ରହିଛନ୍ତି । ପ୍ରତିଦିନ ୧୯ରୁ ୨୦ ଜଣ ଗୁରୁତର ରୋଗୀ ଡାଇଲେସିସ ସୁବିଧା ନେଉଛନ୍ତି । ଏହାସହ ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ମଧ୍ୟ ୧୦ ଜଣ ରୋଗୀ ଡାଇଲେସିସ ନେଉଛନ୍ତି ।

କାଲିମେଳା ଓ ପଡ଼ିଆ ଅଞ୍ଚଳରେ ପାଣିର ଗୁଣଗତ ଅବସ୍ଥା ଖରାପ ଥିବା ସ୍ୱାସ୍ଥ୍ୟ ବିଭାଗର ପରୀକ୍ଷାରେ ପ୍ରମାଣିତ ହୋଇଥିବା ସୂଚନା ମିଳିଛି । ବିଶୁଦ୍ଧ ପାନୀୟ ଜଳର ଅଭାବ ଏହି ରୋଗ ପ୍ରସାରର ମୂଳ କାରଣ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

ଏପରି ସ୍ଥିତିରେ ଅଞ୍ଚଳବାସୀ ଦୀର୍ଘଦିନ ଧରି ଅତିରିକ୍ତ ଡାଇଲେସିସ୍‌ କେନ୍ଦ୍ର ସ୍ଥାପନ ଓ ସୁଚିତ୍ର ପାନୀୟ ଜଳ ବ୍ୟବସ୍ଥା ପାଇଁ ଦାବି କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଠୋସ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି । ସେପଟେ ଗ୍ରାମାଞ୍ଚଳର ଅନେକ ରୋଗୀ ଅର୍ଥାଭାବ ଓ ଯାତାୟାତ ସମସ୍ୟାରୁ ଚିକିତ୍ସା ପାଇଁ ହସ୍ପିଟାଲକୁ ଆସି ପାରୁନାହାଁନ୍ତି । ଫଳରେ ଅନେକ ଲୋକଙ୍କ ଜୀବନ ଘରେ ରହି ଚାଲିଯାଉଥିବା ଘଟଣା ସାମ୍ନାକୁ ଆସିଛି ।

ସ୍ଥାନୀୟ ଲୋକଙ୍କ ମତାନୁସାରେ, ଯଦି ଶୀଘ୍ର ସ୍ୱଚ୍ଛ ପାଣି ବ୍ୟବସ୍ଥା ଓ ପର୍ଯ୍ୟାପ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆନହୁଏ , ତେବେ ଏହି ସମସ୍ୟା ଆଗାମୀ ଦିନରେ ଗୁରୁତର ରୂପ ନେଇପାରେ ବୋଲି ମତ ପ୍ରକାଶ ପାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score