କୋରାପୁଟ : ଆଉ ଦିନକ ପରେ ଖେଳ ହେବ ହୋଲି । ଏଥିପାଇଁ ବେଶ ଉତ୍ସାହ ଅଛନ୍ତି ପିଲାଠୁ ନେଇ ବୟସ୍କ । ତେବେ ଏଥର ହୋଲିରେ କୌଣସି ରାସାୟନିକ ରଙ୍ଗ ବ୍ୟବହାର ନହେଉ ପ୍ରାକୃତିକ ରଙ୍ଗରେ ଯେମିତି ସମସ୍ତେ ହୋଲି ଖେଳିବେ ସେଥିପାଇଁ କୋରାପୁଟ ଏସଏଚଜି ମହିଳା ପ୍ରସ୍ତୁତ କରୁଛନ୍ତି ହର୍ବାଲ ହୋଲି। ପନିପରିବାରୁ ଫଗୁ ପ୍ରସ୍ତୁତ କରୁଛନ୍ତି କୋରାପୁଟ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା। ବିଭିନ୍ନ ପନିପରିବାକୁ ନେଇ ସେଥିରୁ ରଙ୍ଗ ବାହାର କରି ଭଲିକି ଭଲି ରଙ୍ଗର ଫଗୁ ପ୍ରସ୍ତୁତ କରୁଛନ୍ତି ଡୁମୁରିପୁଟର ତୁଳସୀ ମହିଳା ସ୍ଵୟଂସହାୟକ ଗୋଷ୍ଠୀର ସଦସ୍ୟା ।
ଡୁମୁରିପୁଟରେ ପ୍ରାକୃତିକ ଫଗୁ ତିଆରି, ଓରମାସ ସହଯୋଗରେ ବଜାରକୁ ପହଞ୍ଚୁଛି ଉତ୍ପାଦ :
କୋରାପୁଟ ଜିଲ୍ଲାର ଡୁମୁରିପୁଟ ଗ୍ରାମର ଏକ ଛୋଟ ଘରେ ଚାଲିଛି ପ୍ରାକୃତିକ ହୋଲି ରଙ୍ଗ ତିଆରି କାମ। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସ୍ୱଦେଶୀ ଉପାଦାନ ବ୍ୟବହାର କରି ସୁରକ୍ଷିତ ଓ ପରିବେଶବନ୍ଧବ ଫଗୁ ପ୍ରସ୍ତୁତ କରୁଛନ୍ତି।
ଗାଜର, ବିଟ ରୁଟ, ବିଭିନ୍ନ ପ୍ରକାର ଶାଗ ଓ ଗେଣ୍ଡୁ ଫୁଲକୁ ପ୍ରଥମେ ଭଲଭାବେ ଗ୍ରାଇଣ୍ଡିଂ କରାଯାଏ। ସେଥିରୁ ଯେଉଁ ପ୍ରାକୃତିକ ରସ ବାହାରେ, ତାହାକୁ ଚାଉଳ ଗୁଣ୍ଡ କିମ୍ବା ମଇଦା ସହିତ ମିଶାଇ ଫଗୁ ତିଆରି କରାଯାଉଛି। ପରେ ସେହି ରଙ୍ଗକୁ ଖରାରେ ଶୁଖେଇ ଛୋଟ ଛୋଟ ପ୍ୟାକେଟ୍ରେ ପ୍ରସ୍ତୁତ କରାଯାଉଛି।
ଏହି ପ୍ରସ୍ତୁତ ରଙ୍ଗକୁ ORMASର ସହଯୋଗରେ ବଜାରକୁ ପଠାଯାଉଛି । ଓରମାସ ମାଧ୍ୟମରେ ଉତ୍ପାଦଗୁଡ଼ିକୁ ଅଧିକ ଲୋକଙ୍କ ପହଞ୍ଚରେ ନେବାରେ ସହଜତା ମିଳୁଛି ବୋଲି ଗୋଷ୍ଠୀର ମହିଳାମାନେ କହିଛନ୍ତି।
