Explore

Search

December 30, 2025 1:28 am

ଜାଡ଼ରେ ଥରୁଛି ପୁରା ଓଡ଼ିଶା, ଆହୁରି ୪୮ ଘଣ୍ଟା କଲବଲ କରିବ ଶୀତ

ଭୁବନେଶ୍ୱର : ଜାଡ଼ରେ ଥରୁଛି ପୁରା ଓଡ଼ିଶା । ଆହୁରି ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଶୀତ । ଶୀତରୁ ମିଳିବନି ନିସ୍ତାର । ଉପକୂଳ ଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଯାଏଁ ସବୁଠି ଅନୁଭୂତ ହେଉଛି ହାଡ଼ଭଙ୍ଗା ଶୀତ। ଗତ କିଛି ଦିନ ହେବ ଟୁଇନ ସିଟିରେ ମଧ୍ୟ ପ୍ରବଳ ଥଣ୍ଡା ପଡିଛି । ସେହିପରି କନ୍ଧମାଳ ଜିଲ୍ଲାର କିଛି ସ୍ଥାନର ତାପମାତ୍ରା ୫ ଡିଗ୍ରୀ ତଳେ ରହିଛି । ଗତ କିଛି ଦିନ ହେବ ଏଠାରେ ପାରଦ ଖସିବାରେ ଲାଗିଛି l ପ୍ରବଳ ଜାଡ଼ ଯୋଗୁଁ ଲୋକେ ନିଆଁର ସାହାରା ନେଉଛନ୍ତି । ସକାଳୁ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇ ରହୁଛି ରାସ୍ତାଘାଟ । ଫଳରେ ଗାଡି ଚଳାଚଳରେ ବାଧା ସୃଷ୍ଟି ହେଉଛି ।

ରାଜ୍ୟରେ ଧିରେ ଧିରେ ପାରଦ କମିବା ସହିତ ଶୀତ ଫେରିଛି । ଦିନ ଏବଂ ରାତିର ତାପମାତ୍ରା ହ୍ରାସ ପାଉଥିବା ବେଳେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଗାଁରେ ଶୀତ ପାଇଁ ଲୋକେ ନିଆଁ ପୁଆଁଉଥିବା ଦେଖିବାକୁ ମିଳୁଛି ।

ସେପଟେ ୧୦ ଡିଗ୍ରୀ ତଳେ ୧୦ ସହରରେ ତାପମାତ୍ରା ରହିଥିବା ବେଳେ ୧୫ ଡିଗ୍ରୀ ତଳେ ୩୯ ସହରରେ ପାରଦ ରହିଛି । ଆଗାମୀ ୨ ଦିନ ପାଇଁ ପାଣିପାଗ ବିଭାଗ ପକ୍ଷରୁ ଶୀତ ଲହରୀ ଓ ଘନ କୁହୁଡ଼ି ପାଇଁ ଆଲର୍ଟ ଜାରି ହୋଇଛି । ଆସନ୍ତା ୨୪ ଘଣ୍ଟା ପାଇଁ ଅନୁଗୁଳ, ଝାରସୁଗୁଡ଼ା, ଖୋର୍ଦ୍ଧା ଓ ଜଗତସିଂହପୁରରେ ଶୀତ ଲହରୀ ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି ହୋଇଛି । ପଶ୍ଚିମରୁ ଉପକୂଳ ସବୁଠି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ତେବେ ଗତ ୨୪ ଘଣ୍ଟାରେ ରାଉଲକେଲା, କୋରାପୁଟ ଓ ଫୁଲବାଣୀରେ ଘନ କୁହୁଡି ଅନୁଭବ ହୋଇଛି । ରାଉଲକେଲାରେ ୭.୨ ଡିଗ୍ରୀ ଏବଂ ପାହାଡ଼ିଆ ଅଞ୍ଚଳରେ ଜି.ଉଦୟଗିରି ୪.୪ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ରାଜ୍ୟରେ ଆସନ୍ତା ୨ ଦିନ ଯାଏଁ ଘନ କୁହୁଡି ରହିବ ବୋଲି ପାଣିପାଗ ବିଶେଷଜ୍ଞ ପକ୍ଷରୁ ପ୍ରକାଶ। ଯାହାକୁ ନେଇ କୋରାପୁଟ, ସୁନ୍ଦରଗଡ, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଆହୁରି ୪୮ ଘଣ୍ଟା ପ୍ରବଳ ଶୀତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score