ଆମେରିକା : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଭରସା ଉଠିଗଲାଣି ଜନତାଙ୍କର । ତାଙ୍କର କାର୍ଯ୍ୟକଳାପକୁ ନେଇ ଦେଶ ଓ ବିଦେଶରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ନିକଟରେ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ଲଗାଇଥିବା ଟାରିଫ ନୀତିକୁ ନେଇ ସାରା ବିଶ୍ୱର ବିଭିନ୍ନ ଦେଶ ଅସନ୍ତୁଷ୍ଟ ଥିବା ବେଳେ, ଏବେ ନିଜ ଦେଶର ଜନସାଧାରଣ ମଧ୍ୟ ଟ୍ରମ୍ପ ପ୍ରଶାସନ ଉପରୁ ଆସ୍ଥା ହାରାଇବା ସହ ଅସନ୍ତୁଷ୍ଟ ଥିବା ସଙ୍କେତ ଦେଉଛନ୍ତି ।
ବିଶେଷ କରି ଦେଶର ଅର୍ଥନୀତିକୁ ନେଇ ସ୍ଥାନୀୟ ସାଧାରଣ ଲୋକଙ୍କ ମନରେ ଚିନ୍ତା ବଢ଼ିଛି । ଆମେରିକୀୟ ଅର୍ଥନୀତି ପ୍ରତି ଲୋକଙ୍କ ବିଶ୍ୱାସ ଧୀରେ ଧୀରେ କମୁଥିବା ଦେଖାଯାଉଛି । ଟ୍ରମ୍ପ ପ୍ରଶାସନର ବିଭିନ୍ନ ନୀତି ଓ ନିଷ୍ପତ୍ତି ଯୋଗୁଁ ଭବିଷ୍ୟତକୁ ନେଇ ଆମେରିକୀୟ ଜନତା ଅଧିକ ଚିନ୍ତିତ ହେଉଛନ୍ତି ।
ମୁଦ୍ରାସ୍ଫୀତି ବୃଦ୍ଧି, ଚାକିରି ସୁଯୋଗ ହ୍ରାସ ଏବଂ ଆର୍ଥିକ ଅନିଶ୍ଚିତତା କାରଣରୁ ସାଧାରଣ ଲୋକଙ୍କ ଆଶା ଓ ଆସ୍ଥା ଉପରେ ପ୍ରଭାବ ପଡ଼ୁଛି । ତେବେ ଖୋଦ ଆମେରିକାବାସୀଙ୍କର ଏଭଳି ଅସନ୍ତୋଷ ଟ୍ରମ୍ପ ସରକାର ପାଇଁ ଆଗାମୀ ଦିନରେ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ ବୋଲି କହିବା ଭୁଲ ହେବ ନାହିଁ । ଖାଲି ସେତିକି ନୁହେଁ ସାଧାରଣ ଆମେରିକୀୟ ଜନସାଧାରଣ କେବଳ ବର୍ତ୍ତମାନର ଅର୍ଥନୀତିକ ସ୍ଥିତିକୁ ନେଇ ନିରାଶ ନୁହଁନ୍ତି, ବରଂ ଆଗାମୀ ଦିନ ଗୁଡ଼ିକୁ ନେଇ ମଧ୍ୟ ଭୟଭୀତ ହୋଇଯାଇଛନ୍ତି।
ସର୍ଭେରେ ଅଂଶ ଗ୍ରହଣ କରିଥିବା ଲୋକମାନେ କହିଛନ୍ତି ଯେ ଏଠାରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ଲଗାତାର ବଢ଼ିବାରୁ ସାଧାରଣ ଜୀବନ ଅତ୍ୟଧିକ ମହଙ୍ଗା ହୋଇଯାଇଛି । ଘରୋଇ ସାମଗ୍ରୀ ସହିତ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ପଦାର୍ଥର ନିରନ୍ତର ମୂଲ୍ୟ ବୃଦ୍ଧି ସାଧାରଣ ପରିବାରଙ୍କ ପକେଟ ଉପରେ ଚାପ ପକାଇଛି । ଏହାର ଫଳରେ ପରିବାରମାନଙ୍କ ପାଇଁ ମାସିକ ବଜେଟ୍ ସନ୍ତୁଳନ କରିବା ଦିନକୁ ଦିନ କଷ୍ଟକର ହୋଇପଡ଼ୁଛି । ଯାହା ସାଧାରଣ ଲୋକଙ୍କୁ ଖୁବ ବାଧୁଛି । ଏହି ପରିସ୍ଥିତିରୁ ସ୍ପଷ୍ଟ ହେଉଛି ଯେ ଟାରିଫ ନୀତିର ପ୍ରଭାବ କେବଳ ଅନ୍ୟ ଦେଶମାନଙ୍କ ଉପରେ ସୀମିତ ନୁହେଁ, ବରଂ ନିଜ ଦେଶ ଆମେରିକା ମଧ୍ୟ ଏହାର ପ୍ରଭାବରେ ଗଭୀର ଭାବେ ପ୍ରଭାବିତ ହୋଇଛି ।
ସେପଟେ ଋଷ ଠାରୁ ତେଲ କିଣୁଥିବା ଭାରତ ଉପରେ ଆମେରିକା ଲାଗୁ କରିଥିବା ୫୦% ଟାରିଫକୁ ଅଧା କରିବାର ସଙ୍କେତ ଦେଇଛି । ଆମେରିକାର ଟାରିଫ ଲାଗୁ ପରେ ଭାରତ ପକ୍ଷରୁ ରୁଷ ଠାରୁ ତେଲ ଆମଦାନୀ ଅପେକ୍ଷାକୃତ ହ୍ରାସ ପାଇଛି । ଏଥିପାଇଁ ଆମେରିକା ୨୫% ଟାରିଫ ହ୍ରାସ କରିପାରେ ବୋଲି ଦେଶର ଟ୍ରେଜେରୀ ସେକ୍ରେଟାରୀ ସ୍କଟ ବେସେଣ୍ଟ ସୂଚନା ଦେଇଛନ୍ତି । ଏହି ଘୋଷଣା ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ଆଗକୁ ବଢ଼ାଇବାରେ ଏକ ଧନାତ୍ମକ ସଙ୍କେତ ବୋଲି ବିଶ୍ଳେଷକମାନେ ମନେ କରୁଛନ୍ତି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