ସେହିପରି ଏହି ପ୍ରାକୃତିକ ରଙ୍ଗରେ ଲେମନ ଗ୍ରାସ ତେଲ ମଧ୍ୟ ମିଶାଯାଉଛି, ଯାହାଦ୍ୱାରା ରଙ୍ଗରୁ ସୁଗନ୍ଧ ଆସୁଛି ଏବଂ ବ୍ୟବହାରକାରୀମାନେ ଆହୁରି ଆନନ୍ଦ ଅନୁଭବ କରୁଛନ୍ତି। ସୁରକ୍ଷିତ ଓ ସ୍ୱାସ୍ଥ୍ୟକର ହୋଲି ପାଳନକୁ ଲକ୍ଷ୍ୟ କରି ମହିଳାମାନଙ୍କ ଏହି ପ୍ରୟାସକୁ ସ୍ଥାନୀୟ ଲୋକମାନେ ବେଶ ସ୍ୱାଗତ କରୁଛନ୍ତି ।
ଓଡ଼ିଶା ଜୀବିକା ମିଶନରେ ସ୍ୱାବଲମ୍ବନ ଦିଗରେ ମହିଳାମାନଙ୍କ ନୂଆ ପଦକ୍ଷେପ
ଓଡ଼ିଶା ଜୀବିକା ମିଶନର ସହଯୋଗରେ କୋରାପୁଟ ଜିଲ୍ଲାର ମହିଳାମାନେ ଏବେ ସ୍ୱାବଲମ୍ବନ ଦିଗରେ ଆଗୁଆ ହେଉଛନ୍ତି । ପ୍ରାୟ ଦୁଇ ବର୍ଷ ପୂର୍ବରୁ “ତୁଳସୀ” ନାମକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଦୁଇ ଜଣ ସଦସ୍ୟା ଭୁବନେଶ୍ୱରକୁ ଯାଇ ବିଶେଷ ତାଲିମ ଗ୍ରହଣ କରିଥିଲେ। ତାଲିମ ପରେ ସେମାନେ ପ୍ରାକୃତିକ ଉପାଦନରୁ ତିଆରି ସୁରକ୍ଷିତ ହୋଲି ରଙ୍ଗ ତିଆରି କରିବାର ଉଦ୍ୟମ ଆରମ୍ଭ କରିଥିଲେ।
ଆରମ୍ଭରେ ଛୋଟ ପରିସରରେ ତିଆରି ହୋଇଥିବା ଏହି ରଙ୍ଗକୁ ଏବେ କୋରାପୁଟ ଜିଲ୍ଲାର ବିଭିନ୍ନ ହାଟବଜାରରେ ବିକ୍ରି କରାଯାଉଛି। ଲୋକମାନଙ୍କ ଭଲ ପ୍ରତିକ୍ରିୟା ମିଳୁଥିବାରୁ ଆଗାମୀ ଦିନରେ ଏହି ପ୍ରାକୃତିକ ରଙ୍ଗକୁ ଭୁବନେଶ୍ୱର ସହିତ ଅନ୍ୟାନ୍ୟ ସହରକୁ ପଠାଇବାର ଯୋଜନା ମଧ୍ୟ ରହିଛି ବୋଲି ଗୋଷ୍ଠୀର ଜଣେ ସଦସ୍ୟା କହିଛନ୍ତି।
ମହିଳାମାନଙ୍କ କହିବା ଅନୁସାରେ, ସେମାନେ ଲାଭ କିମ୍ବା କ୍ଷତିକୁ ଅଧିକ ଗୁରୁତ୍ୱ ଦେଉ ନାହାଁନ୍ତି । ପ୍ରଧାନ ଲକ୍ଷ୍ୟ ହେଉଛି ଲୋକମାନେ ଯେପରି ରାସାୟନିକ ମୁକ୍ତ, ସୁରକ୍ଷିତ ଓ ପରିବେଶବାନ୍ଧବ ରଙ୍ଗରେ ହୋଲି ପାଳନ କରନ୍ତୁ । ଏହି ସାମାଜିକ ଉଦ୍ୟମ ମାଧ୍ୟମରେ ସେମାନେ ଆର୍ଥିକ ଭାବେ ସୁଦୃଢ଼ ହେବା ସହିତ ସମାଜ ପାଇଁ ମଧ୍ୟ ଉପକାରୀ କାମ କରୁଛନ୍ତି।
ଓଡ଼ିଶା ଜୀବିକା ମିଶନର ଏପରି ପ୍ରୟାସ ଗ୍ରାମୀଣ ମହିଳାମାନଙ୍କୁ ନୂଆ ଦିଗ ଦେଉଛି ଏବଂ ସ୍ୱୟଂରୋଜଗାର ମାଧ୍ୟମରେ ସେମାନଙ୍କ ଜୀବନମାନକୁ ଉନ୍ନତ କରୁଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
