Explore

Search

December 30, 2025 1:27 am

ପର୍ଯ୍ୟଟକଙ୍କୁ ଟାଣୁଛି କୋରାପୁଟ କଫି, ରୋଜଗାରକ୍ଷମ ହେଉଛନ୍ତି ଚାଷୀ

କୋରାପୁଟ: କଫି । ପ୍ରାୟେ ଲୋକଙ୍କୁ ଏହା ଖୁବ ପସନ୍ଦ । ରାତି ପାହିବା ମାତ୍ରେ ଅଧିକାଂଶ ଲୋକଙ୍କ ହାତରେ ଥାଏ କଫି କପ । ତେବେ ଏହି କଫି ଭିତରେ ବେଶୀ ସୁଆଦିଆ କୋରାପୁଟ କଫି । ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୋରାପୁଟ କଫି ଚାଷ ପାଇଁ ବେଶ ପ୍ରସିଦ୍ଧି ଲାଭ କରିଛି । ପ୍ରାୟତଃ ଶୀତ ଋତୁ ଆସିଲେ କଫି ପିଇବାର ମଜା ସହ କଫି ବଗିଚା ବୁଲିବା ପାଇଁ ସତେ ଯେମିତି ପର୍ଯ୍ୟଟକଙ୍କୁ ଟାଣିଥାଏ କୋରାପୁଟ କଫି ବଗିଚା । ଖାଲି ସେତିକି ନୁହେଁ ଏଠି ଚାଷ କରି ଅନେକ ଚାଷୀ ରୋଜଗାରକ୍ଷମ ହୋଇପାରିଛନ୍ତି। ଏହା ଏକ ଅନଗ୍ରସର ଅଞ୍ଚଳ । ପ୍ରାକୃତିକ ସୌନ୍ଦର୍ଯ୍ୟ ସହ କୋରାପୁଟରେ ଅନେକ ଆଧୁନିକ ଶିଳ୍ପ ଏବଂ କୃଷି କ୍ଷେତ୍ରରେ କାର୍ଯ୍ୟ କରାଯାଉଛି । ଆଉ ଏହା ଭିତରୁ କୋରାପୁଟ କଫିର ଚାହିଦା ବିଶ୍ୱସ୍ତରରେ ପହଞ୍ଚିଛି । ଏବେ ବୈଶ୍ୱିକ କଫି ମାନଚିତ୍ରରେ କୋରାପୁଟ ସ୍ଥାନ ପାଇପାରିଛି। କୋରାପୁଟ କଫି ଚାଷର ଇତିହାସ ବହୁ ପୁରୁଣା । ପ୍ରଥମେ ଜୟପୁର ମହାରାଜା ରାଜବାହାଦୁର ରାମଚନ୍ଦ୍ର ଦେଓ ୧୯୩୦ରେ ଏହି ଚାଷ ଆରମ୍ଭ କରିଥିଲେ। ଜୟପୁର ଜମିଦାରି ଉଚ୍ଛେଦ ହେବାପରେ ଏହା ପ୍ରାୟ ବନ୍ଦ ହୋଇଯାଇଥିଲା । କିନ୍ତୁ ଏବେ କଫି କଥା ଉଠିଲେ ମନକୁ ଆସେ କୋରାପୁଟ ଜିଲ୍ଲା କଥା । ଯାହା କଫି ଓ କଫି ବଗିଚା ପାଇଁ ବେଶ ସୁନାମ ଅର୍ଜନ କରିଛି ।
ପାହାଡ ପାଦଦେଶରେ ପ୍ରକୃତିର ବରଦାନ ସାଜିଛି କୋରାପୁଟ। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ବର୍ଷ ତମାମ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଆଉ ଏହା ସାଙ୍ଗକୁ ଯୋଡି ହୋଇଛି କୋରାପୁଟର ଅନନ୍ୟ ଦର୍ଶନୀୟ ସ୍ଥାନ କଫି ବଗିଚା । ଦେଶର କୋଣ ଅନୁକୋଣରରୁ ପର୍ଯ୍ୟଟକ ଆସୁଛନ୍ତି ଏହି କଫି ବଗିଚାକୁ। ଏଠାର ଚାଷ ହେଉଥିବା କଫି ବିଶ୍ବ ଦରବାରରେ ଆଜି ବି ପରିଚିତ। ପ୍ରତ୍ୟେକ ଋତୁରେ କୋରାପୁଟରେ ନୂଆ ରୂପ ନିଏ କଫି ବଗିଚା । ବଗିଚାରେ ଫୁଲ ଫୁଟିବା, କଞ୍ଚା କଫି ଫଳ ଠାରୁ ପାଚିଲା ଫଳ ଯାଏଁ ପ୍ରତିଟି କଫି ଗଛ ପର୍ଯ୍ୟଟକ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି ।

