Explore

Search

February 11, 2026 1:47 pm

ତେଲ ଉପରୁ ହଟିଲା ଟାରିଫ

ଆମେରିକା: ତେଲ ଉପରୁ ହଟିଲା ଟାରିଫ । ଭାରତ ଓ ଆମେରିକା ମଧ୍ୟରେ ସମ୍ପ୍ରତି ହୋଇଥିବା ବାଣିଜ୍ୟିକ ଆଲୋଚନା ପରେ ଶେଷରେ ଟାରିଫ ଉଠାଇଛି ଆମେରିକା। ଉଭୟ ଦେଶ ମଧ୍ୟବର୍ତ୍ତୀକାଳୀନ ବ୍ୟବସାୟିକ ପଦ୍ଧତି ଅନୁଷ୍ଠାନ ପାଇଁ ସମ୍ମତିକୁ ପହଞ୍ଚିଥିବା ବେଳେ, ଏହା ଦୁଇ ଦେଶର ଆର୍ଥିକ ଓ ବାଣିଜ୍ୟିକ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ଅନୁମାନ କରାଯାଉଛି ।

ଭାରତ ଓ ଆମେରିକା ଟ୍ରେଡ ଡିଲକୁ ତ୍ୱରାନ୍ୱିତ ଭାବେ କାର୍ଯ୍ୟକାରୀ କରିବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଆବଶ୍ୟକ ନିର୍ଦ୍ଦେଶ ଜାରି କରିଥିବା ସୂଚନା ମିଳିଛି । ଏହାସହିତ ଭାରତ ଉପରେ ଲାଗୁ ହୋଇଥିବା ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ (ଟାରିଫ) କୁ ଆମେରିକା ପକ୍ଷରୁ ପ୍ରତ୍ୟାହାର କରାଯାଇଛି ।

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଦ୍ୱାରା ଟାରିଫ ହ୍ରାସ କରାଯିବା ପରେ ଭାରତ ପାଇଁ ବୃହତ ବାଣିଜ୍ୟିକ ସୁଯୋଗ ସୃଷ୍ଟି ହୋଇଛି । ଏହି ପଦକ୍ଷେପର ପରିଣାମ ସ୍ୱରୂପ ପ୍ରାୟ ୩୦ ଟ୍ରିଲିୟନ ଟଙ୍କା ମୂଲ୍ୟର ସାମଗ୍ରୀ ଆମେରିକାକୁ ରପ୍ତାନୀ କରିବାର ସମ୍ଭାବନା ଖୋଲି ଯାଇଛି ।

ଏହାଦ୍ୱାରା ଦେଶର ଏମଏସଏମଇ କ୍ଷେତ୍ର ସହିତ କୃଷକ ଓ ମତ୍ସ୍ୟଜୀବୀମାନେ ବିଶେଷ ଭାବେ ଲାଭାନ୍ବିତ ହେବେ ବୋଲି ଆଶା କରାଯାଉଛି । ରପ୍ତାନୀ ବୃଦ୍ଧି ହେତୁ ମହିଳା ଓ ଯୁବପିଢିଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ନୂଆ ନୂଆ ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଟାରିଫ ହ୍ରାସ ପରେ ପୋଷାକ, ଚମଡା,ଯୋତା, ପ୍ଲାଷ୍ଟିକ ଓ ରବର ସାମଗ୍ରୀ, ଅର୍ଗାନିକ କେମିକାଲ, ଘରକରଣା ସାମଗ୍ରୀ ସହିତ କିଛି ନିର୍ଦ୍ଦିଷ୍ଟ ଯନ୍ତ୍ରାଂଶର ରପ୍ତାନୀ ପାଇଁ ବଡ଼ ମାପର ସୁଯୋଗ ସୃଷ୍ଟି ହେବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

ଏହା ସହିତ ଫାର୍ମା, ରତ୍ନ ଓ ହୀରା, ଏବଂ ବିମାନ ଯନ୍ତ୍ରାଂଶ ଉପରେ କୌଣସି ଟାରିଫ ଲାଗୁ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଟାରିଫ ହ୍ରାସ ପରେ ଭାରତର ଡିଜିଟାଲ ଭିତ୍ତିଭୂମି ଆହୁରି ସୁଦୃଢ଼ ହେବା ସହ ବାଣିଜ୍ୟିକ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହେବ ବୋଲି ଆଶା କରାଯାଉଛି ।

ଏହି ଟ୍ରେଡ ଡିଲରେ ଭାରତକୁ କୃଷି ଉତ୍ପାଦ, ଦୁଗ୍ଧଜାତ ସାମଗ୍ରୀ ଓ ପନିପରିବା ଆମଦାନୀ ଉପରେ ରୋକ ଲାଗୁ କରିବାର ବ୍ୟବସ୍ଥା ରହିଛି । ଏହାଦ୍ୱାରା ଦେଶର କୃଷକମାନଙ୍କ ସ୍ବାର୍ଥ ସୁରକ୍ଷିତ ରହିବା ସହ ସ୍ଥାନୀୟ କୃଷି କ୍ଷେତ୍ରକୁ ବଡ଼ ସମର୍ଥନ ମିଳିବ।

ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହରେ ଭାରତ ଓ ଆମେରିକାର ରାଷ୍ଟ୍ରମୁଖ୍ୟମାନଙ୍କ ମଧ୍ୟରେ ବାଣିଜ୍ୟିକ ଆଲୋଚନା ହୋଇଥିଲା । ଏହି ଆଲୋଚନା ପରେ ଆମେରିକା ରାଷ୍ଟ୍ରପତି ଟାରିଫ ହ୍ରାସ କରିବା ସମ୍ବନ୍ଧୀୟ ଘୋଷଣା କରିଥିଲେ ।

ଆମେରିକା ଖୁବ ଶୀଘ୍ର ଏହି ନିର୍ଦ୍ଧାରିତ ଢାଞ୍ଚାକୁ କାର୍ଯ୍ୟକାରୀ କରିବା ସହ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ଭାରତ ସହ ଘନିଷ୍ଠ ଭାବେ କାମ କରିବ । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ବାଣିଜ୍ୟ ଚୁକ୍ତିନାମା ତିଆରି କରିବା, ଯାହା ଉଭୟ ଦେଶକୁ ସମାନ ଭାବରେ ଲାଭ ପହଞ୍ଚାଇବ।
ଏହି ଚୁକ୍ତିନାମାକୁ ଭାରତ ଆମେରିକା ମଧ୍ୟରେ ବୃଦ୍ଧିଶୀଳ ସହଭାଗୀତାର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ଦେଖାଯାଉଛି । ଏହାଦ୍ୱାରା ଦୁଇ ଦେଶର ବାଣିଜ୍ୟିକ, ଆର୍ଥିକ ଓ କୂଟନୀତିକ ସମ୍ପର୍କ ଆହୁରି ଶକ୍ତିଶାଳୀ ହେବ ବୋଲି ଆଶା କରାଯାଉଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score