Explore

Search

March 10, 2026 8:45 pm

ନଗଦ ନଥିଲେ ଚିନ୍ତା ନାହିଁ : QR କୋଡ ସ୍କାନ କରି ଦିଅନ୍ତୁ ଭିକ୍ଷା

ପାରଳାଖେମୁଣ୍ଡି : ଡିଜିଟାଲ ଯୁଗର ପ୍ରଭାବ ଏବେ ସମାଜର ପ୍ରାୟ ସମସ୍ତ ଶ୍ରେଣୀକୁ ଛୁଇଁଯାଇଛି । ଏପରିକି କେତେକ ଭିକ୍ଷୁକ ମଧ୍ୟ ଏବେ ପାରମ୍ପରିକ ଭାବେ ଟଙ୍କା ନେବା ପ୍ରତିବର୍ତ୍ତିତ ହୋଇ ଡିଜିଟାଲ ମାଧ୍ୟମକୁ ଆଶ୍ରୟ କରୁଛନ୍ତି।

ଖାଲି ସେତିକି ନୁହେଁ ଭିକ୍ଷୁକମାନେ ନିଜ ପାଖରେ QR କୋଡ୍ ରଖି ଲୋକମାନଙ୍କଠାରୁ ଡିଜିଟାଲ୍ ଭାବେ ଦାନ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ଯେଉଁମାନେ ହାତରେ ନଗଦ ଟଙ୍କା ରଖୁ ନାହାଁନ୍ତି, ସେମାନେ ମୋବାଇଲ୍ ଫୋନ୍ ମାଧ୍ୟମରେ UPI ଦ୍ୱାରା ଅର୍ଥ ପ୍ରଦାନ କରିଦେଉଛନ୍ତି । ଆଉ ଏହାକୁ ଦେଖି ସାଧାରଣ ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରରେ। ଏହି ଘଟଣା ଏବେ ସହରବାସୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସହରର ଦୋଳ ବନ୍ଧ ନିକଟସ୍ଥ ଏକ ଶିବ ମନ୍ଦିର ସାମ୍ନାରେ ଭିକ୍ଷା ବୃତ୍ତି କରୁଥିବା ଜଣେ ମହିଳା ନିଜ ପାଖରେ ଏକ QR କୋଡ୍ ଫଳକ ରଖି ଭିକ୍ଷା ମାଗୁଥିବା ଦେଖିବାକୁ ମିଳିଛି । ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କୁ ସେ କହୁଛନ୍ତି ଯେ, ଯଦି କାହା ପାଖରେ ଖୁଚୁରା ବା ନଗଦ ଟଙ୍କା ନଥାଏ, ତେବେ ମୋବାଇଲ୍ ଫୋନ୍‌ରେ QR କୋଡ୍ ସ୍କାନ୍ କରି ଡିଜିଟାଲ୍ ଭାବରେ ଦାନ କରିପାରିବେ।

ପବିତ୍ର ଶିବରାତ୍ରି ଅବସରରେ ସହରର ବିଭିନ୍ନ ଶିବ ମନ୍ଦିରରେ ଭକ୍ତମାନଙ୍କ ଭିଡ଼ ଲାଗିଥିବା ବେଳେ ଏହି ଘଟଣା ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ମନ୍ଦିରରୁ ଫେରୁଥିବା ସମୟରେ ସହରର ଜଣେ ବ୍ୟବସାୟୀ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ ଏହାର ଫଟୋ ଉଠାଇ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ। ପରେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇ ଚର୍ଚ୍ଚାର କାରଣ ହୋଇଛି।

ଏହି ଘଟଣା ଦେଖି କେହି କେହି ମଜାକ କରୁଥିବା ବେଳେ ଅନେକ ଲୋକ ଏହାକୁ ଡିଜିଟାଲ ଭାରତର ପ୍ରଭାବ ବୋଲି କହୁଛନ୍ତି। ସମାଜ ବିଦ୍ୱାନଙ୍କ ମତାନୁସାରେ, ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଗ୍ରାମ ଓ ସହରସ୍ତରକୁ ଦ୍ରୁତ ଗତିରେ ପହଞ୍ଚୁଥିବାରୁ ଏବେ ନିମ୍ନ ଆୟ ବର୍ଗରେ ମଧ୍ୟ ଏହାର ବ୍ୟବହାର ବଢ଼ୁଛି । ପାରଳାଖେମୁଣ୍ଡିର ଏହି ଘଟଣା ତାହାର ଏକ ନୂଆ ଉଦାହରଣ ବୋଲି କୁହାଯାଉଛି ।

ଚାଲୁଥିବା ଡିଜିଟାଲ୍ ଯୁଗରେ ଭିକ୍ଷା ବୃତ୍ତିରେ ମଧ୍ୟ ଏପରି ପରିବର୍ତ୍ତନ ଦେଖାଦେବା ସମାଜରେ ଏକ ନୂଆ ଓ ଆଶ୍ଚର୍ଯ୍ୟଜନକ ଚିତ୍ର ପ୍ରସ୍ତୁତ କରିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score