ଦିନ ଥିଲା କୋରାପୁଟ ଜଙ୍ଗଲରେ କଫି ଚାଷ ହେଉଥିଲା । କିନ୍ତୁ ସେତେବେଳେ କେହି ଏତେ ଟା ପ୍ରାଧାନ୍ୟ ଦେଉନଥିଲେ । ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ ଏହି ଚାଷ ପ୍ରତି ଆକୃଷ୍ଟ ହୋଇଥିଲେ ଚାଷୀ । ସମାୟନୁକ୍ରମେ କଫିର ଚାହିଦା ବଢିବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ ହୋଇଥିଲା । ଏହାପରେ କୋରାପୁଟ କଫି ଉନ୍ନୟନ ପରିଷଦ, କଫି ବୋର୍ଡ ଓ କଫି ଡେଭେଲପମେଣ୍ଟ ଟ୍ରଷ୍ଟର ମିଳିତ ପ୍ରୟାସରେ ଖୋଲାଗଲା କଫି ପ୍ରକ୍ରିୟାକରଣ ୟୁନିଟ । ତା’ପରେ କୋରାପୁଟ କଫି ବୋର୍ଡ ପାଇଲା ସ୍ବତନ୍ତ୍ର ପରିଚୟ । ଏବେ କୋରାପୁଟ ବ୍ରାଣ୍ଡରେ ବିକ୍ରି ହେଉଛି କଫି ।

ପର୍ଯ୍ୟଟନ କ୍ଷେତ୍ରରେ ଅନ୍ୟ ଏକ ପରିଚୟ ପାଲଟିଛି କଫି ବଗିଚା । ଓଡ଼ିଶାର କୋରାପୁଟ ଅଞ୍ଚଳରେ କଫି ଚାଷ ପାଇଁ ଅନୁକୂଳ ଜଳବାୟୁ ଥିବାରୁ ଏଠାରେ ୧୯୭୧ ମସିହାରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ କଫି ଚାଷ ଆରମ୍ଭ କରାଯାଇଥିଲା । ପାଖାପାଖି ତିନି ହଜାର କ୍ଷୁଦ୍ର ଚାଷୀ ତଥା ଶତାଧିକ କଫି ଉଦ୍ୟୋଗୀ ଏହି ଚାଷ କରି ଲାଭାନ୍ଵିତ ହୋଇଛନ୍ତି । ଏହି କଫି ବଗିଚା ଗୁଡିକରେ ୫ ହଜାରରୁ ଊର୍ଦ୍ଧ୍ବ ଦିନ ମଜୁରିଆ ବର୍ଷ ତମାମ କାମ ପାଇଥାନ୍ତି ବୋଲି କଫି ବୋର୍ଡ ଅଧିକାରୀ ସୂଚନା ଦେଇଛନ୍ତି । ଉଭୟ ସରକାରୀ ଏବଂ ବେସରକାରୀ ସଂସ୍ଥାର ପ୍ରୟାସରେ କୋରାପୁଟ ଅଞ୍ଚଳରେ କଫି ଚାଷର ସମ୍ଭାବନା ଓ ଆଦିବାସୀ ବହୁଳ ଅଞ୍ଚଳରେ ଅର୍ଥନୈତିକ ବ୍ୟବସ୍ଥାରେ ଉନ୍ନତି ହୋଇପାରିଛି । ଏବେ ରାଜ୍ୟର ସମସ୍ତ କ୍ୟାଫେରେ ମିଳୁଛି କୋରାପୁଟ କଫିର ମହକ ।
ନିକଟରେ ମନ କି ବାତର ୧୨୭ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର କୋରାପୁଟ କଫି ବିଷୟରେ ଚର୍ଚ୍ଚା କରିଥିଲେ । କଫି ଚାଷ କିପରି ଚାଷୀଙ୍କୁ ଆତ୍ମନିର୍ଭରଶୀଳ କରାଇବା ସହିତ ଲାଭବାନ କରିଛି ପ୍ରଧାନମନ୍ତ୍ରୀ ଏହି ସମ୍ପର୍କରେ ଆଲୋଚନା କରିଥିଲେ । ଏହାସହ କୋରାପୁଟ କଫିର ସ୍ବାଦ ଅନନ୍ୟ ଓ ନିଆରା ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score