Explore

Search

February 11, 2026 10:07 am

ଢୋଲ, ତୁରୀ ତାଳେ ତାଳେ ଦୁଲକିବ ମାଲ୍ୟବନ୍ତ ମହୋତ୍ସବ

ମାଲକାନଗିରି : ଢୋଲ, ତୁରୀ ଓ ବାଜାର ତାଳେ ତାଳେ ପୁଣି ଦୁଲକିବ ମାଲକାନଗିରିର ଆଦିବାସୀ ଲୋକ ମହୋତ୍ସବ ‘ମାଲ୍ୟବନ୍ତ ମହୋତ୍ସବ-୨୦୨୫’ । ରାତି ପାହିଲେ ଆରମ୍ଭ ହେବ ‘ମାଲ୍ୟବନ୍ତ ମହୋତ୍ସବ-୨୦୨୫’ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମଭି-୯୦ କଲେଜ ପଡିଆରେ କାଲି ଏହି ମହୋତ୍ସବର ଶୁଭାରମ୍ଭ ହେବ। ଏହି ଅବସରରେ ମାଲକାନଗିରି ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟଙ୍କ ତତ୍ତ୍ୱାବଧାନରେ ଏକ ବିଶାଳ କଳସ ଯାତ୍ରାର ଆୟୋଜନ ରହିଛି । ମହୋତ୍ସବକୁ ଶାନ୍ତି, ଶୃଙ୍ଖଳା ଓ ଉତ୍ସାହର ସହ ସଫଳ ଭାବେ ପାଳନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ ଆହ୍ୱାନ କରିଛନ୍ତି ।

ମହୋତ୍ସବ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବାକୁ ଅଧିକ ସିସିଟିଭି କ୍ୟାମେରା ଖଞ୍ଜାଯିବ ଏବଂ ସମସ୍ତ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ସମଗ୍ର ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରାଯିବ।

ଦୀର୍ଘ ବର୍ଷ ହେଲା ମାଲ୍ୟବନ୍ତ ମହୋତ୍ସବ ବେଶ ଧୁମ ଧାମରେ ପାଳିତ ହୋଇଆସିଛି । ଜିଲ୍ଲାବାସୀଙ୍କ ମଧ୍ୟରେ ଭାଇଚାରା, କଳା ସଂସ୍କୃତିର ପୁନରୁଦ୍ଧାର ଏବଂ ଜିଲ୍ଲାର ବିକାଶ ପାଇଁ ଏହି ଗଣପର୍ବର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ଉତ୍ସବ ମାଧ୍ୟମରେ ଜନସାଧାରଣ, ପ୍ରଶାସନ ଓ ଜନପ୍ରତିନିଧି ଏକ ହୋଇ ଭାବର ଆଦାନ ପ୍ରଦାନ ସହ ଜିଲ୍ଲାକୁ ଗୋଟିଏ ଡୋରିରେ ବାନ୍ଧି ରଖିବାର ସୁଯୋଗ ପାଇଥାନ୍ତି ।

ମହୋତ୍ସବରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ଲୋକନୃତ୍ୟ ଓ ଲୋକସଙ୍ଗୀତକୁ ବିଶେଷ ପ୍ରାଧାନ୍ୟ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏହା ସହ ଫେବୃଆରୀ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ମଦ ବିକ୍ରି ଉପରେ ପ୍ରଶାସନ ପକ୍ଷରୁ ପୂର୍ଣ୍ଣ ନିଷେଧାଜ୍ଞା ଜାରି କରାଯାଇଛି। ମହୋତ୍ସବ ସଫଳତା ପାଇଁ ସମସ୍ତ କମିଟିକୁ ସକ୍ରିୟ ଭାବେ କାମ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ୨୦୨୫ ଡିସେମ୍ବର ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ମାଲ୍ୟବନ୍ତ ମହୋତ୍ସବ-୨୦୨୫ ଜିଲ୍ଲାରେ MV-26 ଗାଁରେ ସୃଷ୍ଟି ହୋଇଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଡିସେମ୍ବର ୧୨ ତାରିଖରେ ସ୍ଥଗିତ କରାଯାଇଥିଲା । ପରେ ଜିଲ୍ଲାର ସ୍ଥିତି ସାଧାରଣ ହେବା ପରେ ମହୋତ୍ସବ ପୁନର୍ବାର ପାଳନ କରିବାକୁ ପ୍ରଶାସନ ପକ୍ଷରୁ ଫେବୃଆରୀ ୧ ତାରିଖ ଘୋଷଣା କରାଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score