ନୂଆଦିଲ୍ଲୀ : ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବେ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ । ଚଳିତବର୍ଷ ବୈଭବ ତାଙ୍କର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବେ । ଏନେଇ ତାଙ୍କର ଆଡମିଟ କାର୍ଡ ଜାରି ହୋଇସାରିଛି । ଏହାକୁ ନେଇ ଏବେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି । ବୈଭବ ସୂର୍ଯ୍ୟବଂଶୀ ବର୍ଷରେ କେବଳ କିଛି ଦିନ ସ୍କୁଲ ଯାଆନ୍ତି ତେବେ ତାଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳିବ କି ନାହିଁ ।
ତେବେ ଆଗାମୀ ବୋର୍ଡ ପରୀକ୍ଷା ପାଇଁ ସେ ସମସ୍ତିପୁର ସହରସ୍ଥିତ ପୋଦାର ଇଣ୍ଟରନ୍ୟାଶନାଲ ସ୍କୁଲକୁ ଯିବେ । ବୈଭବ ବର୍ତ୍ତମାନ ତାଜପୁର ବ୍ଲକର ମୋଡେଷ୍ଟି ସ୍କୁଲର ଛାତ୍ର । ପାଠପଢ଼ା ସହ ଖେଳକୁ ସମାନ ଗୁରୁତ୍ୱ ଦେଇ ସେ ଆଗକୁ ବଢ଼ୁଛନ୍ତି । କିନ୍ତୁ ଏବେ ତାଙ୍କ ପାଇଁ ସବୁଠୁ ବଡ଼ ପରୀକ୍ଷା ହେଉଛି ସମୟ ପରିଚାଳନା। ସିବିଏସଇ ବୋର୍ଡ ପରୀକ୍ଷା ଫେବୃଆରୀ ୧୭ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ଆଇପିଏଲ ମ୍ୟାଚ ଆସନ୍ତା ମାର୍ଚ୍ଚ ୨୬ରୁ ଆରମ୍ଭ ହେବ । ଏହି ଦୁଇଟି ଦାୟିତ୍ୱକୁ ସମନ୍ୱୟ କରିବା ବୈଭବଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ପାଲଟିଛି ।
ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପୂରା ବର୍ଷ ଧରି ଘରୋଇ ଓ ପ୍ରତିଯୋଗିତାମୂଳକ କ୍ରିକେଟ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଥିଲେ । ଯାହା ଫଳରେ ସେ ନିୟମିତ ସ୍କୁଲ ବି ଯାଇ ପାରୁନଥିଲେ। ଏହି ପରିସ୍ଥିତିରେ ତାଙ୍କର ବୋର୍ଡ ପରୀକ୍ଷା ଅଂଶଗ୍ରହଣକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠିଛି।
ତେବେ ଶିକ୍ଷା ବୋର୍ଡର ନିୟମାବଳୀ ଅନୁଯାୟୀ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କ୍ରୀଡାରେ ଭାଗ ନେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ ସୁବିଧା ରହିଛି । ସିବିଏସଇ ପକ୍ଷରୁ ଏପରି ପ୍ରତିଭାଶାଳୀ ଛାତ୍ରମାନଙ୍କୁ ଉପସ୍ଥିତି ଓ ପରୀକ୍ଷା ସମ୍ପର୍କିତ କିଛି ଛାଡ ଦିଆଯାଏ। ଆବଶ୍ୟକ ପରିସ୍ଥିତିରେ ପୃଥକ ପରୀକ୍ଷା ବ୍ୟବସ୍ଥା କରିବାର ପ୍ରାବଧାନ ମଧ୍ୟ ରହିଛି।
ଯଦି କୌଣସି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପରୀକ୍ଷା ତାରିଖ ସହ ସଂଘର୍ଷ କରେ, ତେବେ ନିୟମାନୁସାରେ ପୂର୍ବରୁ ସୂଚନା ଦେଇ ପରୀକ୍ଷା ସ୍ଥଗିତ କରିବା ବା ବିକଳ୍ପ ତାରିଖ ନିର୍ଦ୍ଧାରଣ କରାଯାଇପାରେ । ସେହିପରି ଦେଖାଯାଉଛି ଯେ, ନିୟମିତ ପ୍ରକ୍ରିୟା ଅନୁସରଣ କଲେ ବୈଭବଙ୍କ ପରୀକ୍ଷା ଦେବାରେ ବଡ଼ ବାଧା ସୃଷ୍ଟି ହେବ ନାହିଁ । କ୍ରୀଡାରେ ସଫଳତା ସହ ଶିକ୍ଷାରେ ମଧ୍ୟ ସମାନ ମାନ ରଖିବା ପାଇଁ ସମସ୍ତଙ୍କ ଆଶା ରହିଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
