Explore

Search

February 11, 2026 1:46 pm

ଦୁବାଇରେ ତିଆରି ହେଉଛି ସୁନାର ରାସ୍ତା

ଦୁବାଇରେ ତିଆରି ହେଉଛି ସୁନାର ରାସ୍ତା। ଯାହା ବିଶ୍ୱର ପ୍ରଥମ ‘ଗୋଲ୍ଡ ଷ୍ଟ୍ରିଟ୍’ ହେବ ବୋଲି ଜଣା ପଡିଛି । କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ଏକଦମ ସତ । ଲଗ୍ଜରୀ ଜୀବନଶୈଳୀ, ଆଧୁନିକ ସ୍ଥାପତ୍ୟ ଓ ନବସୃଜନ ପାଇଁ ବିଶ୍ୱପ୍ରସିଦ୍ଧ ଦୁବାଇ ଏବେ ପୁନର୍ବାର ସାରା ବିଶ୍ୱର ଆକର୍ଷଣ କେନ୍ଦ୍ର ହୋଇଉଠିଛି । ଏଥର ଦୁବାଇ କର୍ତ୍ତୃପକ୍ଷ ଏକ ସମ୍ପୂର୍ଣ୍ଣ ଅନନ୍ୟ ଓ ଐତିହାସିକ ପ୍ରକଳ୍ପର ଘୋଷଣା କରିଛନ୍ତି । ଦୁବାଇରେ ବିଶ୍ୱର ପ୍ରଥମ ‘ଗୋଲ୍ଡ ଷ୍ଟ୍ରିଟ’ ନିର୍ମାଣ କରାଯିବ, ଯେଉଁଠାରେ ସୁନା ସମ୍ପର୍କିତ ବ୍ୟବସାୟ, ଡିଜାଇନ ଓ ପର୍ଯ୍ୟଟନକୁ ଏକ ନୂଆ ମାପଦଣ୍ଡ ମିଳିବ। ଏହି ପ୍ରକଳ୍ପ ଦୁବାଇର ଆଡମ୍ବର ଓ ନବୀନତାକୁ ଆଉ ଏକ ନୂଆ ପରିଚୟ ଦେବ ବୋଲି ଆଶା କରାଯାଉଛି ।

ଏହି ‘ଗୋଲ୍ଡ ଷ୍ଟ୍ରିଟ’ ସମ୍ପୂର୍ଣ୍ଣ ଭାବେ ସୁନା ଉପାଦାନ ବ୍ୟବହାର କରି ନିର୍ମାଣ କରାଯିବ । ଦୁବାଇର ପୁରାତନ ଡେରା ଅଞ୍ଚଳରେ ଏହି ପ୍ରକଳ୍ପ ନିର୍ମିତ ହେବ। ଯାହା ପୂର୍ବରୁ ତାହାର ପ୍ରସିଦ୍ଧ ‘ସୁନା ସୌକ’ ପାଇଁ ସାରା ବିଶ୍ୱରେ ପରିଚିତ। ଏଠାକୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ସୁନା ଓ ଅଳଙ୍କାର କିଣିବା ପାଇଁ ଆସିଥାନ୍ତି।

ନିର୍ମାଣ ହେବାକୁ ଥିବା ଦୁବାଇର ‘ଗୋଲ୍ଡ ଷ୍ଟ୍ରିଟ ’ରେ ଗୋଟିଏ ଛାତ ତଳେ ଖୁଚୁରା ଦୋକାନ, ପାଇକାରୀ ବ୍ୟବସାୟ, ବୁଲିଅନ କ୍ରୟ-ବିକ୍ରୟ, ନିବେଶ ସୁବିଧା ସହିତ ଅଳଙ୍କାର ସମ୍ବନ୍ଧୀୟ ବିଭିନ୍ନ ସେବା ଉପଲବ୍ଧ ହେବ। ଅଧିକାରୀମାନେ ଏଠାରେ କମରେ କମ ୧,୦୦୦ଟି ଖୁଚୁରା ସୁନା ଦୋକାନ ଥିବା ଆଶା ପ୍ରକାଶ କରିଛନ୍ତି। ଏହାର ଫଳରେ ଏହି ଗୋଲ୍ଡ ଷ୍ଟ୍ରିଟ ପର୍ଯ୍ୟଟକ ଓ ବ୍ୟବସାୟୀମାନଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣ କେନ୍ଦ୍ରରେ ପରିଣତ ହେବ ବୋଲି ଅନୁମାନ କରାଯାଉଛି ।

ଗୋଲ୍ଡ ଷ୍ଟ୍ରିଟର ଡିଜାଇନ, ନିଖୁଣ ସ୍ଥାନ ଏବଂ ପ୍ରକଳ୍ପ ସମାପ୍ତିର ସମୟସୀମା ସମ୍ପର୍କିତ ସମ୍ପୂର୍ଣ୍ଣ ବିବରଣୀ ପର୍ଯ୍ୟାୟକ୍ରମେ ସାର୍ବଜନୀନ କରାଯିବ। ଦୁବାଇ ସରକାର ଏହାର ପ୍ରଥମ ଆଧିକାରିକ ଭିଡିଓ ପ୍ରକାଶ କରିଛନ୍ତି । ଯାହା ଦେଖି ଲୋକମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖା ଦେଇଛି । ଏହି ନୂଆ ପ୍ରକଳ୍ପ କେବଳ ବାଣିଜ୍ୟିକ କ୍ଷେତ୍ରକୁ ଶକ୍ତିଶାଳୀ କରିବ ତାହା ନୁହେଁ, ପର୍ଯ୍ୟଟନ ଉଦ୍ୟୋଗକୁ ମଧ୍ୟ ନୂଆ ଗତି ଦେବ ବୋଲି ଆଶା କରାଯାଉଛି । ସାରା ବିଶ୍ୱର ପର୍ଯ୍ୟଟକମାନେ ଏବେ ଦୁବାଇର ଏହି ଅନନ୍ୟ ‘ଗୋଲ୍ଡ ଷ୍ଟ୍ରିଟ’ରେ ପଦଚାରଣ କରିବାର ସୁଯୋଗ ପାଇଁ ଆଗ୍ରହର ସହିତ ଅପେକ୍ଷା କରିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score