କଲିକତା : ଦେଶର ରେଳ ଇତିହାସରେ ଆଉ ଏକ ମାଇଲଷ୍ଟୋନ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କରିଛନ୍ତି। ଏହି ଅତ୍ୟାଧୁନିକ ଟ୍ରେନ ଗୌହାଟୀ ଓ ହାୱଡା ମଧ୍ୟରେ ଯାତ୍ରୀ ସେବା ପ୍ରଦାନ କରିବ।
ପଶ୍ଚିମବଙ୍ଗର ମାଲଦା ଟାଉନ ରେଳ ଷ୍ଟେସନରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ପତାକା ଦେଖାଇ ଏହି ଟ୍ରେନକୁ ଉଦଘାଟନ କରିଥିଲେ। ଏହି ବନ୍ଦେ ଭାରତ ସ୍ଲିପର ଟ୍ରେନରେ ଯାତ୍ରୀଙ୍କ ସୁବିଧା ପାଇଁ ଆଧୁନିକ ସ୍ଲିପର କୋଚ, ସୁରକ୍ଷା ବ୍ୟବସ୍ଥା, ସ୍ମାର୍ଟ ସେବା ଓ ଆରାମଦାୟକ ପରିବେଶ ଉପଲବ୍ଧ ରହିଛି ।
ଏହି ଟ୍ରେନର ଚାଲୁ ହେବା ଫଳରେ ପୂର୍ବ ଓ ଉତ୍ତରପୂର୍ବ ଭାରତ ମଧ୍ୟରେ ରେଳ ଯୋଗାଯୋଗ ଅଧିକ ସୁଦୃଢ଼ ହେବା ସହିତ ଯାତ୍ରୀମାନଙ୍କୁ ଦ୍ରୁତ, ସୁରକ୍ଷିତ ଓ ସୁବିଧାଜନକ ଯାତ୍ରାର ଅନୁଭୂତି ମିଳିବ।
ପ୍ରଥମ ସମ୍ପୂର୍ଣ୍ଣ ଏସି ବନ୍ଦେ ଭାରତ ସ୍ଲିପର ଟ୍ରେନ, ଯାହା ହାୱଡ଼ା-ଗୌହାଟୀ ରୁଟରେ ଯାତ୍ରା ସମୟକୁ ପ୍ରାୟ ୨.୫ ଘଣ୍ଟା ହ୍ରାସ କରିବା ସହ ଯାତ୍ରାକୁ ଅଧିକ ସୁବିଧାଜନକ କରିବ । ଏହି ଟ୍ରେନ ଚାଲିବା ଫଳରେ ଦୂରଯାତ୍ରା, ପର୍ଯ୍ୟଟନ ଏବଂ ଧାର୍ମିକ ତୀର୍ଥଯାତ୍ରା ସଂଖ୍ୟା ବୃଦ୍ଧି ପାଇବ ।
ହାୱଡ଼ା–କାମାକ୍ଷା ବନ୍ଦେ ଭାରତ ସ୍ଲିପର ଟ୍ରେନ ପ୍ରାୟ ୧ ହଜାର କିଲୋମିଟର ଦୀର୍ଘ ରୁଟରେ ଚଳାଚଳ କରିବ। ଏଥିରେ ପ୍ରଥମ ଏସି, ଏସି ୨–ଟାୟାର ଓ ଏସି ୩–ଟାୟାର ସହିତ ସମୁଦାୟ ୧୬ଟି ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ସ୍ଲିପର କୋଚ ସଂଯୋଜିତ ରହିଛି । ଏହି ଟ୍ରେନରେ ମୋଟ ୮୨୩ ଯାତ୍ରୀ ଯାତ୍ରା କରିବାର କ୍ଷମତା ରହିଛି ।
ଯାତ୍ରୀଙ୍କ ସୁବିଧାକୁ ଗୁରୁତ୍ୱ ଦେଇ ଡିଜାଇନ କରାଯାଇଥିବା ଏହି ଟ୍ରେନରେ ଏରଗୋନୋମିକ ବର୍ଥ, ସ୍ୱୟଂଚାଳିତ ଦ୍ୱାର, ଶବ୍ଦ କମାଇବା ଫିଚର ସହିତ କଭଚ ଆଣ୍ଟି କୋଲିଜନ ସିଷ୍ଟମ ଭଳି ଆଧୁନିକ ସୁରକ୍ଷା ବ୍ୟବସ୍ଥା ରହିଛି । ଘଣ୍ଟା ପ୍ରତି ୧୩୦ କିଲୋମିଟର ପର୍ଯ୍ୟନ୍ତ ଗତି ସମ୍ଭାବନା ଥିବା ଏହି ଟ୍ରେନ ଭାରତୀୟ ରେଳ ସେବାକୁ ଆଧୁନିକତାର ନୂଆ ଶିଖରରେ ପହଞ୍ଚିବ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
