Explore

Search

April 7, 2026 1:35 am

ଦଣ୍ଡଯାତ୍ରାରେ SOP ଉଲ୍ଲଂଘନ ଅଭିଯୋଗ, ୫ ଆୟୋଜକଙ୍କୁ ନୋଟିସ

ଛତ୍ରପୁର : ଦଣ୍ଡଯାତ୍ରାରେ SOP ଉଲ୍ଲଂଘନ ଅଭିଯୋଗ । ଦଣ୍ଡଯାତ୍ରା ସମୟରେ ଅଶ୍ଳୀଳ ନୃତ୍ୟ ହେବାକୁ ନେଇ ବିବାଦ ଜୋରଦାର ହୋଇଛି। ପବିତ୍ର ଦଣ୍ଡନାଚରେ SOP ଉଲ୍ଲଂଘନ ଅଭିଯୋଗ ଆସିବା ପରେ ଛତ୍ରପୁରର ଲଣ୍ଡାବାଉଁଶ ଦଣ୍ଡ ଦଳ ବିରୋଧରେ ପ୍ରଶାସନ କଡ଼ା ପଦକ୍ଷେପ ନେଇଛି। ଏହି ଘଟଣାରେ ୫ ଜଣ ଆୟୋଜକଙ୍କ ନାମରେ ମାମଲା ରୁଜୁ ହୋଇଥିବା ସହ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ଅଶ୍ଳୀଳତା ଓ ଦ୍ୱିଅର୍ଥବୋଧକ ଶବ୍ଦକୁ ରୋକିବା ପାଇଁ ପୂର୍ବରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା SOP ଜାରି ହୋଇଥିଲା। ଦଣ୍ଡନାଚର ପାରମ୍ପରିକ ପବିତ୍ରତାକୁ ଅକ୍ଷୁଣ୍ଣ ରଖିବାକୁ ଦଳମାନଙ୍କୁ ସଚେତନ କରାଯାଇଥିଲେ ମଧ୍ୟ କିଛି ସ୍ଥାନରେ ନିୟମ ଉଲ୍ଲଂଘନ ହେଉଥିବା ଅଭିଯୋଗ ଆସୁଛି । ଏହି ପରିପ୍ରେକ୍ଷୀରେ ରେ ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱ ସହ ନେଇଛି।

ଛତ୍ରପୁର ଏସଡ଼ିପିଓ ଚନ୍ଦନ ଘଡ଼େଇ କହିଛନ୍ତି, ନିୟମ ଉଲ୍ଲଂଘନ ହେଲେ ଆଗାମୀ ଦିନରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦଣ୍ଡନାଚ ଆୟୋଜକମାନେ। ସେମାନଙ୍କ କହିବା ଅନୁସାରେ, ସେମାନେ କୌଣସି ପ୍ରକାରର ଅଶ୍ଳୀଳ କିମ୍ବା ଇଙ୍ଗିତମୂଳକ ପ୍ରଦର୍ଶନ କରି ନାହାଁନ୍ତି । ସବୁବେଳେ ପ୍ରଶାସନର ନିୟମକୁ ସମ୍ମାନ କରିଆସୁଛନ୍ତି। ଦଣ୍ଡନାଚ ଏକ ପାରମ୍ପରିକ ଓ ଆଧ୍ୟାତ୍ମିକ ପରମ୍ପରା ବୋଲି ସେମାନେ ଉଲ୍ଲେଖ କରିଛନ୍ତି।

ଆୟୋଜକ କହିଛନ୍ତି, କିଛି ଭାଇରାଲ ଭିଡିଓ ଆଧାରରେ ଅଭିଯୋଗ ଆଣାଯାଇଛି, ଯାହାର ସତ୍ୟତା ଯାଞ୍ଚ ଆବଶ୍ୟକ। ସେମାନେ କାରଣ ଦର୍ଶାଅ ନୋଟିସର ଉତ୍ତର ଦେଇ ନିଜ ପକ୍ଷ ସ୍ପଷ୍ଟ କରିବେ ବୋଲି କହିଛନ୍ତି।

ଏହି ଘଟଣାକୁ ନେଇ ପ୍ରଶାସନ ଓ ଆୟୋଜକଙ୍କ ମଧ୍ୟରେ ମତଭେଦ ଜାରି ରହିଥିବା ବେଳେ, ଦଣ୍ଡଯାତ୍ରାର ପାରମ୍ପରିକତା ଓ ପବିତ୍ରତାକୁ ଅକ୍ଷୁଣ୍ଣ ରଖିବା ଏବେ ମୁଖ୍ୟ ଚ୍ୟାଲେଞ୍ଜ ହୋଇପଡ଼ିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score